ଭୁବନେଶ୍ୱର,୧୧/୪(ସତ୍ୟପାଠ ବ୍ୟୁରୋ): ମୁଖ୍ୟମନ୍ତ୍ରୀଙ୍କ ଜାପାନ ଗସ୍ତ ଶତ ପ୍ରତିଶତ ସଫଳ ହୋଇଛି। ଜାପାନ ଗସ୍ତରୁ ରାଜ୍ୟକୁ ବଡ ସଫଳତା ମିଳିଛି। ଏଭଳି କହିଛନ୍ତି ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ। ଦେଶର ସର୍ଵବୃହତମ ଷ୍ଟିଲ ପ୍ଲାଣ୍ଟ ଓଡ଼ିଶାରେ ହେବ। ମୁଖ୍ୟମନ୍ତ୍ରୀ ନିପନ ଷ୍ଟିଲ ବୁଲି ଦେଖିଛନ୍ତି। ୯ଦିନର ଗସ୍ତକୁ ବେଶ୍ ସଫଳତା ମିଳିଛି। ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ମିଶନ ମୋଡ଼ରେ ଶିଳ୍ପାୟନ ଆଗେଇବ ଓଡ଼ିଶାରେ। ୩୦ନିୟୁତ ମେଟ୍ରିକ୍ ଟନର ଷ୍ଟିଲ ପ୍ଲାଣ୍ଟ ନିର୍ମାଣ କରିବେ ମିତ୍ତଲ-ନିପନ ଷ୍ଟିଲ । ଏହାସହ ଏହି ଗସ୍ତ ସମୟରେ ସେମାନେ ପାୱାର ପ୍ଲାଣ୍ଟ ପାଇଁ ଗ୍ରୀନ ଆମୋନିଆ ବ୍ୟବହାର ଉପରେ ଗୁରୁତ୍ବ ଦେଇଛନ୍ତି ବୋଲି ପ୍ରତାପ କହିଛନ୍ତି।
ସେ ଆହୁରି କହିଛନ୍ତି, ଜାପାନ ହେଉଛି ଓଡ଼ିଶାର ଷ୍ଟେଟ ପାର୍ଟନର । ପୂର୍ବରୁ ମିତ୍ତଲ ଓ ନିପନ ଷ୍ଟିଲ ଓଡ଼ିଶା ସହ ଏମଓୟୁ କରିଥିଲେ । ଓଡ଼ିଶାରେ ଏବେ ନୂଆ ଷ୍ଟିଲ ପ୍ଲାଣ୍ଟ ହେବ । ଆମେ ବହୁତ ଆଶାବାଦୀ ହୋଇ ଫେରୁଛୁ । ସେମାନେ ଖୁବଶୀଘ୍ର କାର୍ଯ୍ୟ ଆରମ୍ଭ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ବିଭିନ୍ନ କ୍ଷେତ୍ରର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଜାପାନ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ତାଙ୍କ ଟିମ ଆଗକୁ ଓଡ଼ିଶା ଆସିବେ । ଓଡ଼ିଶା ଆସି ଗ୍ରାଉଣ୍ଡରେ ସ୍ଥିତି ପରଖିବା ପାଇଁ ତାଙ୍କୁ ନିମନ୍ତ୍ରଣ ଦିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି।
ରାଜ୍ୟ ସରକାର ଯାହା କହିଛନ୍ତି ତାହା ବାସ୍ତବରେ ପୂରା କରିବାକୁ ପ୍ରତିଶ୍ରୁତିବଦ୍ଧ । ଏହା ପୂର୍ବରୁ ଭାରତରୁ ୫ଟି ରାଜ୍ୟ ଜାପାନ ଗସ୍ତରେ ଯାଇ ପୁଞ୍ଜିନିବେଶ ପାଇଁ ପ୍ରସ୍ତାବ ଦେଇଥିଲେ ମଧ୍ୟ ଓଡ଼ିଶାରେ ନିବେଶ ପାଇଁ ଜାପାନୀ କମ୍ପାନି ଅଧିକ ଉତ୍ସାହିତ ଥିବା କହିଛନ୍ତି ଶିଳ୍ପମନ୍ତ୍ରୀ ପ୍ରତାପ ଦେବ । ଯେହେତୁ ଓଡ଼ିଶାରେ ସୁଦୃଢ ଭିତ୍ତିଭୂମି ରହିଛି ଏବଂ ଶିଳ୍ପନୀତି ମଧ୍ୟ ବେଶ ସୁହାଉଛି ତେଣୁ ଅଧିକାଂଶ ଜାପାନୀ ନିବେଶକ ଓଡ଼ିଶାରେ ନିବେଶ କରିବାକୁ ଆଗ୍ରହୀ ଅଛନ୍ତି ବୋଲି କହିଛନ୍ତି ଗ୍ରୀନ ସିଗନାଲ ଦେଇଥିବା ପ୍ରତାପ ଦେବ କହିଛନ୍ତି ।





