ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ ଆବେଦନ ପୁଣି ଖାରଜ । ତେବେ ଆଜି ଜାମିନ ଆବେଦନ କରିଥିବା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ବାଣପୁର ଜେ ଏମଏଫସି କୋର୍ଟରେ ହାଜର କରାଯାଇଥିଲା। କିନ୍ତୁ ତାଙ୍କର ଜାମିନ ଆବେଦନ ଖାରଜ କରିଛନ୍ତି ବିଚାରପତି। ଏହାପରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ରିମାଣ୍ଡରେ ନେବା ଲାଗି ପୁଲିସ ଏଡିଜେ କୋର୍ଟରେ ଆବେଦନ କରିବ ବୋଲି ଜଣାଯାଇଛି। ସୂଚନାଯୋଗ୍ୟ, ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ନାମରେ ୧୩ଟି ମାମଲା ରହିଛି। ପୂର୍ବରୁ ସହକାରୀ ଦୌରାଜଜ୍ ମନୋରଞ୍ଜନ ମିଶ୍ର ଗତ ଗୁରୁବାର ଦିନ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ ଆବେଦନ ଖାରଜ କରିଥିଲେ।ଗତ ୨୨ ତାରିଖରେ ବାଣପୁର ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ଅଦାଲତରେ ଜାମିନ ଆବେଦନ ଖାରଜ ହେବାପରେ ବିଧାୟକ ଶ୍ରୀ ଜଗଦ୍ଦେବ ବର୍ତ୍ତମାନ ବାଣପୁର ଉପକାରାଗାରରେ ବିଚାରାଧୀନ ବନ୍ଦୀ ଭାବରେ ରହିଛନ୍ତି। ବିଧାୟକଙ୍କ ଓକିଲ ୨୮ ତାରିଖରେ ପୁଣି ବାଣପୁର ସହକାରୀ ଦୌରାଜଜ୍ଙ୍କ ଅଦାଲତରେ ଜାମିନ ଆବେଦନ କରିଥିଲେ। ଶୁଣାଣି ପାଇଁ ଗୁରୁବାରକୁ ଦିନଧାର୍ୟ୍ୟ କରାଯାଇଥିଲା। ଶୁଣାଣି ସମୟରେ ଉଭୟ ବିଧାୟକଙ୍କ ଓକିଲ ଏବଂ ସରକାରୀ ଓକିଲ ନିଜ ନିଜ ପକ୍ଷର ଯୁକ୍ତି ରଖିଥିଲେ।
ରାଜନୈତିକ ଶତ୍ରୁତାକୁ ନେଇ ବିରୋଧୀ ପକ୍ଷ ଏପରି ଷଡ଼୍ୟନ୍ତ୍ର ରଚିଥିବା ସହ ବିଧାୟକଙ୍କୁ ଜୀବନରେ ମାରିଦେବାକୁ ଉଦ୍ୟମ କରାଯାଇଥିଲା ବୋଲି ଯୁକ୍ତି ଉପସ୍ଥାପନା କରିଥିଲେ। ଏଥିସହିତ ବିଧାୟକଙ୍କ ବହୁମୁଖୀ ସ୍ବାସ୍ଥ୍ୟ ସମସ୍ୟା ରହିଥିବାବେଳେ ତାଙ୍କ ଶରୀରରେ ପେସ୍ ମେକର ଲଗାଯିବା ଏକାନ୍ତ ଅପରିହାର୍ୟ୍ୟ ହୋଇଥିବାରୁ ତାଙ୍କୁ ଜାମିନ ଦେବା ପାଇଁ ବରିଷ୍ଠ ଓକିଲ ଅରୂପ ଚାନ୍ଦ ଯୁକ୍ତି ବାଢିଥିଲେ। ତେବେ ପୁଲିସ ନିର୍ଦ୍ଦେଶକୁ ଅବମାନନା କରି ବିଧାୟକ ଜୋରଜବରଦସ୍ତ ଭିଡ଼ ମଧ୍ୟକୁ ଗାଡି ଚଳାଇ ନେଇଥିଲେ। ଫଳରେ ପୁଲିସ ଅଧିକାରୀଙ୍କ ସମେତ ବହୁ ବ୍ୟକ୍ତି ଗୁରୁତର ଭାବେ ଆହତ ହୋଇଥିବା ସରକାରୀ ଓକିଲ ଯୁକ୍ତି ବାଢିଥିଲେ। ଏ ଖବର ସାମ୍ନାକୁ ଆସିବା ପରେ ରାଜ୍ୟର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।





