ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଚୀନର ନୂଆ ମାନଚିତ୍ରକୁ ନେଇ ତେଜିଲା ବିବାଦ । ସୋମବାର ଦିନ ସରକାରୀ ଭାବେ ଏକ ନୂଆ ମାନଚିତ୍ର ଜାରି କରିଛି ଚୀନ । ଏଥିରେ ଭାରତର ଅରୁଣାଚଳପ୍ରଦେଶକୁ ନିଜର ଅଞ୍ଚଳ ଦର୍ଶାଯାଇଛି। ଅରୁଣାଚଳକୁ ଦକ୍ଷିଣ ତିବ୍ବତ ଭାବେ ନିଜର ଅଞ୍ଚଳ ଦେଖାଇଛି। ତେବେ ଖାଲି ଅରୁଣାଚଳପ୍ରଦେଶ ନୁହେଁ ଅକ୍ସାଇ ଚୀନ୍, ତାଇୱାନ ଏବଂ ବିବାଦୀୟ ଦକ୍ଷିଣ ଚୀନ୍ ସାଗରକୁ ବି ଚୀନ୍ ନୂଆ ମାନଚିତ୍ରରେ ସ୍ଥାନିତ କରିଛି। ଚୀନ୍ର ପ୍ରାକୃତିକ ସମ୍ପଦ ମନ୍ତ୍ରାଳୟ ଦ୍ବାରା ଏହି ମାନଚିତ୍ର ଜାରି ହୋଇଛି | ସୋମବାର ଦିନ ସର୍ଭେଇଙ୍ଗ ଆଣ୍ଡ୍ ମ୍ୟାପିଂ ପବ୍ଲିସିଟି ଡେ ଆଣ୍ଡ୍ ଦି ନେସନାଲ ମ୍ୟାପିଂ ଆୱାରନେସ ପବ୍ଲିସିଟି ୱିକ୍ ଅବସରରେ ଚୀନ୍ ଏହା ଜାରି କରିଛି।
ଏହାପରେ ଚୀନର ନୂଆ ମାନଚିତ୍ରକୁ ନେଇ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । କର୍ଣ୍ଣାଟକ ଗସ୍ତରେ ଥିବା ରାହୁଲ ଗାନ୍ଧୀ ଚୀନର ଏଭଳି ପଦକ୍ଷେପକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସମାଲୋଚନା କରିଛନ୍ତି । କହିଛନ୍ତି ଚୀନ ନୂଆ ମାନଚିତ୍ର ଜାରି କରି ଭାରତର ଅଂଶ ଅରୁଣାଚଳ ପ୍ରଦେଶକୁ ନିଜର ବୋଲି ଦର୍ଶାଇଛି । ଏହା ଏକ ଗମ୍ଭୀର ବିଷୟ । ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ଜବାବ ରଖିବା ଉଚିତ । ସେହିପରି ଲଦ୍ଦାଖ ଅଞ୍ଚଳର ଲୋକେ କହୁଛନ୍ତି, ଲଦ୍ଦାଖ ସୀମା ଅଞ୍ଚଳକୁ ମାଡି ବସିଛି ଚୀନ । ଏହା ଲଦ୍ଦାଖର ସ୍ଥାନୀୟ ବାସିନ୍ଦା କହୁଛନ୍ତି । ହେଲେ ପ୍ରଧାନମନ୍ତ୍ରୀ କହୁଛନ୍ତି, ଭାରତର ଗୋଟିଏ ଇଞ୍ଚ ଜମିକୁ ଚୀନ ନେଇ ନାହିଁ ।
ସେପଟେ ଚୀନ ନୂଆ ମ୍ୟାପ ଜାରି କରି ଅରୁଣାଚଳ ପ୍ରଦେଶକୁ ନିଜ ଅଞ୍ଚଳ ଦର୍ଶାଇଥିବା ପ୍ରସଙ୍ଗରେ ଜବାବ ରଖିଛି ଭାରତୀୟ ବୈଦେଶିକ ମନ୍ତ୍ରାଳୟ । କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି ଭାରତର ଅଞ୍ଚଳକୁ ନିଜ ଅଞ୍ଚଳ ବୋଲି ମାନଚିତ୍ରରେ ଦେଖାଇବା ଚୀନର ପୁରୁଣା ଅଭ୍ୟାସ । ହେଲେ ଏଥିରେ କୌଣସି ସତ୍ୟତା ନାହିଁ, ଭାରତର ସୀମା ସୁରକ୍ଷିତ ରହିଛି । ଭାରତ ସାର୍ବଭୌମତା ସହ କେବେ ସାଲିସ କରିବ ନାହିଁ ବୋଲି ଏସ ଜୟଶଙ୍କର କହିଛନ୍ତି ।
ସେହିପରି ବିଦେଶ ବ୍ୟାପାର ମନ୍ତ୍ରାଳୟ ମୁଖପାତ୍ର ଅରିନ୍ଦମ ବାଗ୍ଚି କହିଛନ୍ତି, ଚୀନ୍ ପ୍ରଥମ ଥର ପାଇଁ ଏଭଳି ଉଦ୍ୟମ କରିନାହିଁ। ବାରମ୍ବାର ଚୀନ୍ ଏଭଳି ଦାବି କରିଆସୁଛି। ଆମେ ଏହାକୁ ପ୍ରତ୍ୟାଖ୍ୟାନ କରୁଛୁ। ଅରୁଣାଚଳପ୍ରଦେଶ ଭାରତର ଅବିଚ୍ଛେଦ୍ୟ ଅଂଶ ଥିଲା, ରହିଛି ଏବଂ ଆଗକୁ ମଧ୍ୟ ରହିବ ।





