ଭୁବନେଶ୍ୱର,୨୦/୨(ସତ୍ୟପାଠ ବ୍ୟୁରୋ):କୋଇଲା ଟିକସ ଦୁର୍ନୀତି ମାମଲାରେ ଆଜି ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ପକ୍ଷରୁ ଛତିଶଗଡ଼ର ୧୪ଟି ସ୍ଥାନରେ ଚଢ଼ଉ କରି ତଲାସ ଆରମ୍ଭ ହୋଇଛି। ମିଳିଥିବା ସୂଚନା ଅନୁସାରେ, ଚଢ଼ଉ କରାଯାଇଥିବା ସମସ୍ତ ସ୍ଥାନ ହେଉଛି ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ସହିତ ଘନିଷ୍ଠତା ଥିବା ବିଧାୟକ ଓ ପଦସ୍ଥ ସରକାରୀ ଅଧିକାରୀ। ଛତିଶଗଡ କଂଗ୍ରେସ କୋଷାଧ୍ୟକ୍ଷଙ୍କ ସମେତ କଂଗ୍ରେସ ବିଧାୟକ ଓ ଉଚ୍ଚ ପଦସ୍ଥ ସରକାରୀ ଅଧିକାରୀମାନଙ୍କ ସହିତ ସମ୍ପୃକ୍ତ ଥିବା ବ୍ୟକ୍ତିବିଶେଷଙ୍କ ବାସଭବନ ଓ କାର୍ଯ୍ୟାଳୟରେ ମଧ୍ୟ ଚଢ଼ଉ ଚାଲିଛି।
କୋଇଲା ଦୁର୍ନୀତି ମାମଲାରେ ନିକଟ ଅତୀତରେ ଫାଇଲ କରିଥିବା ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦେଶାଳୟ ଉଲ୍ଲେଖ କରିଛି ଯେ, ଅପରାଧିକ ଷଡ଼ଯନ୍ତ୍ର କରି ରାଜନେତା, ଅମଲାମାନେ ବେଆଇନ ଭାବେ କୋଇଲା ଉପରେ ୨୫ ପଇସା ଟିକସ ବସାଇ ସେଥିରୁ ୫୪୦ କୋଟି ଟଙ୍କା ଆତ୍ମସାତ୍ କରିଛନ୍ତି। ପ୍ରାପ୍ତ ଅର୍ଥ ଦଳୀୟ ପାଣ୍ଠି ଓ କେତେକ ବ୍ୟକ୍ତିବିଶେଷଙ୍କ ପାଖକୁ ଯାଇଛି।
ସୂଚନାଯୋଗ୍ୟ ଯେ, ଛତିଶଗଡରୁ ଯାଉଥିବା କୋଇଲା ଉପରେ ଟନ୍ ପିଛା ବଆଇନ ଭାବେ ୨୫ ପଇସା ଟିକସ ବସାଇବା ଘଟଣାରେ ପଦସ୍ଥ ଅମଲା, ବ୍ୟବସାୟୀ, ରାଜନେତା ଓ ମଧ୍ୟସ୍ଥମାନେ ସମ୍ପୃକ୍ତ ଅଛନ୍ତି। ଏହି ବେଆଇନ ଟିକସଦ୍ବାରା ୨୦୨୧ରେ ସେମାନେ ୫୦୦ କୋଟି ଟଙ୍କା ସଂଗ୍ରହ କରିଥିବା କଥା ‘ପ୍ରବର୍ତ୍ତନ ନିର୍ଦେଶାଳୟ’ସୂତ୍ରରୁ ଜଣାପଡ଼ିଛି।
୨୦୨୨ ଅକ୍ଟୋବର ମାସରେ ପ୍ରବର୍ତ୍ତନ ନିର୍ଦେଶାଳୟ ଛତିଶଗଡ଼ର ପଦସ୍ଥ ଅମଲା, ରାଜନେତା ଓ ବ୍ୟବସାୟୀଙ୍କ ସହିତ ଜଡ଼ିତ ଥିବା ୪୦ଟି ସ୍ଥାନରେ ଚଢ଼ଉ କରି ନଗଦ ୪ କୋଟି ଟଙ୍କା, କୋଟି କୋଟି ଟଙ୍କା ମୂଲ୍ୟର ମୂଲ୍ୟବାନ ସାମଗ୍ରୀ ଓ ଗୁରୁତ୍ବପୂର୍ଣ୍ଣ ଦଲିଲ ଜବତ କରିଥିଲେ।





