ମୃତ ଯାତ୍ରୀଙ୍କ ପରିଚୟ ସଂଗ୍ରହ ବଡ ଚ୍ୟାଲେଞ୍ଜ, ଭୁବନେଶ୍ୱର ଆସିବ ୧୬୦ ମୃତଦେହ: ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର,୩/୬(ସତ୍ୟପାଠ ବ୍ୟୁରୋ): ବାଲେଶ୍ବର ଜିଲ୍ଲାର ବାହାନଗା ନିକଟରେ ଶୁକ୍ରବାର ସନ୍ଧ୍ୟାରେ କରମଣ୍ଡଳ ଏକ୍ସପ୍ରେସ୍‌ (୧୨୮୪୧) ଓ ବେଙ୍ଗାଲୁରୁ-ହାୱଡା ଏକ୍ସପ୍ରେସ୍‌ (୧୨୮୬୪) ଧକ୍କା ହୋଇ ଭୟାବହ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି | ଗତକାଲି ରାତିରୁ ଆରମ୍ଭ ହୋଇଥିବା ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ଏଯାବତ ଏହି ଭୟାବହ ଦୁର୍ଘଟଣାରେ ୨୮୮ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮୦୩ ଜଣ ଲୋକଙ୍କ ଚିକିତ୍ସା ଜାରି ରହିଥିବା ଜଣାପଡ଼ିଛି। ଆହତ ୮୦୩ ଜଣଙ୍କ ମଧ୍ୟରେ ୫୬ ଜଣଙ୍କ ଅବସ୍ଥା ଗୁରୁତର ଥିବାବେଳେ ୭୪୭ ଜଣ ଆହତ ଅବସ୍ଥାରେ ଅଛନ୍ତି | ତେବେ ବର୍ତ୍ତମାନ ରାଜ୍ୟ ସରକାରଙ୍କ ପାଇଁ ପ୍ରମୁଖ ଚ୍ୟାଲେଞ୍ଜ ପାଲଟିଛି ମୃତଦେହ ଚିହ୍ନଟ | ଏନେଇ ମୁଖ୍ୟ ଶାସନ ସଚିବ, ପ୍ରଦୀପ ଜେନା କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ୨୮୮ଟି ମୃତ ଦେହ ଉଦ୍ଧାର ହୋଇଛି । ଶେଷ ବଗିର ଉଦ୍ଧାର କାର୍ଯ୍ୟ ଚାଲିଛି ।

ଏଥିରୁ ୧୭ ଟି ଶବ ଉଦ୍ଧାର ହୋଇଛି । ଯେଉଁ ପର୍ଯ୍ୟନ୍ତ ପରିବାର ମୃତ ଶରୀରକୁ ଚିହ୍ନଟ କରିନାହିଁ ସେ ପର୍ଯ୍ୟନ୍ତ ଏମ୍ସ, ରାଜଧାନୀର ବିଭିନ୍ନ ସରକାରୀ ଓ ବେସରକାରୀ ଶବ ଗୃହରେ ମୃତଦେହକୁ ରଖାଯିବ । ଏନେଇ ସମସ୍ତ କଥାବାର୍ତ୍ତା ସରିଛି । ୧୬୦ ରୁ ଅଧିକ ମୃତଦେହ କାଲି ଭୁବନେଶ୍ବରରେ ପହଞ୍ଚିବ । ମୃତ ଶରୀରକୁ ଘରକୁ ନେବା ପାଇଁ ସମସ୍ତ ଖର୍ଚ୍ଚ ସରକାର ବହନ କରିବେ । ୩୦ରୁ ୪୦ ମୃତ ଯାତ୍ରୀଙ୍କ ପରିଚୟ ମିଳିଲାଣି | କିଛି ଯାତ୍ରୀଙ୍କ ପ୍ରମାଣପତ୍ର ଠାବ କରାଯାଇଛି | କେଉଁ ସ୍ଥାନରେ କାହାର ଚିକିତ୍ସା ଚାଲିଛି ସେନେଇ ତଥ୍ୟ ଅଛି | ସମସ୍ତ ଯାତ୍ରୀଙ୍କ ତଥ୍ୟ ସଂଗ୍ରହ ଆମ ପାଇଁ ବଡ ଚ୍ୟାଲେଞ୍ଜ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି |

Related Posts