କମନୱେଲ୍‌ଥ ଗେମ୍ସ 2022: ଭାରତକୁ ମିଳିଲା ପ୍ରଥମ ପଦକ

ବର୍ମିଂହାମ: ଚଳିତ କମନୱେଲ୍‌ଥ ଗେମ୍ସରେ ଆରମ୍ଭ ହୋଇଗଲା ଭାରତର ବିଜୟ ଅଭିଯାନ । ଭାରତ ହାସଲ କରିଛି ପ୍ରଥମ ପଦକ । ଭାରୋତ୍ତଳନ ପ୍ରତିଯୋଗିତାରେ ରୌପ୍ୟ ପଦକ ଭେଟି ଦେଇଛନ୍ତି ସଙ୍କେତ ସାଗର । ସଙ୍କେତଙ୍କ ବିଜୟ ସହ ପ୍ରତିଯୋଗିତାର ଦ୍ବିତୀୟ ଦିନରେ ଭାରତକୁ ପ୍ରଥମ ପଦକ ମିଳିଛି । ୫୫ କେଜି ପୁରୁଷ ଭାରୋତ୍ତଳନ ପ୍ରତିଯୋଗିତାରେ ଏହି ପଦକ ହାସଲ କରିଛନ୍ତି ସଙ୍କେତ ।

ଇଂଲଣ୍ଡ ବର୍ମିଂହାମରେ ଚାଲିଥିବା କମନୱେଲ୍‌ଥ ଗେମ୍ସ 2022 ବା ରାଜ୍ୟଗୋଷ୍ଠୀ କ୍ରୀଡାର ଆଜି ଦ୍ବିତୀୟ ଦିନ । ପ୍ରତିଯୋଗିତାର ଦ୍ବିତୀୟ ଦିନରେ ଭାରୋତ୍ତଳକ ସଙ୍କେତ ସାଗର ଦେଶକୁ ରୌପ୍ୟ ଭେଟି ଦେଇଛନ୍ତି । ସେ ମୋଟ ୨୪୮ କେଜି ଓଜନ ଉଠାଇ ଏହି ବିଜୟ ହାସଲ କରିଛନ୍ତି । ସଙ୍କେତ ସ୍ନାଚରେ ୧୧୩ କେଜି ଓଜନ ଉଠାଇ ଥିବାବେଳେ କ୍ଲିନ ଆଣ୍ଡ ଜର୍କରେ ୧୩୫ କେଜି ଓଜନ ଉଠାଇଛନ୍ତି । ତେବେ ଏହି ବର୍ଗରେ ମାଲେସିୟାର ବିନ ମହମ୍ମଦ ଅନିକ ସ୍ୱର୍ଣ୍ଣ ଜିତିଛନ୍ତି । ଅନିତ ମୋଟ ୨୪୯ କେଜି ଓଜନ ଉଠାଇ ଗୋଲ୍ଡେନ ବାଜି ମାରିନେଇଛନ୍ତି । ସେ ସ୍ନାଚରେ ୧୦୭ କେଜି ଓ କ୍ଲିନ ଆଣ୍ଡ ଜର୍କରେ ୧୪୨ କେଜି ଓଜନ ଉଠାଇଥିବା ଜଣାପଡିଛି ।ସେହିପରି ଶ୍ରୀଲଙ୍କାର ଦିଲଙ୍କା ୟୋଡାଗେ ଏହି ବର୍ଗରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ସେ ୨୨୫ କେଜି ଓଜନ ଉଠାଇଛନ୍ତି । ତେବେ ପ୍ରତିଯୋଗିତାରେ ଭାରତୀୟ ପ୍ରତିଯୋଗୀ ସଙ୍କେତଙ୍କ କହୁଣୀରେ ଶକ୍ତ ଆଘାତ ଲାଗିଥିବା ଜଣାପଡିଛି।

Related Posts