ମୌଳିକ ସୁବିଧାରୁ ବଞ୍ଚିତ କରାଯାଉଥିବା ଅଭିଯୋଗ; ବିଲଡରଙ୍କ ବିରୋଧରେ ଗର୍ଜିଲେ ଟ୍ରାଇଡେଂଟ ଗାଲାକ୍ସି ବାସିନ୍ଦା

ଭୁବନେଶ୍ୱର,13/1(ସତ୍ୟପାଠ ବ୍ୟୁରୋ): ଭୁବନେଶ୍ୱର ଟ୍ରାଇଡେଂଟ ଗାଲାକ୍ସିରେ ବିଲଡରଙ୍କ ମନମାନୀ ଅଭିଯୋଗ । ଘର ଦେବା ବେଳେ ଯେଉଁ ସବୁ ବ୍ୟବସ୍ଥା ଓ ସୁବିଧା ସୁଯୋଗ ଦିଆଯିବ ବୋଲି ପ୍ରତିଶୃତି ଦେଇଥିଲେ ତାହା ଏବେ ସୁଦ୍ଧା ପୂରଣ ହୋଇ ନାହିଁ । ଟ୍ରାଇଡେଂଟ ଗାଲାକ୍ସିରେ ପାଖାପାଖି ରହୁଥିବା ୧୨୦୦ ପରିବାରଙ୍କୁ ମୌଳିକ ସୁବିଧା ମଧ୍ୟ ମିଳିପାରୁ ନଥିବା ଅଭିଯୋଗ ହୋଇଛି । ଫଳରେ ଟ୍ରାଇଡେଂଟ ଗାଲାକ୍ସିରେ ରହୁଥିବା ବାସିନ୍ଦାଙ୍କ ମହଲରେ ଅସନ୍ତୋଷ ବଢିବାରେ ଲାଗିଛି । ବିଲଡର ହଟାଓ ନାରା ଦେଇ ଆନୁସଙ୍ଗିକ ସୁବିଧା ଯୋଗାଇ ଦେବାକୁ ଶନିବାର ରେସିଡେଣ୍ଟ ଓ୍ଵେଲଫେୟାର ଆସୋସିଏସନ ଦାବି କରିଛି । ସେଠାକାର ବାସିନ୍ଦାମାନେ ହାତରେ ପ୍ଲାକାର୍ଡ ଧରି ବିଲଡରଙ୍କ ମନମାନୀ ଚଳିବ ନାହିଁ ଏବଂ ବିଲଡର ହଟାଓ ସ୍ଲୋଗାନ ଦେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।

ରେସିଡେଣ୍ଟ ଓ୍ଵେଲଫେୟାର ଆସୋସିଏସନର ସଦସ୍ୟମାନେ କହିଛନ୍ତି, ୧୦ ବର୍ଷ ହେଲା ପ୍ରଜେକ୍ଟ କାମ ଚାଲିଥିଲେ ହେଁ ସରିବାର ନାଁ ଧରୁନି । ଅଡରଟେକିଂ ହିସାବରେ ଯାହା ଯାହା ସୁବିଧା ଦିଆଯିବା କଥା ତାହା ଏ ଯାଏ ବିଲଡର ଦେଇ ନାହାନ୍ତି । ଟିପିସିଏଲର ସିଧାସଳଖ ଉପଭୋକ୍ତା ମଧ୍ୟ ହୋଇପାରି ନାହାନ୍ତି ସେଠାରେ ରହୁଥିବା ଲୋକେ । ଅର୍ଥାତ ବିଲଡର ସେଠାରେ ବିଦ୍ୟୁତ ଯୋଗାଣ କରି ମନମୁଖୀ ୟୁନିଟ୍ ପିଛା ୫ଟା ୫୦ ପଇସା ବଳପୂର୍ବକ ଆଦାୟ କରୁଛି ବିଲଡର । ୧୨୩୦ ପରିବାରଙ୍କ ପାଇଁ ଉପଯୁକ୍ତ ପାନୀୟ ଜଳ ସୁବିଧା ଟିକିଏ ବି ନାହିଁ । ଫାୟାର ଲିଫ୍ଟ, ଆମ୍ବୁଲାନ୍ସ ବ୍ୟବସ୍ଥା ନେଇ ଯେଉଁ ପ୍ରତିଶ୍ରୁତି ଦିଆଯାଇଥିଲା ତାହା ଏ ଯାଏ ମିଳିନାହିଁ । ସେଫ୍ଟିର ଦ୍ୱିତୀୟ ଗେଟ୍ ଦିଆଯିବ ବୋଲି ଅଡରଟେକିଂ ହୋଇଥିଲା, ତାହା ମଧ୍ୟ ଏ ପର୍ଯ୍ୟନ୍ତ ଦିଆଯାଇ ନାହିଁ । ଘର କିଣିବା ବେଳେ ୨ ବର୍ଷର ଆଡଭାନ୍ସ ଦେବା ପରେ ମଧ୍ୟ ବିଲଡର ମନମାନି କରି ଘର ମାଲିକଙ୍କଠୁ ମେଣ୍ଟେନାନ୍ସ ଆଦାୟ କରୁଛି । ଲୋକେ କହିଛନ୍ତି ଏଠି ଆମେ ଘର କିଣିଥିଲେ ମଧ୍ୟ ଭଡାରେ ରହିବା ପରି ଲାଗୁଛି ଏବଂ ବିଲଡରଙ୍କ ଅନୁଗ୍ରହରେ ଚଳି ନାନା ଦଶା ଭୋଗୁଛୁ । ସୁରକ୍ଷା ବ୍ୟବସ୍ଥାର ନା ଗନ୍ଧ ମଧ୍ୟ ନାହିଁ । ଏହି ସବୁ ସମସ୍ୟାର ସମାଧାନ ଯଥାଶୀଘ୍ର କରିବାକୁ ଏଠାକାର ବାସିନ୍ଦା ଦାବି କରିଛନ୍ତି । ଯଦି ମୌଳିକ ସୁବିଧା ଦିଆ ନ ଯାଏ ଓ ଦାବି ପୂରଣ ନ ହୁଏ ତେବେ ଆଗାମୀ ସମୟରେ ଆନ୍ଦୋଳନ ଜୋରଦାର ହେବ ଏବଂ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବୁ ବୋଲି ଟ୍ରାଇଡେଂଟ ଗାଲାକ୍ସିର ବାସିନ୍ଦାମାନେ କ୍ଷୋଭର ସହ କହିଛନ୍ତି ।

୨୦୦୮ରେ ଟ୍ରାଇଡେଣ୍ଟ ଗାଲାକ୍ସି ପ୍ରକଳ୍ପ ଆରମ୍ଭ ହେବା ପରେ ମଧ୍ୟ ବିଲଡର ଏବେ ପର୍ଯ୍ୟନ୍ତ ସର୍ବସାଧାରଣ ଅଞ୍ଚଳକୁ ନିବାସୀ କଲ୍ୟାଣ ସୋସାଇଟିକୁ ହସ୍ତାନ୍ତର କରି ନାହିଁ। ଓଲଟା ଏହାକୁ ନିଜ ଅକ୍ତିକାରରେ ରଖି ଲୋକଙ୍କ ସୁଖ ସୁବିଧା ଉପରେ ମନମୁଖୀ ଅଙ୍କୁଶ ଲଗାଇ ଚାଲିଛି। ତିନୋଟି ପର୍ଯ୍ୟୟରେ ପାର୍କିଂ ସ୍ଥାନ, ସର୍ବ ସାଧାରଣ ଅଞ୍ଚଳ ଆଦି ହସ୍ତାନ୍ତର କରାଯିବାର ପ୍ରତିଶ୍ରୁତି ଦେଇ ଘର ଦେଇ ଦିଆଗଲା। ଏଥିରେ ଟ୍ରାଇଡେଣ୍ଟ ଗାଲାକ୍ସି କଲ୍ୟାଣ ସଂଘର କାର୍ଯ୍ୟାଳୟ, ସୁଇମିଂ ପୁଲ, ଜିମ୍ ପରି ମୌଳିକ ସୁବିଧା ସାମିଲ୍। କିନ୍ତୁ ଅଦ୍ୟାବଧି ସମ୍ପୂର୍ଣ ସୁବିଧା ଘରମାଲିକଙ୍କୁ ଦିଆଯାଇ ନାହିଁ। ଏପରିକି ନିଜ ଆପାର୍ଟମେଣ୍ଟରେ ସାମଗ୍ରୀ ପ୍ରବେଶ ପାଇଁ ମଧ୍ୟ ମଞ୍ଜୁରୀ ନେବାକୁ ପଡ଼ୁଛି।
ବିଲଡର ଗତ ପନ୍ଦର ବର୍ଷ ହେଲା ଗୋଟେ ପରେ ଗୋଟେ ପ୍ରୋଜେକ୍ଟ କରି ଚାଲିଛି ଓ ସୋସାଇଟି କୁ ହସ୍ତାନ୍ତର କରିବା ନା ନେଉନି । ଘର ମାଲିକ ମାନେ ସୋସାଇଟି ରେଜିଷ୍ଟାର କରି ହସ୍ତାନ୍ତର କରିବା ପାଇଁ ବିଲଡରକୁ ବାରମ୍ବାର ଆବେଦନ କରିବା ସତ୍ୱେ ବିଲଡର ନାଲି ଆଖି ଦେଖାଉଛି ।ବିଲଡରଙ୍କ ସହ ବାରମ୍ବାର ଆଲୋଚନା କରିବା ପରେ ମଧ୍ୟ ଘରମାଲିକ ଏବଂ ନିବାସୀଙ୍କୁ କୌଣସି ଆଶ୍ଵସ୍ତି ମିଳିନାହିଁ। ତେଣୁ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର ହେବ ବୋଲି ରେସିଡେଣ୍ଟ ଓ୍ଵେଲଫେୟାର ଆସୋସିଏସନ ଚେତାବନୀ ଦେଇଛନ୍ତି ।

Related Posts