ରାହୁଲଙ୍କ ୪୧ ହାଜର ଟଙ୍କାର ଟି-ସାର୍ଟ ଓ ମୋଦୀଙ୍କ ୧୦ ଲକ୍ଷ ଟଙ୍କା ସୁଟକୁ ନେଇ କଂଗ୍ରେସ-ବିଜେପି ମୁହାଁମୁହିଁ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ସାଂସଦ ରାହୁଲ ଗାନ୍ଧୀ ଭାରତ ଯୋଡ ଯାତ୍ରାରେ ବହରିଛନ୍ତି। ତେବେ ଏହି ଯାତ୍ରାର ପ୍ରଥମ ଦିନରେ ରାହୁଲ ପିନ୍ଧିଥିବା ଏକ ଟି ସାର୍ଟକୁ ନେଇ କଂଗ୍ରେସକୁ କଟାକ୍ଷ କରିଛି ବିଜେପି। ଏହି ଟି ସାର୍ଟର ମୂଲ୍ୟ ୪୧୦୦୦ ଟଙ୍କା ବୋଲି ଦାବି କରିଛି ବିଜେପି। ଏହା ସହିତ ବିଜେପି ସମଗ୍ର ଦେଶକୁ ଅପିଲ କରିଛି ଯେ, “ଦେଶ ବାସୀ ଦେଖନ୍ତୁ ରାହୁଲ ଗାନ୍ଧୀଙ୍କ ୪୧୦୦୦ ଟଙ୍କାର ଟି ସାର୍ଟ।”

ତେବେ ବିଜେପିର ଏହି ଅଭିଯୋଗର କଡା ଜବାବ୍ ଦେଇଛି କଂଗ୍ରେସ। ଦଳ ପକ୍ଷରୁ କୁହା ଯାଇଛି ଯେ, ଭାରତ ଯୋଡ ଯାତ୍ରାରେ ଏତେ ସଂଖ୍ୟାରେ ଜନ ସମାଗମ ଓ ଲୋକଙ୍କ ସମର୍ଥନ ଦେଖି ବିଜେପି ଡରି ଯାଇଛି। ଏଥିପାଇଁ ବିଜେପି ପକ୍ଷରୁ ପ୍ରକୃତ ମୂଦ୍ଦା ଉପରେ ବିତର୍କ କରାଯାଉନାହିଁ । କଂଗ୍ରେସ ବେରୋଜଗାରି ଓ ଦରଦାମ ବୃଦ୍ଧି ପ୍ରସଙ୍ଗରେ ବିତର୍କ ପାଇଁ ବିଜେପି କୁ ଆହ୍ବାନ କରିଛି। କଂଗ୍ରେସ ଆହୁରି କହିଛି ଯେ, ଯଦି ପିନ୍ଧିବା ବସ୍ତ୍ର ଉପରେ ବିତର୍କ କରିବାକୁ ଚାହୁଁଛ ତେବେ ପ୍ରଥମେ ମୋଦୀଙ୍କ ୧୦ ଲକ୍ଷ ଟଙ୍କାର ସୁଟ ଓ ୧.୫ ଲକ୍ଷ ଟଙ୍କାର ଚଷମା ଉପରେ ଚର୍ଚ୍ଚା କରାଯାଉ।

Related Posts