ନୂଆଦିଲ୍ଲୀ: କଂଗ୍ରେସ ଉପରେ ବର୍ଷିଲେ ନିର୍ବାଚନୀ ରଣନୀତିକାର ପ୍ରଶାନ୍ତ କିଶୋର। କଂଗ୍ରେସ କୁ ଟାର୍ଗେଟ କରି କହିଛନ୍ତି କଂଗ୍ରେସ ମୋ ନିର୍ବାଚନ ଜିତିବା ରେକର୍ଡକୁ ଖରାପ କରିଛି। ସକ୍ରିୟ ରାଜନୀତିରେ ପ୍ରବେଶ କରିବାର ସଙ୍କେତ ଦେଇ ସାରିଥିବା ପ୍ରଶାନ୍ତ କହିଛନ୍ତି, ଏବେ ସେ ଦେଶର ସର୍ବ ପୁରାତନ ପାର୍ଟି ସହିତ ଆଉ କାମ କରିବେ ନାହିଁ। ବିହାରର ବୈଶାଳୀରେ ପ୍ରଶାନ୍ତ କହିଛନ୍ତି ଯେ, ୨୦୧୧ରୁ ୨୦୨୧ ଏହି ୧୦ ବର୍ଷରେ ମୁଁ ୧୧ ନିର୍ବାଚନରେ ଜଡିତ ଥିଲି। ସେଥିରୁ ମାତ୍ର ଗୋଟିଏ ନିର୍ବାଚନ ହାରିଛି ତାହା ହେଉଛି ଉତ୍ତର ପ୍ରଦେଶରେ କଂଗ୍ରେସ ସହିତ। ତେବେଠୁ ନିଷ୍ପତ୍ତି ନେଇଛି ଯେ, କଂଗ୍ରେସ ସହିତ କାମ କରିବି ନାହିଁ। କାରଣ ଏହି ଦଳ ମୋର ଟ୍ରାକ ରେକର୍ଡ ଖରାପ କରିଛି।
ପ୍ରଶାନ୍ତ କହିଛନ୍ତି, କଂଗ୍ରେସ ପ୍ରତି ମୋର ସମ୍ମାନ ରହିଛି, ମାତ୍ର ପାର୍ଟିର ବର୍ତ୍ତମାନ ବ୍ୟବସ୍ଥା ଏମିତି ରହିଛି ଯେ, ନିଜେ ତ ଡୁବିବ ଆଉ ଆମକୁ ମଧ୍ୟ ଡୁବାଇ ଦେବ। ଭାରତୀୟ ଜନତା ପାର୍ଟିଠୁ ନେଇ କଂଗ୍ରେସ ଏବଂ ଅନେକ ଆଞ୍ଚଳିକ ଦଳ ସହିତ କାମ କରିଥିବା ପ୍ରଶାନ୍ତ କିଶୋର ୨୦୨୧ରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ତୃଣମୂଳ କଂଗ୍ରେସକୁ ବିଜୟୀ କରାଇବାରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିଭାଇବା ପରେ ପ୍ରଶାନ୍ତ ନିର୍ବାଚନ ରଣନୀତିକାର ଭାବେ କାମ ନକରିବାକୁ ଘୋଷଣା କରିଥିଲେ।
ସୂଚନାଯୋଗ୍ୟ, ପ୍ରଶାନ୍ତ କିଶୋର ଗତ ମେ ୨ରେ ନିଜ ଗୃହ ରାଜ୍ୟ ବିହାରର ସକ୍ରିୟ ରାଜନୀତିରେ ପାଦ ଦେବା ଘୋଷଣା କରି ରାଜନୀତି ପାରା ବଢାଇ ଦେଇଥିଲେ। ସକ୍ରିୟ ରାଜନୀତି ପ୍ରତି ରୁଚି ଦେଖାଇଥିବା ପ୍ରଶାନ୍ତ ୨୦୧୮ରେ ନୀତିଶ କୁମାରଙ୍କ ପାର୍ଟି ଜେଡିୟୁରେ ଯୋଗ ଦେଇଥିଲେ। ହେଲେ ସଂଶୋଧିତ ନାଗରିକତା ଅଧିନିୟମ ବା ସିଏଏ ପରି ଅନେକ ପ୍ରସଙ୍ଗରେ କୁମାରଙ୍କ ସହିତ ମତଭେଦ ହେବା କାରଣରୁ ତାଙ୍କୁ ୨୦୨୦ରେ ପାର୍ଟିରୁ ବହିଷ୍କାର କରା ଯାଇଥିଲା। କିଶୋର ସେହି ସମୟରେ ବିଜେପି ବିରୋଧୀ କଡା ଆଭିମୁଖ୍ୟ ଆପଣେଇଥିଲେ ଏବଂ ସରକାରଙ୍କୁ ସମାଲୋଚନା କରିଥିଲେ। ସେ ଜେଡିୟୁରେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଥିଲେ ।





