କଂଗ୍ରେସ ଅଧକ୍ଷ: ରାଜସ୍ଥାନ ପରେ ଏବେ ଛତିଶଗଡରେ ରାହୁଲ ଗାନ୍ଧିଙ୍କୁ ପାର୍ଟି ଅଧ୍ୟକ୍ଷ କରିବା ନେଇ ପ୍ରସ୍ତାବ ଗୃହୀତ

ନୂଆଦିଲ୍ଲୀ : କିଏ ହେବ କଂଗ୍ରେସ ଅଧ୍ୟକ୍ଷ ଏନେଇ ଆଗକୁ ନିର୍ବାଚନ ଅନୁଷ୍ଠିତ ହେବା କୁ ଥିବା ବେଳେ, ଏହାରି ମଧ୍ୟରେ ରାଜସ୍ଥାନ ପରେ ଏବେ ଛତିଶଗଡ କଂଗ୍ରେସ ମଧ୍ୟ ରାହୁଲ ଗାନ୍ଧିଙ୍କୁ ପାର୍ଟି ଅଧ୍ୟକ୍ଷ କରିବା ପାଇଁ ପ୍ରସ୍ତାବ ଗୃହୀତ କରିଛି।

ଏଥିଲାଗି ରବିବାର ଛତିଶଗଡ଼ କଂଗ୍ରେସର ଏକ ଜରୁରି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ପ୍ରସ୍ତାବ ଗୃହୀତ ହୋଇଛି। ଏ ବାବଦରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ କହିଛନ୍ତି ଯେ ଦୁଇଟି ରାଜ୍ୟରେ ଏହି ପ୍ରସ୍ତାବ ପାସ୍ ହୋଇଛି। ଯଦି ଏହି ପ୍ରସ୍ତାବ ଅନ୍ୟ ରାଜ୍ୟମାନଙ୍କରୁ ଆସିବ ତେବେ ଏ ବାବଦେ ରାହୁଲ ଗାନ୍ଧି ପୁନର୍ବିଚାର କରିବାକୁ ବାଧ୍ୟ ହେବେ ।

ଉଲ୍ଲେଖଯୋଗ୍ୟ ଯେ ପ୍ରାୟ ୨୧ ବର୍ଷ ପରେ କଂଗ୍ରେସର ନୂଆ ସଭାପତି ଚୟନ ଲାଗି ନିର୍ବାଚନ ହେବାକୁ ଯାଉଛି। ଏ ନେଇ ଘୋଷଣା ହୋଇଥିବା ନିର୍ବାଚନ କାର୍ଯ୍ୟ ସୂଚୀ ଅନୁଯାୟୀ ନୋମିନେସନ ପ୍ରକ୍ରିୟା ସେପ୍ଟେମ୍ବର ୨୪ରୁ ଆରମ୍ଭ ହେବ। ଭୋଟ ଗ୍ରହଣ ଅକ୍ଟୋବର ୧୭ ତାରିଖରେ ହେବ। ଏହା ସହ କଂଗ୍ରେସର ନୂଆ ଅଧ୍ୟକ୍ଷ କିଏ ହେବ ଅକ୍ଟୋବର ୧୯ ତାରିଖ ଦିନ ଭୋଟଗଣନା ପରେ ସାମ୍ନାକୁ ଆସିଯିବ।

ସ୍ୱାଧୀନତାର ୭୫ ବର୍ଷରୁ କଂଗ୍ରେସର ସଭାପତି ପଦ ଦୀର୍ଘ ୪୦ ବର୍ଷ ଧରି ନେହେରୁ ଗାନ୍ଧି ପରିବାରରେ ଥିଲା। ବାକି ୩୫ ବର୍ଷ ଦଳର ଅନ୍ୟ ନେତାଙ୍କ ଦ୍ୱାରା ପରିଚାଳିତ ହୋଇଛି। ସୂତ୍ରାନୁସାରେ ତେଲେଙ୍ଗାନା, ତାମିଲନାଡୁ, ଦିଲ୍ଲୀ ଓ ହିମାଚଳ ପ୍ରଦେଶ ଆଦି ରାଜ୍ୟର କଂଗ୍ରେସ ମଧ୍ୟ ରାଜସ୍ଥାନ ଓ ଛତିଶଗଡ଼ ପରି ପ୍ରସ୍ତାବ ଗୃହୀତ କରିବା ପାଇଁ ଚର୍ଚ୍ଚା କରୁଛନ୍ତି। କୁହାଯାଉଛି ଏହି ସବୁରାଜ୍ୟମାନେ ଖୁବ୍ ଶୀଘ୍ର ପ୍ରସ୍ତାବ ଆଣିବେ।

ସେପଟେ କଂଗ୍ରେସ ପକ୍ଷରୁ ଆରମ୍ଭ ହୋଇଥିବା ‘ଭାରତ ଯୋଡୋ ଯାତ୍ରା’କୁ ରବିବାର ୧୧ ଦିନ ପୂରଣ ହୋଇଛି। ରାହୁଲ ଯାତ୍ରା ସହ କେରଳ ପହଞ୍ଚିଥିବା ବେଳେ କଂଗ୍ରେସ ପ୍ରତି ସମର୍ଥନ ଲାଗି ଲୋକଙ୍କୁ ନିବେଦନ କରୁଛନ୍ତି। ରବିବାର ସକାଳ ସାଢେ ୬ଟାରୁ ଯାତ୍ରା ଆରମ୍ଭ ହୋଇଛି। ଯାତ୍ରା ୧୩ କିଲୋମିଟର ଅତିକ୍ରମ କରିବାପରେ ଓଟ୍ଟାପନା ଶ୍ରୀ କୁରୁଟ୍ଟୁ ଭଗବତୀ ମନ୍ଦିରରେ ଯାତ୍ରୀ ଆରାମ କରିବେ। ଏହି ଅବସରରେ କୁଟ୍ଟନାଡ ଓ ପଡୋଶୀ ଜିଲ୍ଲାର ଚାଷୀଙ୍କ ସହ ଆଲୋଚନା କରାଯିବ

Related Posts