ଭୁବନେଶ୍ୱର,୧୨/୫(ସତ୍ୟପାଠ ବ୍ୟୁରୋ): ରାଜସ୍ଥାନରେ ଚଳିତ ବର୍ଷ ଶେଷ ଆଡ଼କୁ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସର ଅନ୍ତଃକନ୍ଦଳ ହ୍ରାସ ପାଇବା ପରିବର୍ତ୍ତେ ତୀବ୍ର ହେବାରେ ଲାଗିଛି ।ମୁଖ୍ୟମନ୍ତ୍ରୀ ଗେହେଲୋଟଙ୍କ ବିରୋଧରେ ମୋର୍ଚ୍ଚା ଖୋଲିଥିବା ଦଳର ଯୁବନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ଗୁରୁବାର ଠାରୁ ଆଜମେରରୁ ୫ ଦିନିଆ ଜନସଂଘର୍ଷ ପଦଯାତ୍ରା ଆରମ୍ଭ କରିଛନ୍ତି । ଏହି ଯାତ୍ରା ଆଜମେରରୁ ଜୟପୁର ୧୨୫ କିଲୋମିଟର ଅତିକ୍ରମ କରିବ। ତେବେ ଯାତ୍ରା ପୂର୍ବରୁ ପାଇଲଟ ରାଜ୍ୟରେ ଦୁର୍ନୀତି ଏବଂ ପେପର-ଲିକ୍ ମାମଲାକୁ ନେଇ ଏକ ସାଧାରଣ ସଭାରେ ନାଁ ନନେଇ ଗେହେଲୋଟଙ୍କ ସରକାର ଉପରେ ବର୍ଷିଥିଲେ ।
ସେ ଆରମ୍ଭ କରିଥିବା ପଦଯାତ୍ରାର ଆଭିମୁଖ୍ୟ ସ୍ପଷ୍ଟ କରି ପାଇଲଟ୍ କହିଛନ୍ତି, ଏହି ଯାତ୍ରା କାହା ବିରୁଦ୍ଧରେ ନୁହେଁ, ଏହା ରାଜ୍ୟର ଦୁର୍ନୀତି ଏବଂ ପେପର ଲିକ ବିରୋଧରେ ଏହା ଏକ ଜନ ଆନ୍ଦୋଳନ । ଏହି ଯାତ୍ରାର ଏକମାତ୍ର ଉଦ୍ଦେଶ୍ୟ ହେଉଛି ରାଜ୍ୟରେ ବ୍ୟବସ୍ଥାରେ ସୁଧାର ଆଣିବା । ଶିକ୍ଷା ବ୍ୟବସ୍ଥାରେ ଥିବା ତ୍ରୁଟି ଦୂର କରିବା ଓ ଏହାକୁ ଆହୁରି ପ୍ରଭାବଶାଳୀ କରିବା । ହେଲେ ଏହି ଉତ୍ତର ରାଜନୈତିକ ସମୀକ୍ଷକଙ୍କୁ ଶାନ୍ତ କରିପାରିନାହିଁ । ଲଗାତର ମୁଖ୍ୟମନ୍ତ୍ରୀ ଗେହେଲୋଟ ଓ ପାଇଲଟଙ୍କ ମଧ୍ୟରେ ପରୋକ୍ଷ ବାକଯୁଦ୍ଧ ଜାରି ରହିଛି । ପରିସ୍ପରର ନାମ ନନେଇ ଏକାଧିକ ଅଭିଯୋଗ କରିବାରେ ଲାଗିଛନ୍ତି ଉଭୟ । ଏହାରି ମଧ୍ୟରେ ପାଇଲଟ ଏବେ ପଦଯାତ୍ରାର ମାର୍ଗ ବାଛିଛନ୍ତି ।
ପ୍ରେସମିଟରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ରାଜ୍ୟର ଗେହଲୋଟ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି, ”କର୍ଣ୍ଣାଟକ ନିର୍ବାଚନରେ କଂଗ୍ରେସ ଶାସକ ଦଳ ବିଜେପି ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଥିଲା । ଜନସାଧାରଣ ମଧ୍ୟ ଏହି ଅଭିଯୋଗକୁ ଗ୍ରହଣ କରିଛନ୍ତି । ଫଳାଫଳ ସ୍ବରୂପ କର୍ଣ୍ଣାଟକରେ କଂଗ୍ରେସ ସପକ୍ଷରେ ଭୋଟ୍ ପଡିଛି । ରାଜସ୍ଥାନରେ ମଧ୍ୟ ଯେତେବେଳେ ଆମେ ବିରୋଧୀ ଥିଲୁ, ଆମେ ନିରନ୍ତର କହିଥିଲୁ ଯେ ବସୁନ୍ଧରା ସରକାର ଦୁର୍ନୀତିଗ୍ରସ୍ତ । ଲୋକେ ଆମକୁ ଭରସା କଲେ, ଭୋଟ ଦେଲେ । କଂଗ୍ରେସ କ୍ଷମତାକୁ ଆସିଲା । ହେଲେ କ୍ଷମତାକୁ ୪ ବର୍ଷ ବିତି ସାରିଥିଲେ ସୁଦ୍ଧା ଦୁର୍ନୀତି ନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ ।”
ସେପଟେ କଂଗ୍ରେସ ନିଜକୁ ପାଇଲଟ୍ ଙ୍କ ଏହି ଯାତ୍ରା ରୁ ଦୂରେଇ ରଖିଛି। ତେବେ ନିକଟରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ ତାଙ୍କ ସରକାରକୁ ଭାଙ୍ଗିବା ପାଇଁ ଭାରତୀୟ ଜନତା ପାର୍ଟି ଓ ନିଜେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଚେଷ୍ଟା କରୁଥିବା ଅଭିଯୋଗ କରିଥିଲେ । ଏପରିକି ରାଜ୍ୟର କିଛି କଂଗ୍ରେସ ବିଧାୟକ ବିଜେପି ଠାରୁ କୋଟି କୋଟି ଟଙ୍କା ଲାଞ୍ଚ ଖାଇଥିବା ମଧ୍ୟ ସେ ଅଭିଯୋଗ କରିଥିଲେ । ହେଲେ ସେହି ବିଧାୟକମାନେ କିଏ ସେନେଇ ସେ ସିଧା ନାମ ନେଇନଥିଲେ ସୁଦ୍ଧା ଏହି ଇଙ୍ଗୀତ ସଚିନ ପାଇଲଟଙ୍କ ଗୋଷ୍ଠୀ ପ୍ରତି ସ୍ପଷ୍ଟ ଅନୁମାନ କରାଯାଉଥିଲା । ଏବେ ପାଇଲଟ ପଦଯାତ୍ରାରେ ବାହାରିଛନ୍ତି ଯାହା ରାଜ୍ୟରେ ଥିବା କଂଗ୍ରେସ କନ୍ଦଳକୁ ପୁଣି ପଦାରେ ପକାଇଛି ।





