କଂଗ୍ରେସ ସିଡବ୍ଲୁସି ନିର୍ବାଚନ ସ୍ଥଗିତ, ସଦସ୍ୟଙ୍କୁ ମନୋନୀତ କରିବେ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ

ଭୁବନେଶ୍ୱର,୨୪/୨(ସତ୍ୟପାଠ ବ୍ୟୁରୋ): କଂଗ୍ରେସ ଷ୍ଟିୟରିଂ କମିଟି ବା ସଂଚାଳନ ସମିତି ତରଫରୁ ଶୁକ୍ରବାର ଦିନ ସର୍ବସମ୍ମତି କ୍ରମେ ବଡ ନିଷ୍ପତ୍ତି ନିଆଯାଇଛି । ଏହି ନିଷ୍ପତ୍ତି ମୁତାବକ କଂଗ୍ରେସ କାର୍ଯ୍ୟସମିତି ବା ସିଡବ୍ଲୁସି ନିର୍ବାଚନକୁ ସ୍ଥଗିତ ରଖାଯାଇଛି । ନିର୍ବାଚନ ପରିବର୍ତ୍ତେ ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ କାର୍ଯ୍ୟକାରିଣୀ ସଦସ୍ୟ ମନୋନୀତ କରିବେ ବୋଲି କୁହାଯାଇଛି । କଂଗ୍ରେସ ମହାସଚିବ ଜୟରାମ ରମେଶ ଏନେଇ ସୂଚନା ଦେଇ କହିଛନ୍ତି କି, ସଂଚାଳନ ସମିତି ବୈଠକରେ ସର୍ବ ସମ୍ମତିକ୍ରମେ ନିଷ୍ପତ୍ତି ନିଆଯାଇଛି କି, କଂଗ୍ରେସ ଅଧ୍ୟକ୍ଷଙ୍କ କ୍ଷମତାରେ ରହିବ କାର୍ଯ୍ୟକାରୀ ସଦସ୍ୟ ଚୟନ ।

ଜୟରାମ ରମେଶ କହିଛନ୍ତି କି, ଆମେ କଂଗ୍ରେସ ସମ୍ବିଧାନର ସଂଶୋଧନ କରିଛୁ । ଏହି କ୍ରମରେ ଦୁର୍ବଳ ବର୍ଗ, ଅନୁସୂଚିତ ଜାତି, ଜନଜାତି, ଓବିସି, ମହିଳା, ଯୁବକ ଓ ଅଳ୍ପସଂଖ୍ୟକ ସମୁଦାୟ ପାଇଁ ପ୍ରତିନିଧିତ୍ୱ ସୁରକ୍ଷିତ କରିବାକୁ ପ୍ରାବଧାନ କରାଯିବ । ସେପଟେ କଂଗ୍ରେସ ସମ୍ବିଧାନରେ କାର୍ଯ୍ୟକାରୀ ସଦସ୍ୟ ମନୋନୀତ କରିବା ପାଇଁ ଅଧ୍ୟକ୍ଷଙ୍କ କ୍ଷମତା ଦେବାର ପ୍ରାବଧାନ ରହିଥିବା କଥା ରମେଶ କହିଛନ୍ତି ।

କହିରଖୁ କି କଂଗ୍ରେସ କାର୍ଯ୍ୟକାରିଣୀରେ ମୋଟ ୨୫ ଜଣ ସଦସ୍ୟ ରହିଥାନ୍ତି । ଏହା ମଧ୍ୟରୁ ୧୨ ଜଣ ସଦସ୍ୟଙ୍କ ପାଇଁ ନିର୍ବାଚନ ହୋଇଥାଏ ଓ ୧୧ ଜଣ ସଦସ୍ୟଙ୍କୁ ଦଳର ଅଧ୍ୟକ୍ଷ ମନୋନୀତ କରିଥାନ୍ତି । କଂଗ୍ରେସ ଅଧ୍ୟକ୍ଷ ଓ ସଂସଦୀୟ ଦଳର ନେତା କଂଗ୍ରେସ କାର୍ଯ୍ୟକାରିଣୀର ସଦସ୍ୟ ରହିବାର ପ୍ରାବଧାନ ମଧ୍ୟ ରହିଛି ।

କଂଗ୍ରେସର ୮୫ ତମ ପୂର୍ଣ୍ଣ ଅଧିବେଶନ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି । ଏହା ଛତିଶଗଡର ରାୟପୁରରେ ଅନୁଷ୍ଠିତ ହେଉଛି । ଏହି ବୈଠକରେ ଦଳର କାର୍ଯ୍ୟକାରିଣୀ ସଦସ୍ୟ ନିର୍ବାଚନ ନେଇ କିଛି ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବ ବୋଲି କୁହାଯାଉଥିବା ବେଳେ ଏହି ଆଲୋଚନାରେ ଗାନ୍ଧୀ ପରିବାରରୁ କେହି ଭାଗ ନେବେ ନାହିଁ ବୋଲି ସୂଚନା ରହିଛି । ସୂତ୍ର ସୂଚନା ମୁତାବକ ଏହି ଆଲୋଚନାରେ ସୋନିଆ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ କି ରାହୁଲ ଗାନ୍ଧୀ ଭାଗନେବେ ନାହିଁ । ଏହି ବୈଠକରେ ଦଳର ଶୀର୍ଷ କାର୍ଯ୍ୟକାରିଣୀ କମିଟି ନିର୍ବାଚନ ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବ ।

ଏଭଳି ନିଷ୍ପତ୍ତି ପଛରେ ଥିବା କାରଣ ମଧ୍ୟରୁ ଗୋଟିଏ କାରଣ ହେଉଛି ଅନେକ ବିରୋଧୀ ଦଳର ନେତା ଓ କଂଗ୍ରେସ ନେତା ମଧ୍ୟ କଟାକ୍ଷ କରୁଛନ୍ତି କି ଅଧ୍ୟକ୍ଷପଦ ସିନା ମଲ୍ଲିକାର୍ଜୁନ ଖଡଗେଙ୍କୁ ମିଳିଲା ହେଲେ ଦଳର ସମସ୍ତ ନିଷ୍ପତ୍ତି ଗାନ୍ଧୀ ପରିବାର ହାତରେ ରହିଛି । ଏହାକୁ ଦୃଷ୍ଟିରେ ରଖି ଗାନ୍ଧୀ ପରିବାର ଦଳର ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକୁ ଖଡଗେ ହାତରେ ଦେବାକୁ ଚାହୁଁଛନ୍ତି । ହେଲେ ଅନ୍ୟ ସମସ୍ତ ଆଲୋଚନାରେ ଗାନ୍ଧୀ ପରିବାର ସାମିଲ ହେବେ ବୋଲି ଜଣାପଡିଛି ।

Related Posts