କର୍ଣ୍ଣାଟକରେ କଂଗ୍ରେସର ନିର୍ବାଚନୀ ଘୋଷଣାପତ୍ର: ୨ୟୁନିଟ୍ ମାଗଣା ବିଜୁଳି, ଘରର ମହିଳା ମୁଖ୍ୟଙ୍କୁ ୨ ହଜାର ଟଙ୍କା ସହ ବେରୋଜଗାର ଛାତ୍ରଙ୍କୁ ମାସିକ ଭତ୍ତା ଦେବାକୁ ପ୍ରତିଶ୍ରୁତି

ଭୁବନେଶ୍ୱର,୨/୫(ସତ୍ୟପାଠ ବ୍ୟୁରୋ): କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଦିନ ପଖାଉଥିବା ବେଳେ ଭୋଟରମାନଙ୍କ ଉପରେ ପ୍ରତିଶ୍ରୁତି ବର୍ଷା କରୁଛନ୍ତି ବିଭିନ୍ନ ଦଳ। ଗତକାଲି ବିଜେପି ନିଜର ନିର୍ବାଚନୀ ଘୋଷଣାପତ୍ର ଜାରି କରିଥିବାବେଳେ ଆଜି କଂଗ୍ରେସ ନିର୍ବାଚନୀ ଘୋଷଣାପତ୍ର ଜାରି କରିଛି। ମଙ୍ଗଳବାର ଦଳପକ୍ଷରୁ ନିର୍ବାଚନୀ ଇସ୍ତାହାର ପ୍ରକାଶ ପାଇବା ସହିତ ଲୋକମାନଙ୍କୁ ୨ ଶହ ୟୁନିଟ୍ ମାଗଣା ବିଜୁଳି ଏବଂ ପ୍ରତ୍ୟେକ ପରିବାରର ମହିଳା ମୁଖ୍ୟଙ୍କୁ ମାସିକ ୨ ହଜାର ଟଙ୍କା ଲେଖାଏଁ ଦେବାକୁ ପ୍ରତିଶ୍ରୁତି ଦେଇଛି କଂଗ୍ରେସ ।

କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ୍ ଖଡଗେ, କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ସିଦ୍ଧରୈମୟା ଓ ପାର୍ଟିର ପ୍ରଦେଶ ଅଧ୍ୟକ୍ଷ ଡି କେ ଶିବକୁମାରଙ୍କ ଉପସ୍ଥିତିରେ କଂଗ୍ରେସ ଏହି ଘୋଷଣା ପତ୍ର ଜାରି କରିଛି । ଏଥିରେ କଂଗ୍ରେସ ପ୍ରତିଶ୍ରୁତି ଦେଇଛି ଯେ, କର୍ଣ୍ଣାଟକରେ କଂଗ୍ରେସ ସରକାରକୁ ଆସିଲେ, ୨ ଶହ ୟୁନିଟ୍ ମାଗଣା ବିଜୁଳି ଯୋଗାଇବ । ଏହା ସହିତ ପ୍ରତି ପରିବାରର ମହିଳା ମୁଖ୍ୟଙ୍କୁ ମାସିକ ୨ ହଜାର ଟଙ୍କା ଲେଖାଏଁ ଦେବ ।

କେବଳ ସେତିକି ନୁହେଁ, କଂଗ୍ରେସର ଘୋଷଣା ପତ୍ରରେ ବେରୋଜଗାର ସ୍ନାତକଙ୍କ କଥାକୁ ମଧ୍ୟ ଧ୍ୟାନରେ ରଖାଯାଇଛି । ସେମାନଙ୍କୁ ଦୁଇ ବର୍ଷ ପାଇଁ ମାସିକ ୩ ହଜାର ଲେଖାଏଁ ଭତ୍ତା ଦିଆଯିବ ବୋଲି କଂଗ୍ରେସ ନିଜର ନିର୍ବାଚନୀ ଇସ୍ତାହାରରେ ପ୍ରତିଶ୍ରୁତି ଦେଇଛି । ସେହିପରି ବେରୋଜଗାର ଡିପ୍ଲୋମାଧାରୀଙ୍କୁ ମାସିକ ଦେଢ ହଜାର ଲେଖାଏଁ ଭତ୍ତା ଦିଆଯିବ ବୋଲି କୁହାଯାଇଛି । ତେବେ କେଏସଆରଟିସି ଏବଂ ବିଏମଟିସିରେ ସବୁ ମହିଳାଙ୍କୁ ମାଗଣା ଯାତ୍ରା ସୁବିଧା କରେଇବାର ପ୍ରତିଶ୍ରୁତି ଦେଇଛି କଂଗ୍ରେସ ଦଳ ।

ସେହିପରି ନିଜ ଘୋଷଣାପତ୍ରରେ କଂଗ୍ରେସ ବଜରଙ୍ଗ ଦଳକୁ ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ (ପିଏଫଆଇ) ସହିତ ତୁଳନା କରିଛି। ଏହାସହିତ ଦଳ ରାଜ୍ୟରେ କ୍ଷମତାକୁ ଆସିଲେ ବଜରଙ୍ଗ ଦଳକୁ ବ୍ୟାନ କରିବ ବୋଲି ମଧ୍ୟ କଂଗ୍ରେସ କହିଛି ।

କଂଗ୍ରେସ ପକ୍ଷରୁ ଆହୁରି କୁହାଯାଇଛି ଯେ, ଦଳ ଅନୁସୂଚିତ ଜାତି ପାଇଁ ସଂରକ୍ଷଣ ୧୫ ପ୍ରତିଶତରୁ ୧୭ ପ୍ରତିଶତକୁ ବୃଦ୍ଧି କରିବ । ସେହିପରି ଅନୁସୂଚିତ ଜନଜାତି ପାଇଁ ଥିବା ସଂରକ୍ଷଣକୁ ୩ରୁ ୭ ପ୍ରତିଶତକୁ ଏବଂ ଅଳ୍ପସଂଖ୍ୟକଙ୍କ ପାଇଁ ଥିବା ସଂରକ୍ଷଣକୁ ୪ ପ୍ରତିଶତ କରିବାକୁ କଂଗ୍ରେସ ନିଜର ଘୋଷଣାପତ୍ରରେ ପ୍ରତିଶ୍ରୁତି ଦେଇଛି । କଂଗ୍ରେସ ତରଫରୁ ଘୋଷଣାପତ୍ର ଜାରି କରାଯିବା ସହିତ କୁହାଯାଇଛି ଯେ, ଆମେ ଆଇନ୍ ଏବଂ ସମ୍ବିଧାନକୁ ପବିତ୍ର ମାନୁଛୁ । ତେବେ ବିଭିନ୍ନ ସମୁଦାୟ ଭିତରେ ଘୃଣା ବଡାଇବା ପାଇଁ ସମ୍ବିଧାନ ଓ ଆଇନର ଉଲ୍ଲଙ୍ଘନ କରିବାକୁ ଦିଆଯିବନି ବୋଲି କଂଗ୍ରେସ କହିଛି ।

ସୂଚନାଯୋଗ୍ୟ ଯେ, ସୋମବାର ନିର୍ବାଚନୀ ଇସ୍ତାହାର ଜାରି କରିଥିଲା ବିଜେପି । ସବୁବର୍ଗଙ୍କୁ ଦୃଷ୍ଟିରେ ରଖି ବିଜେପି ମଧ୍ୟ କରିଥିଲା ପ୍ରତିଶୁତି ବର୍ଷା । ପ୍ରତିଦିନ ମାଗଣା କ୍ଷୀରଠୁ ନେଇ ବର୍ଷକୁ ୩ତିବମାଗଣା ଗ୍ୟାସ । ଏଭଳି ଅନେକ ପ୍ରତିଶ୍ରୁତି ଦେଇଛି ଦଳ । ଏଥିସହ ମହିଳା ସଂଶକ୍ତିକରଣ ଓ ଯୁବ ବିକାଶ ଉପରେ ମଧ୍ୟ ଗୁରୁତ୍ୱ ଦେଇଛି ବିଜେପି । ତେବେ, କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ମେ ୧୦ରେ ଭୋଟ ପଡ଼ିବାକୁ ଥିବାବେଳେ ୧୩ ଫଳ ବାହାରିବ ।

Related Posts