ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଜସ୍ଥାନ କଂଗ୍ରେସରେ ଉପୁଜିଥିବା ରାଜନୈତିକ ସଙ୍କଟକୁ ନେଇ ଆମ ଆଦମୀ ପାର୍ଟି(ଆପ)ର ଯୁବ ନେତା ତଥା ରାଜ୍ୟସଭା ସାଂସଦ ରାଘବ ଚଢା କଟାକ୍ଷ କରିଛନ୍ତି । କଂଗ୍ରେସରେ ସଙ୍କଟର ଖବର ଆସିବା ପରେ ଚଢା ଏକ ଟୁଇଟରେ କହିଛନ୍ତି ଯେ, ‘କଂଗ୍ରେସ ଖତ୍ମ ହୈ… କେଜରିୱାଲ ବିକଳ୍ପ ହୈ’ । ତେବେ ନିକଟରେ ଆପ ପକ୍ଷରୁ ରାଘବ ଚଢାଙ୍କୁ ଗୁଜରାଟରେ ଦଳର ସହ ପ୍ରଭାରୀ କରାଯାଇଛି ।ଏହାପରଠାରୁ ସେ ଲଗାତାର କଂଗ୍ରେସକୁ ଟାର୍ଗେଟ କରି ଚାଲିଛନ୍ତି । ଶନିବାର ସେ ତାଙ୍କର ଗୁଜରାଟ ଗସ୍ତ ଆରମ୍ଭ କରିଥିଲେ । ଏହି ସମୟରେ ସେ କେବଳ କଂଗ୍ରେସକୁ ହିଁ ଟାର୍ଗେଟ କରିଥିଲେ । ସେ କହିଥିଲେ ଯେ, କଂଗ୍ରେସ ଦଳ ଏବେ ବୁଢି ହୋଇଯାଇଛି । ସେ ଭାରତୀୟ ଜନତା ପାର୍ଟି(ଭାଜପା)କୁ ହରାଇ ପାରିବ ନାହିଁ । ସେ ଆହୁରି ମଧ୍ୟ କହିଥିଲେ ଅରବିନ୍ଦ କେଜରିୱାଲ ହେଉଛନ୍ତି ଏକମାତ୍ର ନେତା ଯାହାଙ୍କୁ ଭଗବାନ ଲୋକଙ୍କ କାମ କରିବାକୁ ଆଶୀର୍ବାଦ ଦେଇଛନ୍ତି ।
ରାଘବ ଆହୁରି ମଧ୍ୟ କହିଥିଲେ ଯେ, ଗୁଜୁରାଟରେ ବିଗତ ୨୭ ବର୍ଷରେ ଭାଜପାକୁ କଂଗ୍ରେସ ହରାଇ ପାରି ନ ଥିବା ବେଳେ ଏବେ ଅଧିକ କ’ଣ କରିବ । ଏହା ବହୁ ପୁରୁଣା ଦଳ ହୋଇଗଲାଣି । ସେଥିପାଇଁ ଲୋକେ କଂଗ୍ରେସରୁ ମୁହଁ ଫେରାଇ ନେଉଛନ୍ତି । ଭାଜପାର ୨୭ ବର୍ଷର ଶାସନ ଭିତରେ ଏବେ ଗୁଜରାଟରେ ପରିବର୍ତ୍ତନର ସମୟ ଆସିଛି । ଏବେ ଏଠାରେ ଅରବିନ୍ଦ କେଜରିୱାଲଙ୍କ ମଡେଲ ଚାଲିବ । ଯେଉଁଥିରେ ଗରିବରୁ ଅତି ଗରିବଙ୍କୁ ବିଶ୍ୱ ସ୍ତରର ଶିକ୍ଷା, ସ୍ୱାସ୍ଥ୍ୟ ସୁବିଧା, ଅପରେଶନ, ମାଗଣା ଔଷଧ, ମାଗଣା ବିଜୁଳି-ପାଣି, ମହିଳାଙ୍କୁ ଆର୍ଥିକ ସହାୟତା ଓ ଅନ୍ୟ ସୁବିଧା ମିଳିବ ।
ସୂଚନାଯୋଗ୍ୟ ଯେ, କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ ଅଶୋକ ଗେହଲଟ ପ୍ରତିଦ୍ବନ୍ଦିତା କରିବା ନେଇ ସ୍ଥିର ହୋଇଛି। ସେ ଦଳର ଅଧ୍ୟକ୍ଷ ହେଲେ ତାଙ୍କୁ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡ଼ିବ। ଏଭଳି ସ୍ଥିତିରେ ଦଳ ସଚିନ ପାଇଲଟଙ୍କୁ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କରିବାକୁ ଚାହୁଁଥିବା ବେଳେ ଏହାକୁ ବିରୋଧ କରି ଦଳର ୯୨ ସାଂସଦ ଗତକାଲି ବିଳମ୍ବିତ ରାତିରେ ଇସ୍ତଫା ଦେଇଛନ୍ତି।





