ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମଣିପୁର ପ୍ରସଙ୍ଗରେ ସଂସଦରେ ଅଚଳାବସ୍ଥା ଜାରି ରହିଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ବିବୃତ୍ତି ଦାବି କରି ବିରୋଧୀ ଗୃହ ଚଳାଇ ଦେଉନଥିବା ବେଳେ ଏବେ ବିରୋଧୀ ଦଳ ନେତାମାନେ ଲୋକସଭାରେ ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ନିଷ୍ପତ୍ତି ନେଇଛନ୍ତି। ଅନାସ୍ଥା ପ୍ରସ୍ତାବ ପ୍ରସ୍ତୁତ ହୋଇ ସାରିଛି ଏବଂ ଏ ବାବଦରେ ଆଜି ବୈଠକ କରି ଆଇଏନ୍ଡିଆଇଏ (ଇଣ୍ଡିଆ) ମେଣ୍ଟର ନେତାମାନେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି ସୂଚନା ଦେଇଛନ୍ତି ଲୋକସଭାରେ କଂଗ୍ରେସ ସଂସଦୀୟ ଦଳର ନେତା ଅଧୀର ରଂଜନ ଚୌଧରୀ।
କଂଗ୍ରେସ ଆଜି ଦଳର ସାଂସଦମାନଙ୍କୁ ବୁଧବାର ଲୋକସଭାରେ ଉପସ୍ଥିତ ରହିବାକୁ ହ୍ବିପ୍ ଜାରି କରିଛି। ପୂର୍ବାହ୍ନ ସାଢ଼େ ୧୦ଟାରେ କଂଗ୍ରେସ ସଂସଦୀୟ ଦଳ ବୈଠକ ହେବ ଏବଂ ଏହା ପୂର୍ବରୁ ରାଜ୍ୟସଭାରେ ବିରୋଧୀ ଦଳ ନେତା ମଳ୍ଲିକାର୍ଜୁନ ଖଡ଼ଗେଙ୍କ ଚାମ୍ବରରେ ଆଉ ଏକ ବୈଠକ ହେବ ବୋଲି ସୂଚନା ମିଳିଛି।
ସେପଟେ ସଂସଦରେ ଅଚଳାବସ୍ଥା ଦୂର ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ଉଭୟ ଲୋକସଭା ଓ ରାଜ୍ୟସଭାର ବିରୋଧୀ ଦଳ ନେତାମାନଙ୍କୁ ଚିଠି ଲେଖିଛନ୍ତି। ଶାହ କହିଛନ୍ତି, ମଣିପୁର ପ୍ରସଙ୍ଗରେ ବିସ୍ତୃତ ଆଲୋଚନା ପାଇଁ ସରକାର ପ୍ରସ୍ତୁତ ଥିବାରୁ ଏ ଦିଗରେ ସହଯୋଗର ବାତାବରଣ ସୃଷ୍ଟି କରିବା ଆବଶ୍ୟକ। ମଣିପୁର ପ୍ରସଙ୍ଗରେ ସରକାରଙ୍କ ନୀତି ସ୍ପଷ୍ଟ ଏବଂ ଏଥିରେ ଆମର କିଛି ଲୁଚାଇବାର ନାହିଁ ବୋଲି ଶାହ କହିଛନ୍ତି। ମଣିପୁର ପ୍ରସଙ୍ଗରେ ସେ ସମସ୍ତ ଦଳର ସହଯୋଗ ଲୋଡ଼ିବା ସହ ମୌସୁମୀ ଅଧିବେଶନକୁ ଫଳପ୍ରଦ କରିବା ପାଇଁ ବିରୋଧୀ ଦଳ ନେତାମାନଙ୍କୁ ଆହ୍ବାନ ଦେଇଛନ୍ତି। ଗୃହରେ ସ୍ବାଭାବିକ ସ୍ଥିତି ଫେରିଲେ ହି ଆଲୋଚନା ସମ୍ଭବ ବୋଲି ଶାହ କହିଛନ୍ତି।
ସୂଚନାଯୋଗ୍ୟ ଯେ, ଅନାସ୍ଥା ପ୍ରସ୍ତାବ ଲୋକସଭାରେ ହିଁ ଅଣାଯାଇଥାଏ। ସ୍ବାଧୀନତା ପରଠାରୁ ଏପର୍ଯ୍ୟନ୍ତ ଲୋକସଭାରେ ମୋଟ ୨୭ଟି ଅନାସ୍ଥା ଅଣାଯାଇଛି। ୧୯୬୩ ଅଗଷ୍ଟରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ୍ ନେହରୁଙ୍କ ବିରୋଧରେ ପ୍ରଜା ସୋସିଆଲିଷ୍ଟ ସାଂସଦ ଆଚାର୍ଯ୍ୟ କୃପାଳିନୀ ପ୍ରଥମ ଅନାସ୍ଥା ପ୍ରସ୍ତାବ ଆଣିଥିଲେ।





