ଭୁବନେଶ୍ୱର,୩/୩(ସତ୍ୟପାଠ ବ୍ୟୁରୋ): କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି କର୍ଣ୍ଣାଟକ ଗସ୍ତ ଅବସରରେ ବିଦରଠାରେ ଏକ ସାଧାରଣ ସଭାରେ କଂଗ୍ରେସକୁ ଜୋରଦାର ଟାର୍ଗେଟ କରିଛନ୍ତି। ଗତକାଲି ଆସିଥିବା ୩ ରାଜ୍ୟର ନିର୍ବାଚନୀ ଫଳାଫଳ ନେଇ ଶାହା କହିଛନ୍ତି ଯେ, ତ୍ରିପୁରା, ନାଗାଲାଣ୍ଡ ଏବଂ ମେଘାଳୟରେ ହାରିବା ପରେ କଂଗ୍ରେସ ଆଉ କେଉଁଠାରେ ଦେଖାଯିବ ନାହିଁ।
ସେମାନେ ଏଭଳି ହାରିଛନ୍ତି ଯେ, ଦୂରବୀକ୍ଷଣରେ ମଧ୍ୟ ସେମାନେ ଦେଖାଯିବେ ନାହିଁ। କଂଗ୍ରେସ ନାଗାଲାଣ୍ଡରେ ଖାତା ଖୋଲିବାରେ ଅସମର୍ଥ ହୋଇଥିବା ବେଳେ ମେଘାଳୟରେ ୩ ଟି ଏବଂ ତ୍ରିପୁରାରେ ମାତ୍ର ୪ ଟି ସିଟ୍ ପାଇଛି। ସେହିଭଳି ଆଗାମୀ ଦିନରେ କର୍ଣ୍ଣାଟକରେ ମଧ୍ୟ ଭାଜପା ସଂଖ୍ୟାଗରିଷ୍ଠତା ହାସଲ କରିବ ବୋଲି ସେ ଦାବି କରିଛନ୍ତି। ସେ ଆହୁରି କହିଛନ୍ତି ଯେ, ବିଜୟ ପାଇଁ କଂଗ୍ରେସ ପାଖରେ କୌଣସି ସୂତ୍ର ବାକି ନାହିଁ। ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଦିନକୁ ଦିନ କଂଗ୍ରେସର ସ୍ତର ହ୍ରାସ ପାଉଛି।
କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି କି ଉତ୍ତର ପୂର୍ବୋତ୍ତର ରାଜ୍ୟରେ ଗୋଟିଏ ସମୟରେ ବିଜେପିର ପ୍ରବେଶ ସମ୍ଭବ ହୋଇପାରୁ ନଥିବା ବେଳେ ଏବେ ଏନଡିଏ ସେଠାରେ ଦ୍ୱିତୀୟଥର ପାଇଁ ସରକାର ଗଠନ କରିବାକୁ ଯାଉଛି । ଶାହା କହିଛନ୍ତି କି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଯାଦୁ ଫଳରେ ଏବେ ବିଜେପି ଉତ୍ତର-ପୂର୍ବ ରାଜ୍ୟ ସହ ଗୁଜରାଟ, ଉତ୍ତର ପ୍ରଦେଶରୁ ଆରମ୍ଭ କରି କର୍ଣ୍ଣାଟକ ପର୍ଯ୍ୟନ୍ତ ନିଜର ବିଜୟ ଅଭିଯାନ ଜାରି ରଖିଛି ।





