(ସତ୍ଯପାଠ ବ୍ଯୁରୋ) ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପୂର୍ବରୁ ୧୨ ଜଣ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି। ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରୀ ରବି ଶଙ୍କର ପ୍ରସାଦ, ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ , ପ୍ରକାଶ ଜାଭଡେକର, ରମେଶ ପୋଖରିଆଲ ନିଶଙ୍କ ମନ୍ତ୍ରୀ ପଦ ଚାଲିଯିବା ପରେ ବିରୋଧୀ ଏବେ କଟାକ୍ଷ କରୁଛନ୍ତି। ରବି ଶଙ୍କର ପ୍ରସାଦଙ୍କ ଇସ୍ତଫା ପରେ କଂଗ୍ରେସ ନେତା ବି ଭି ଶ୍ରୀନିବାସ କଟାକ୍ଷ କରି କହିଛନ୍ତି, ‘ଟ୍ୱିଟର ଆଜି ଅନାଥ ହୋଇଯାଇଛି, ବର୍ତ୍ତମାନ ଜ୍ୟାକ୍ (ଜ୍ୟାକ୍ ଡୋର୍ସି – ଟ୍ୱିଟରର ସିଇଓ) ଙ୍କ ଇସ୍ତଫା କିଏ ଗ୍ରହଣ କରିବ?” ସୂଚନାଯୋଗ୍ୟ ଯେ କେନ୍ଦ୍ର ସରକାରଙ୍କ ନୂତନ ଆଇଟି ନିୟମକୁ ନେଇ ଟ୍ବିଟର ଏବଂ ସରକାରଙ୍କ ମଧ୍ୟରେ ତିକ୍ତତା ଚରମ ସୀମାରେ ପହଞ୍ଚିଥିଲା। କିଛି ଦିନ ପୂର୍ବେ କପିରାଇଟ୍ ଉଲ୍ଲଂଘନ କରିଥିବା ଅଭିଯୋଗରେ ଟ୍ୱିଟର ରବି ଶଙ୍କର ପ୍ରସାଦଙ୍କ ଆକାଉଣ୍ଟକୁ ଏକ ଘଣ୍ଟା ବ୍ଲକ୍ କରିଦେଇଥିଲା। ସେହିପରି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନଙ୍କ ଇସ୍ତଫା ନେଇ କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ ଟ୍ୱିଟ୍ କରି କହିଛନ୍ତି ଯେ ହର୍ଷବର୍ଦ୍ଧନଙ୍କୁ “ବଲି କା ବକରା” କରାଯାଇଛି । ସେ କହିଛନ୍ତି ଯେ ଉଚ୍ଚ ସ୍ତରରେ ଏକ ବଡ଼ ବିଫଳତା ପାଇଁ ଜଣେ ଭଲ ବ୍ୟକ୍ତିଙ୍କୁ କାଢି ଦିଆଯାଇଛି। ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ନେଇ ସମାଜବାଦୀ ପାର୍ଟି ନେତା ଆଇପି ସିଂ ଟୁଇଟ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନିଜେ ଇସ୍ତଫା ଦେବା ଉଚିତ୍ କିନ୍ତୁ ସେ ନିଜର ବିଫଳତାକୁ ଲୁଚାଇବା ପାଇଁ ଅନ୍ୟମାନଙ୍କ ଇସ୍ତଫା ନେଉଛନ୍ତି। ଇସ୍ତଫା ଦେଇଥିବା ମନ୍ତ୍ରୀ ମାନେ ହେଉଛନ୍ତି, ଡା ହର୍ଷବର୍ଦ୍ଧନ(ସ୍ୱାସ୍ଥ୍ୟମନ୍ତ୍ରୀ), ବାବୁଲ ସୁପ୍ରିଓ(ପରିବେଶ ରାଷ୍ଟ୍ରମନ୍ତ୍ରୀ), ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ( ଏମଏସ୍ଏମଇ ରାଷ୍ଟ୍ରମନ୍ତ୍ରୀ), ରମେଶ ପୋଖରିୟାଲ ନିଶଙ୍କ(ଶିକ୍ଷା ମନ୍ତ୍ରୀ), ସନ୍ତୋଷ ଗଙ୍ଗୱାର(ଶ୍ରମ ରାଷ୍ଟ୍ରମନ୍ତ୍ରୀ), ଥାୱରଚାନ୍ଦ ଗେହଲଟ(ସାମାଜିକ ନ୍ୟାୟ ମନ୍ତ୍ରୀ), ସଦାନନ୍ଦ ଗୌଡ଼ା(ସାର ଓ ରସାୟନ ମନ୍ତ୍ରୀ ), ସଞ୍ଜୟ ଧୋତ୍ରେ(ଶିକ୍ଷା ରାଷ୍ଟ୍ରମନ୍ତ୍ରୀ), ରାଓ ସାହେବ ଧାନଭେ ପାଟିଲ( ଖାଉଟି ବ୍ୟାପର ରାଷ୍ଟ୍ରମନ୍ତ୍ରୀ), ଦେବଶ୍ରୀ ଚୌଧୁରୀ(ଶିଶୁ ଓ ମହିଳା ବିକାଶ ରାଷ୍ଟ୍ରମନ୍ତ୍ରୀ), ରତନ ଲାଲ କଟାରିଆ(ଜଳ ଶକ୍ତି ରାଷ୍ଟ୍ରମନ୍ତ୍ରୀ), ଅଶ୍ୱିନୀ କୁମାର ଚୌବେ(ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ)।





