ଗୃହ କାର୍ଯ୍ୟର ଭିଡିଓ ରେକର୍ଡିଂ କରି ଫସିଲେ କଂଗ୍ରେସର ରାଜ୍ୟସଭା ସାଂସଦ, ବଜେଟ ଅଧିବେଶନରୁ ନିଲମ୍ବିତ କଲେ ଉପରାଷ୍ଟ୍ରପତି

ଭୁବନେଶ୍ୱର,୧୧/୨(ସତ୍ୟପାଠ ବ୍ୟୁରୋ): କଂଗ୍ରେସ ସାଂସଦ ରଜନୀ ପାଟିଲଙ୍କୁ ରାଜ୍ୟସଭାରେ ବଜେଟ ଅଧିବେଶନରୁ ନିଲମ୍ବିତ କରାଯାଇଛି ।ଗୃହରେ କାର୍ଯ୍ୟ ଜାରି ରହିଥିବା ବେଳେ ସେ ଭିଡିଓ ରେକର୍ଡିଂ କରି ଏହାକୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଗୃହରେ ଏଭଳି ବିଶୃଙ୍ଖଳା ତଥା ନିୟମ ଉଲ୍ଲଘଂନ କରିଥିବାରୁ ତାଙ୍କୁ ବଜେଟ ଅଧିବେଶନର ଶେଷ ବୈଠକରୁ ନିଲମ୍ବିତ କରାଯାଇଛି । ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ ଏନେଇ ଘୋଷଣା କରିଛନ୍ତି ।

ସେ କହିଛନ୍ତି ଯେ, “ପାଟିଲ ଗୃହରେ କାର୍ଯ୍ୟ ଜାରି ରହିଥିବା ବେଳେ ଏହାକୁ ନିଜ ମୋବାଇଲରେ ରେକର୍ଡିଂ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ଏହାକୁ ନିଜ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଏହା ଏକ ଗମ୍ଭୀର ମାମଲା ।” ତେବେ ଧନଖଡ଼ ଏହି ମାମଲା ନେଇ ବିରୋଧୀ ଦଳ ନେତା ତଥା କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଓ ଅନ୍ୟ ସଦସ୍ୟଙ୍କ ମତ ଶୁଣିବା ପରେ ଏହି ଘୋଷଣା କରିଛନ୍ତି । ଏହି ମାମଲାରେ ସଂସଦୀୟ ଅଧିକାର କମିଟିର ରିପୋର୍ଟ ଆସିବା ପର୍ଯ୍ୟନ୍ତ ସେ ଚାଲିଥିବା ବଜେଟ ଅଧିବେଶନରେ ସାମିଲ ହୋଇପାରିବେ ନାହିଁ ବୋଲି କହିଛନ୍ତି । ଏହି ଘୋଷଣା ପରେ କଂଗ୍ରେସର ଅନ୍ୟ ସଦସ୍ୟ ସଂସଦରୁ ୱାକଆଉଟ କରିଛନ୍ତି ।

ବାଚସ୍ପତି ଧନଖଡ଼ କହିଥିଲେ ଯେ, ସାଂସଦ ରଜନୀ ପାଟିଲ ସଂସଦର ମର୍ଯ୍ୟାଦାକୁ ଧ୍ୟାନରେ ରଖିନଥିଲେ । ଗୃହରେ କାର୍ଯ୍ୟ ଜାରି ରହିଥିବା ବେଳେ ଭିଡିଓ ରେକର୍ଡିଂ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଏଥିଲାଗି ଯାହା କରିବା ଆବଶ୍ୟକ, ସେ ତାହା କରୁଛନ୍ତି ଅର୍ଥାତ ଏନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ସାଂସଦଙ୍କ ଏପରି ଆଚରଣ ଅତ୍ୟନ୍ତ କଷ୍ଟଦାୟକ ବୋଲି କହିଛନ୍ତି ଧନଖଡ଼ । ସଂସଦରେ କାର୍ଯ୍ୟ ଜାରି ରହିଥିବା ବେଳେ ଏପରି କରିବା ନିୟମର ଉଲ୍ଲଘଂନ ବୋଲି ସେ କହିଥିଲେ ।

ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ଭିଡିଓଗ୍ରାଫି ନକରିବା ଲାଗି ଉପରାଷ୍ଟ୍ରପତି ବାରଣ କରିଥିଲେ । ଏପରି ଯେଉଁ ସାଂସଦ କରିବେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ କହିଥିଲେ । ପ୍ରଧାନମନ୍ତ୍ରୀ ମୋଦି ନିଜ ଅଭିଭାଷଣ ରଖୁଥିବା ବେଳେ ଭିଡିଓ ନକରିବାକୁ ବାରଣ କରିଥିଲେ ଧନଖଡ଼ । ଏହି ମାମଲାରେ ଗୃହର ସଦସ୍ୟଙ୍କ ମତ ଲୋଡ଼ିଥିଲେ ସେ । ଏହାପରେ ସାଂସଦଙ୍କୁ ସଂସଦରୁ ନିଲମ୍ବିତ କରାଯାଇଛି । ବଜେଟ ଅଧିବେଶନ ଶେଷ ପର୍ଯ୍ୟନ୍ତ ସାଂସଦ ଗୃହ କାର୍ଯ୍ୟରେ ଯୋଗଦାନ କରିପାରିବେ ନାହିଁ ।

Related Posts