ଗୋରଖପୁର(ସତ୍ୟପାଠ ବ୍ୟୁରୋ): ଆଉ ମାତ୍ର କିଛି ଦିନ ପରେ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏନେଇ ସମସ୍ତ ରାଜନୈତିକ ଦଳ ନିଜ ନିଜର ସ୍କିମ ନେଇ ଲୋକଙ୍କ ପାଖକୁ ଯାଉଥିବାର ମଧ୍ୟ ଦେଖିବାକୁ ମିଳିଛି । ଏହା ମଧ୍ୟରେ ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଯୁବକମାନଙ୍କ ପାଇଁ ଏକ ଯୋଜନା ଆରମ୍ଭ କରିଛନ୍ତି । ଯାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ନିର୍ବାଚନ ପାଇଁ କଂଗ୍ରେସ ନେତା ‘ୟୁଥ ମନିଫେଷ୍ଟ’ ଜାରି କରିଛନ୍ତି । ସେପଟେ ନିଯୁକ୍ତି ନିୟମ ବା ୟୁଥ ମନିଫେଷ୍ଟ ରିଲିଜ କରିବା ସହିତ ଉଭୟ ନେତା ବଡ଼ ବୟାନ ଦେଇଥିବାର ଦେଖିବାକୁ ମିଳିଛି । ଉତ୍ତରପ୍ରଦେଶର ଯୁବକମାନଙ୍କ ସହ କଥା ହେବା ପରେ ଏହା ପ୍ରସ୍ତୁତ କରାଯାଇଛି ବୋଲି ଉଭୟ ନେତା ସ୍ପଷ୍ଟ କରିଛନ୍ତି । କେବଳ ଏତିକି ନୁହେଁ ବରଂ ଏହି ଯୋଜନା ଫଳରେ ପ୍ରାଥମିକ ବିଦ୍ୟାଳୟରେ ୧.୫ ଲକ୍ଷ ଶିକ୍ଷକ ନିଯୁକ୍ତି ପାଇବେ । ଖାଲି ରହିଥିବା ୬ ହଜାର ଡାକ୍ତରୀ ପଦ ପୂରଣ ହେବ ।
୨୦ ହଜାର ଅଙ୍ଗନୱାଡି କର୍ମୀଙ୍କୁ ଭର୍ତ୍ତି କରାଯିବ । ଏହା ସହ ସଂସ୍କୃତ ଶିକ୍ଷକ, ଉର୍ଦ୍ଦୁ ଶିକ୍ଷକ ଓ ଆଶା ପଦବୀରେ ଥିବା ସମସ୍ତ ଖାଲି ପଦବୀ ପୂରଣ ହେବ ବୋଲି ପ୍ରିୟଙ୍କା ଗାନ୍ଧୀ ସ୍ପଷ୍ଟ କରିଛନ୍ତି । ଏପରିକି ସମସ୍ତ ପରୀକ୍ଷା ଫର୍ମ ଏବଂ ବସ ଓ ଟ୍ରେନ ଯାତ୍ରା ମାଗଣା କରାଯିବ ବୋଲି ପ୍ରିୟଙ୍କା ଗାନ୍ଧୀ ଗଣମାଧ୍ୟମ ନିକଟରେ ସ୍ପଷ୍ଟ କରିଛନ୍ତି । ରାଜ୍ୟର ଉନ୍ନତି କରିବା ପାଇଁ ଛାତ୍ରମାନଙ୍କୁ ଭଲ ଶିକ୍ଷା ଦେବା ଆବଶ୍ୟକ । ଶିକ୍ଷା ପାଇଁ ବଜେଟ୍ ତଳକୁ ଆସିଛି, ଆମେ ଏହାକୁ ବୃଦ୍ଧି କରିବୁ । ବିଶ୍ୱବିଦ୍ୟାଳୟରେ ମାଗଣା ୱାଇଫାଇ ସେବା ମଧ୍ୟ ପାଇପାରିବେ । କଲେଜମାନଙ୍କରେ ପ୍ଳେସମେଣ୍ଟ ସେଲ ହେବ । କ୍ରୀଡା ପାଇଁ ଏକାଡେମୀ ଖୋଲାଯିବ । ସ୍ଥାନୀୟ ସଂସ୍କୃତିକୁ ଉତ୍ସାହିତ କରାଯିବ । ଡ୍ରଗ୍ସ ଛାଡିବା ପାଇଁ କାଉନସେଲିଂ କ୍ୟାମ୍ପ ଆୟୋଜିତ ହେବ ବୋଲି ପ୍ରିୟଙ୍କା ଗାନ୍ଧୀ କହିଛନ୍ତି ।
ଅନ୍ୟପଟେ ୨୦୧୪ ମସିହାରେ ବିଜେପି ଯାହା ଦେଇଛି ତାହା ନଷ୍ଟ ହୋଇଯାଇଛି । ଏପରିକି ବିଜେପି ଠାରୁ ଲୋକମାନଙ୍କ ବିଶ୍ୱାସ ମଧ୍ୟ ଦିନକୁ ଦିନ ଉଠିବାରେ ଲାଗିଛି । ୨୫ ବର୍ଷ ମଧ୍ୟରେ ରାଜ୍ୟରେ କଣ ହୋଇଛି ତାହା ଯୁବକମାନେ ବେଶ ଭଲ ଭାବରେ ଜାଣିଛନ୍ତି । ଉତ୍ତରପ୍ରଦେଶ ଦେଶକୁ ସର୍ବାଧିକ ଚାକରି ଦେଉଥିଲା । ଏହା ସହ ପରୀକ୍ଷାର୍ଥୀମାନଙ୍କ ପାଇଁ ବସ, ଟ୍ରେନ ସେବା ସମ୍ପୂର୍ଣ୍ଣ ମାଗଣା ହେବାକୁ ଯାଉଛି ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି ।





