ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଲାଗି ରବିବାର ତାରିଖ ଘୋଷଣା ହୋଇଥିବାବେଳେ ଯଦି ଜଣେ ସଖୀ କଣ୍ଢେଇକୁ ଅଧକ୍ଷ ପଦରେ ବସାଇ ଦିଆଯାଏ, ତେବେ ଦଳ ଅଧିକ ଦିନ ତିଷ୍ଠିବ ନାହିଁ ବୋଲି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ପୃଥ୍ବୀରାଜ ଚୌହାନ ନିଜ ମନ୍ତବ୍ୟରେ କହିଛନ୍ତି। କେବଳ ଅଧକ୍ଷ ନୁହେଁ ସିଡବ୍ଲ୍ୟୁସି ସଦସ୍ୟଙ୍କ ସମେତ ସମସ୍ତ ପଦବୀ ଲାଗି ନିର୍ବାଚନ ହେବା ଆବଶ୍ୟକ ବୋଲି ଜି-୨୩ ଅସନ୍ତୁଷ୍ଟ ଗୋଷ୍ଠୀର ସଦସ୍ୟ ଚୌହାନ କହିଛନ୍ତି। ପଛଦ୍ୱାର ଦେଇ କଂଗ୍ରେସକୁ ପରିଚାଳନା କରିବା ଆଉ ଚଳିବ ନାହିଁ। ସର୍ବପୁରାତନ ଦଳକୁ ରକ୍ଷା କରିବାକୁ ହେଲେ ଜରୁରୀ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ବୋଲି ଚୌହାନ କହିଛନ୍ତି। ରାହୁଲ ଗାନ୍ଧୀ ଅଧ୍ୟକ୍ଷ ହେବାକୁ ଚାହୁଁ ନଥିବାବେଳେ ତାଙ୍କ ଉପରେ ଚାପ ନ ପକାଇ ବିକଳ୍ପ ବ୍ୟବସ୍ଥା କରାଯାଉ ଏବଂ ଭୋଟ ମାଧ୍ୟମରେ ନୂଆ ଅଧ୍ୟକ୍ଷ ନିର୍ବାଚନ କରାଯାଉ ବୋଲି ଅସନ୍ତୁଷ୍ଟ କଂଗ୍ରେସ ନେତା କହିଛନ୍ତି। ଅନ୍ୟପକ୍ଷରେ ରାହୁଲ ଗାନ୍ଧୀ ଖୁବ୍ ଶୀଘ୍ର ଦଳ ଅଧ୍ୟକ୍ଷ ହେବେ ବୋଲି ବରିଷ୍ଠ କଂଗ୍ରେସ ନେତା ହରିଶ ରାଓ୍ବତ୍ ନିଜ ପ୍ରତିକ୍ରିୟାରେ କହିଛନ୍ତି।
ସୂଚନାଯୋଗ୍ୟ ଯେ, କଂଗ୍ରେସର ଅନ୍ତରୀଣ ଅଧକ୍ଷା ସୋନିଆ ଗାନ୍ଧୀ ଙ୍କର କାର୍ଯ୍ୟକାଳ ଶେଷ ହେବାକୁ ଆସିଛି। ତେବେ ସ୍ଵାସ୍ଥ୍ୟଗତ ସମସ୍ୟା କାରଣରୁ ସେ ଆଉ ଦାୟିତ୍ବ ସମ୍ଭାଳିବାକୁ ଚାହୁଁ ନାହାନ୍ତି। ସେଥିପାଇଁ କଂଗ୍ରେସ ଦଳ ପକ୍ଷରୁ ଅଧକ୍ଷ ପଦ ପାଇଁ ନିର୍ବାଚନ ତାରିଖ ଗତକାଲି ଘୋଷଣା କରାଯାଇଛି। ତେବେ ଦଳର ବରିଷ୍ଠ ନେତା ମାନେ ରାହୁଲ ଗାନ୍ଧୀ ଙ୍କୁ ଅଧକ୍ଷ କରିବାକୁ ଚାହୁଁଥିବା ବେଳେ। ଜଣେ ନୂଆ ଚେହେରାକୁ ଦାୟିତ୍ବ ଦେବା ପାଇଁ କିଛି ଅସନ୍ତୁଷ୍ଟ ନେତା ଦାବି କରୁଛନ୍ତି।





