ଘୋଷଣା ହେଲା କଂଗ୍ରେସ କାର୍ଯ୍ୟକାରୀ କମିଟି: ନିର୍ବାଚନୀ ବର୍ଷରେ ସଚିନ ପାଇଲଟ, ଶଶି ଥରୁରଙ୍କ ସମେତ ଏହି ସବୁ ନେତାଙ୍କୁ ନେଇ କଂଗ୍ରେସର ନୂଆ ଟିମ୍

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଚଳିତବର୍ଷ ହେବାକୁ ଥିବା କିଛି ରାଜ୍ୟରେ ବିଧାନସଭା ନିର୍ବାଚନ ଓ ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ତାର ନୂଆ ଟିମ୍ ଘୋଷଣା କରିଛି । ଏନେଇ କଂଗ୍ରେସ ତରଫରୁ କାର୍ଯ୍ୟକାରୀ କମିଟି ତାଲିକା ପ୍ରକାଶ କରିଛି । ଏହି ତାଲିକାରେ ମୋଟ ୩୯ ଜଣ ନେତାଙ୍କୁ ସାମିଲ କରାଯାଇଛି ।

ମଲ୍ଲିକାର୍ଜୁନ ଖଡଗେ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେବାପରେ କଂଗ୍ରେସର ଏହି କାର୍ଯ୍ୟକାରୀ କମିଟିକୁ ଦୀର୍ଘଦିନ ହେବ ଅପେକ୍ଷା କରାଯାଇଥିଲା । ଏହା ବିଭିନ୍ନ ପ୍ରସଙ୍ଗରେ ନିଷ୍ପତ୍ତି ନେବାକୁ ଦଳର ଏକ ବଡ କମିଟି । ହେଲେ ପ୍ରକାଶ ପାଇଥିବା ତାଲିକାରୁ ଅନୁମାନ କରାଯାଉଛି କି ପୁରୁଣା କମିଟି ଓ ନୂଆ କମିଟି ମଧ୍ୟରେ ବିଶେଷ କିଛି ପରିବର୍ତ୍ତନ କରାଯାଇନାହିଁ ।

ହେଲେ ନିର୍ବାଚନୀ ବର୍ଷରେ ନୂଆ କମିଟିରେ ସଚିନ ପାଇଲଟ, ଶଶି ଥରୁର୍, ଅଶୋକ ଚୌହାନ, ଦୀପକ ବାବାରିଆଙ୍କୁ ପ୍ରଥମଥର ପାଇଁ ସ୍ଥାନ ମିଳିଛି । ଗୌରବ ଗୋଗଇ, ନାସିର ହୁସେନ, ଦୀପା ଦାସ ମୁନସୀଙ୍କୁ ବି କାର୍ଯ୍ୟକାରୀ କମିଟିରେ ସାମିଲ କରାଯାଇଛି । ବିଶେଷ ଆମନ୍ତ୍ରିତ ସଦସ୍ୟ ଭାବେ ପୱନ ଖେଡା, ସୁପ୍ରିୟା ଶ୍ରୀନେତ ଓ ଅଳକା ଲାମ୍ବାଙ୍କୁ ସାମିଲ କରାଯାଇଛି ।

ଏହି ଟିମରେ ମଲ୍ଲିକାର୍ଜୁନ ଖଡଗେଙ୍କ ପରେ ସୋନିଆ ଗାନ୍ଧୀ, ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ନାମ ରହିଛି । ଏହାପରେ ରାହୁଲ ଗାନ୍ଧୀ, ଅଧୀର ରଂଜନ ଚୌଧୁରୀ, ଏକେ ଆଣ୍ଟୋନୀ, ଅମ୍ବିକା ସୋନୀ, ମୀରା କୁମାର ଓ ଦିଗବିଜୟ ସିଂଙ୍କ ନାମ ମଧ୍ୟ ସାମିଲ କରାଯାଇଛି ।

Related Posts