ଭୁବନେଶ୍ୱର,୩/୩(ସତ୍ୟପାଠ ବ୍ୟୁରୋ): ମେଘାଳୟର ମୁଖ୍ୟମନ୍ତ୍ରୀ ଭାବେ କନରାଡ ସାଙ୍ଗମା ମାର୍ଚ୍ଚ ୭ ତାରିଖରେ ଶପଥ ଗ୍ରହଣ କରିପାରନ୍ତି। ଏହି ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଯୋଗ ଦେବେ ସୂଚନା ମିଳିଛି।
ବିଧାନସଭା ନିର୍ବାଚନରେ ୨୬ଟି ଆସନରେ ଜିତି ନ୍ୟାଶନାଲ ପିପୁଲ୍ସ ପାର୍ଟି (ଏନପିପି) ଏକକ ବୃହତ୍ତମ ଦଳ ଭାବରେ ଉଭା ହୋଇଛି। ତେବେ ଶୁକ୍ରବାର ନ୍ୟାଶନାଲ ପିପୁଲ୍ସ ପାର୍ଟିର ନେତା କନରାଡ ସାଙ୍ଗମାମେଘାଳୟର ରାଜ୍ୟପାଳ ଫଗୁ ଚେହାନଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିବା ସହିତ ନୂଆ ସରକାର ଗଠନ କରିବା ନିମନ୍ତେ ଦାବି ଉପସ୍ଥାପନ କରିଛନ୍ତି। ଏନପିପି ନେତା କନରାଡ ସଙ୍ଗ୍ମା ଦାବି କରିଛନ୍ତି ଯେ, ତାଙ୍କ ପ୍ରତି ୩୨ଜଣ ବିଧାୟକଙ୍କ ସମର୍ଥନ ରହିଛି। କିନ୍ତୁ, ତାଙ୍କୁ ସମର୍ଥନ କରୁଥିବା ଦଳଗୁଡ଼ିକର ନାଁ ଉଲ୍ଲେଖ କରିବା ଲାଗି ସେ ମନା କରି ଦେଇଛନ୍ତି। ଆଜି ରାଜ ଭବନକୁ ଯିବା ଆଗରୁ ସାମ୍ବାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଇ ସଙ୍ଗ୍ମା କହିଛନ୍ତି, ଆମେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିଛୁ। ‘ବିଜେପି’ ତା’ର ସମର୍ଥନ ଦେଇ ସାରିଛି। ଅନ୍ୟ କେତେକ ଦଳ ବି ସମର୍ଥନ କରୁଛନ୍ତି।
ସୂଚନାଯୋଗ୍ୟ ଯେ, ରାଜ୍ୟରେ ମୋଟ୍ ୬୦ଟି ଆସନରୁ ୫୯ ଆସନରେ ନିର୍ବାଚନ ହୋଇଥିଲା। ସେଥିରେ ଏନ୍ପିପି ୨୬ଟି ଆସନ, ଭାଜପା ୨ଟି, ୟୁଡିପି ୧୧ଟି ଆସନ ଜିତିଛି। ଏହା ବ୍ୟତୀତ କଂଗ୍ରେସ ଏବଂ ତୃଣମୂଳ କଂଗ୍ରେସକୁ ୫ଟି ଲେଖାଏ ଆସନ ପାଇଛନ୍ତି। ତେବେ ପୂର୍ବରୁ ରାଜ୍ୟରେ ଭାଜପା ଓ ଏନପିପି ମେଣ୍ଟ ସରକାର ଥିବାବେଳେ ଉଭୟ ଦଳ ଅଲଗା ଅଲଗା ନିର୍ବାଚନ ଲଢ଼ିଥିଲେ । ଏବେ ପୁଣି ଉଭୟ ଦଳ ମିଶି ସରକାର ଗଠନ କରିବେ ବୋଲି ସୂଚନା ମିଳିଛି ।





