‘ଭାରତର ଗଣତନ୍ତ୍ରକୁ ଭାଙ୍ଗିବାକୁ ହେଉଛି ଷଡଯନ୍ତ୍ର’; ଆମେରିକୀୟ ଅରବପତିଙ୍କ ଉପରେ ବର୍ଷିଲେ ସ୍ମୃତି ଇରାନୀ

ଭୁବନେଶ୍ୱର,୧୭/୨(ସତ୍ୟପାଠ ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିବା ଆମେରିକୀୟ କୋଟିପତି ଜର୍ଜ ସୋରୋସଙ୍କୁ ମହଙ୍ଗା ପଡ଼ିଛି। ତାଙ୍କ ଉପରେ ଜୋରଦାର ବର୍ଷିଛନ୍ତି କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ। କଂଗ୍ରେସ ମଧ୍ୟ ଜର୍ଜଙ୍କୁ ଟାର୍ଗେଟ କରିବାକୁ ପଛାଇ ନାହିଁ।ସ୍ମୃତି କହିଛନ୍ତି ଯେ, ବିଦେଶୀ ମାଟିରେ ରହି କିଛି ଖଳ ପ୍ରକୃତିର ଲୋକେ ଭାରତୀୟ ଗଣତାନ୍ତ୍ରିକ ଢାଞ୍ଚାକୁ ଭାଙ୍ଗିବାକୁ ଷଡଯନ୍ତ୍ର କରୁଛନ୍ତି। ଜର୍ଜ ସୋରୋସ ଭାରତର ଲୋକତନ୍ତ୍ରରେ ପ୍ରବେଶ କରିବାକୁ ଅପଚେଷ୍ଟା ଚଳାଇଛନ୍ତି। ଏବେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଟାର୍ଗେଟରେ ଅଛନ୍ତି। ଦେଶର ସମସ୍ତ ନାଗରିକ ଏହି ବିଦେଶୀ ଖଳ ପ୍ରକୃତି ଲୋକଙ୍କ ହୀନ ଉଦ୍ଦେଶ୍ୟର ଜବାବ ଦେବା ଉଚିତ ବୋଲି ସେ କହିଛନ୍ତି।

ତେବେ କିଛି ଦିନ ପୂର୍ବେ ଜର୍ଜ ସୋରୋସ ଅଦାନୀ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଥିଲେ। ସେ କହିଥିଲେ ଯେ, ମୋଦି ଏହି ପ୍ରସଙ୍ଗରେ କାହିଁକି ନୀରବ ଅଛନ୍ତି। ଏହି ପ୍ରସଙ୍ଗରେ ତାଙ୍କୁ ନିଜ ସଂସଦ ସମେତ ବିଦେଶୀ ନିବେଶକଙ୍କୁ ବି ଜବାବ ଦେବାକୁ ପଡ଼ିବ । ଭାରତର ସଂଘୀୟ ସରକାର ଉପରେ ଏହା ମୋଦିଙ୍କ ପ୍ରଭାବ କମାଇଦେବ । ଏହାଦ୍ୱାରା ଭାରତରେ ଏକ ଲୋକତାନ୍ତ୍ରିକ ପରିବର୍ତ୍ତନ ହେବ ବୋଲି ମୋର ବିଶ୍ୱାସ ରହିଛି।

ଏହାର ଜବାବରେ ସ୍ମୃତି କହିଛନ୍ତି ଯେ, ଇଂଲଣ୍ଡର ବ୍ୟାଙ୍କ ବ୍ୟବସ୍ଥା ଯେଉଁ ବ୍ୟକ୍ତି ପାଇଁ କ୍ଷତିଗ୍ରସ୍ତ ହୋଇଛି, ଯାହାକୁ ଆର୍ଥିକ ଯୁଦ୍ଧର ଅପରାଧୀ ଭାବେ ଅଭିହିତ କରାଯାଇଛି, ସିଏ ଭାରତର ଗଣତନ୍ତ୍ରକୁ ଭାଙ୍ଗିବାକୁ ଖୋଲାଖୋଲି ଚ୍ୟାଲେଞ୍ଜ ଦେଉଛି। ଭାରତ ମଧ୍ୟରେ ସେ ଏପରି ଏକ ବିଦେଶୀ ଶକ୍ତିକୁ ସଶକ୍ତ କରିବାକୁ ଚାହୁଁଛନ୍ତି ଯାହାକି ତାଙ୍କ ସ୍ୱାର୍ଥରେ ନିୟୋଜିତ ହେବ । ଏପରି ମନ୍ଦ ଉଦ୍ଦେଶ୍ୟ ରଖିଥିବା ବ୍ୟକ୍ତିଙ୍କ ଆଗରେ ଆମ ପ୍ରଧାନମନ୍ତ୍ରୀ କେବେ ବି ମୁଣ୍ଡ ନୁଆଁଇବେ ନାହିଁ । ପୂର୍ବରୁ ବି ଆମେ ବିଦେଶୀ ଶକ୍ତିକୁ ଧୂଳି ଚଟାଇଥିବା ବେଳେ ଭବିଷ୍ୟତରେ ବି ହରାଇବାରେ ସକ୍ଷମ ହେବୁ।

ଅନ୍ୟପଟେ, କଂଗ୍ରେସ ନେତା ଜୟରାମ ରମେଶ ମଧ୍ୟ ଏହି ଘଟଣାରେ ଜର୍ଜ ସୋରେସଙ୍କୁ ଟାର୍ଗେଟ କରିଛନ୍ତି, ଅଦାନୀ ଘୋଟାଲା ପ୍ରସଙ୍ଗ ପରେ ଭାରତର ଲୋକତନ୍ତ୍ରର ପୁନରୁଦ୍ଧାର ହେଉଛି ନା ନାହିଁ ଏହା ଆମ ଦେଶ ଭିତର କଥା । ଏହା ସହ ଜର୍ଜଙ୍କ ସହ କୌଣସି ସମ୍ପର୍କ ନାହିଁ। ସେ ଏହି ପ୍ରସଙ୍ଗରେ ଅଯଥା ମୁଣ୍ଡ ନ ପୂରାଇବା ଭଲ ବୋଲି ରମେଶ କହିଛନ୍ତି।

Related Posts