ରାଜ୍ୟସଭା ନିର୍ବାଚନରେ ସହଯୋଗ ଦରକାର ହେଲେ ମୋ ସହ ଯୋଗାଯୋଗ କର: ଓୱେସି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଜ୍ୟସଭା ନିର୍ବାଚନକୁ ଦୃଷ୍ଟିରେ ରଖି ସମସ୍ତ ରାଜନୈତିକ ଦଳମାନେ ଚଳଚଞ୍ଚଳ ହୋଇ ଉଠିଛନ୍ତି । କିଏ ନିଜର ବିଧାୟକମାନଙ୍କୁ ହୋଟେଲରେ ଲୁଚାଇ ରଖୁଛି ତ ଆଉ କିଏ ନିଜର ନେତାମାନଙ୍କ ସହ ବାରମ୍ବାର ବୈଠକ କରୁଛି । ସେପଟେ ନିର୍ବାଚନ ପୂର୍ବରୁ ଶିବସେନା, କଂଗ୍ରେସ ଏବଂ ଏନସିପି ଗଠବନ୍ଧନ ମହା ବିକାଶ ଆଘାଡି ପକ୍ଷରୁ ଆଜି ସନ୍ଧ୍ୟାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବାକୁ ଯାଉଛି । ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ଏନସିପି ମୁଖ୍ୟ ଶରଦ ପାୱାର, ରାଜ୍ୟ କଂଗ୍ରେସ ମୁଖ୍ୟ ନାନା ପାଟୋଲଙ୍କ ସହ ବହୁ ବରିଷ୍ଠ ନେତା ଯୋଗଦେବେ ବୋଲି ଆଶା କରାଯାଉଛି। ତେବେ ରାଜ୍ୟସଭା ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବାକୁ ଏହି ବୈଠକ ଡକାଯାଇଛି ବୋଲି ସୂଚନା ମିଳିଛି । ଏହା ମଧ୍ୟରେ ଏଆଇଏମଆଇଏମ୍ ମୁଖ୍ୟ ଅସଦୁଦ୍ଦିନ ଓୱେସିଙ୍କ ବଡ଼ ବୟାନ ସାମ୍ନାକୁ ଆସିଛି ।

ଯାହାକୁ ନେଇ ସାରା ଦେଶରେ ଚର୍ଚ୍ଚା ଜୋର ଧରିବାରେ ଲାଗିଛି । ତେବେ ଏପର୍ୟ୍ୟନ୍ତ ରାଜ୍ୟସଭା ନିର୍ବାଚନରେ ସମର୍ଥନ ପାଇଁ କେହି ତାଙ୍କ ନିକଟକୁ ଆସିନାହାଁନ୍ତି। ଯଦି ମହା ବିକାଶ ଆଘାଡି ତାଙ୍କ ଦଳର ସମର୍ଥନ ଆବଶ୍ୟକ କରେ, ସେମାନେ ମୋ ସହିତ ଯୋଗାଯୋଗ କରିପାରିବେ ବୋଲି କହିଛନ୍ତି । ଅନ୍ୟପଟେ ୨୮୮ ସଦସ୍ୟ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରେ ଏଆଇଏମଆଇଏମର ଦୁଇଜଣ ବିଧାୟକ ମଧ୍ୟ ଅଛନ୍ତି । ଏଭଳି ପରିସ୍ଥିତିରେ ଏହି ବିଧାୟକମାନେ ଜୁନ୍ ୧୦ରେ ହେବାକୁ ଥିବା ନିର୍ବାଚନରେ ନିର୍ଣ୍ଣାୟକ ଭୂମିକା ତୁଲାଇପାରନ୍ତି । ଓୱେସି କହିଛନ୍ତି ଯେ ଯଦି ମହା ବିକାଶ ଆଘାଡି ଆମର ସମର୍ଥନ ଆବଶ୍ୟକ କରେ ନାହିଁ, ତେବେ ଠିକ ଅଛି । କିନ୍ତୁ ଯଦି ସେମାନେ ଆମର ସମର୍ଥନ ଚାହୁଁଛନ୍ତି, ତେବେ ସେମାନେ ମୋ ପାଖକୁ ଆସିବା ଉଚିତ ବୋଲି ଓୱେସି କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts