ଭୁବନେଶ୍ୱର: ଗତ 2 ବର୍ଷ ହେଲା କୋଭିଡ୍ ମହାମାରୀ ପାଇଁ ବିଶେଷ ଭାବେ ପ୍ରଭାବିତ ହୋଇଛି ଶିକ୍ଷାବ୍ୟବସ୍ଥା । ଶିକ୍ଷାବ୍ୟବସ୍ଥାରେ ମେରୁଦଣ୍ଡ ଯେପରି ଭାଙ୍ଗି ଯାଇଛି । ସେପଟେ ମହାମାରୀ ପାଇଁ ଛାତ୍ରଛାତ୍ରୀମାନଙ୍କ ପାଠପଢ଼ାରେ ଯେଉଁ ବ୍ୟାଘାତ ସୃଷ୍ଟି ହୋଇଛି ତା’ର ଭରଣା କରିବା ପାଇଁ ବିଭିନ୍ନ ଶିକ୍ଷଣୀୟ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଖରାଛୁଟି ସମୟରେ ପ୍ରଥମରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ପାଇଁ ବିଭିନ୍ନ ଶିକ୍ଷଣୀୟ କାର୍ଯ୍ୟକ୍ରମ ସ୍କୁଲଗୁଡ଼ିକରେ ଆୟୋଜନ କରିବାକୁ ‘ମୋ ସ୍କୁଲ ଅଭିଯାନ’ର କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ନିଷ୍ପତ୍ତି ହୋଇଛି।
ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲଗୁଡ଼ିକର ବିକାଶ ପାଇଁ ସ୍କୁଲ ଓ ବ୍ଲକସ୍ତରରେ ‘ମୋ ସ୍କୁଲ’ ଦ୍ୱାରା ମନୋନୀତ ସ୍ୱତନ୍ତ୍ର ସେଚ୍ଛାସେବୀମାନେ କାର୍ଯ୍ୟ କରିବେ । ଭିତ୍ତିଭୂମି ବିକାଶ ସହ ପିଲାମାନଙ୍କ ବୌଦ୍ଧିକ ବିକାଶ ପାଇଁ ଏହି ସ୍ୱେଚ୍ଛାସେବୀମାନେ ସ୍ୱତନ୍ତ୍ର ଭାବେ ଗୁରୁତ୍ୱ ଦେବେ ।‘ମୋ ସ୍କୁଲ’ ପୁରାତନ ଛାତ୍ରଛାତ୍ରୀ ତଥା ମନୋନୀତ ସ୍ୱେଚ୍ଛାସେବୀମାନଙ୍କ ମାଧ୍ୟମରେ ବିଭିନ୍ନ କାର୍ଯ୍ୟକ୍ରମ କରିବ। ଏଥିପାଇଁ ସ୍କୁଲ ଓ ବ୍ଲକସ୍ତରରେ ସ୍ୱେଚ୍ଛାସେବୀମାନଙ୍କୁ ଦକ୍ଷତା ବିକାଶ ପାଇଁ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦିଆଯିବ। ମୋ’ ସ୍କୁଲ ଅଭିଯାନର ବରିଷ୍ଠ ଅଧିକାରୀମାନେ ୨୦ଟି ଜିଲ୍ଲା ଗସ୍ତ ୬୯ଟି ବ୍ଲକରେ ପୁରାତନ ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରି ଆଗାମୀ ଦିନରେ ‘ମୋ ସ୍କୁଲ’ ଦ୍ୱାରା ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମରେ ସ୍ୱେଚ୍ଛାକୃତ ଭାବେ କାର୍ଯ୍ୟ କରିବାକୁ ବ୍ଲକସ୍ତରରେ ପୁରାତନ ଛାତ୍ରଛାତ୍ରୀଙ୍କୁ ନିବେଦନ କରିଛନ୍ତି ।
‘ମୋ ସ୍କୁଲ’ କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ରାଜ୍ୟର ୨୭ଟି ଜିଲ୍ଲାକୁ ମୋଟ ୧୨୮.୩୨କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ମିଳିଛି । ଗତ ମାସକ ମଧ୍ୟରେ ୧୮ହଜାରରୁ ଊର୍ଦ୍ଧ୍ୱ ପୁରାତନ ଛାତ୍ରଛାତ୍ରୀ ‘ମୋ ସ୍କୁଲ ଅଭିଯାନ’ ସହ ଯୋଡ଼ି ହୋଇଛନ୍ତି । ସେମାନେ ନିଜ ନିଜ ସ୍କୁଲର ବିକାଶ ପାଇଁ ୬କୋଟି ୪୫ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ବିଭିନ୍ନ ସିଏସଆର ପାଣ୍ଠିରୁ ରାଜ୍ୟର ସରକାରୀ ସ୍କୁଲଗୁଡ଼ିକର ବିକାଶ ପାଇଁ ‘ମୋ ସ୍କୁଲ ଅଭିଯାନ’କୁ ୩୬.୨୪କୋଟି ଟଙ୍କାର ଅନୁଦାନ ଆସିଛି । ମୋ ସ୍କୁଲର ‘୧୦୦ ସ୍କୁଲ କାର୍ଯ୍ୟକ୍ରମ’ ମାଦ୍ୟମରେ ରାଜ୍ୟର ୧୦୦ଟି ହାଇସ୍କୁଲକୁ ଭିତ୍ତିଭୂମି ଓ ଶିକ୍ଷାଦାନ କ୍ଷେତ୍ରରେ ଉତ୍କର୍ଷ ବିଦ୍ୟାଳୟ ଭାବେ ବିକଶିତ କରିବାକୁ ତ୍ୱରିତ୍ ପଦକ୍ଷେପ ନିଆଯାଉଛି ।





