ଭୁବନେଶ୍ୱର,୬/୫(ସତ୍ୟପାଠ ବ୍ୟୁରୋ): ସମଗ୍ର ବିଶ୍ଵରେ ଗୋଟିଏ ସମୟରେ ହାହାକାର ସୃଷ୍ଟି କରିଥିବା ଏବଂ ଲକ୍ଷାଧିକ ଲୋକଙ୍କ ଜୀବନ ନେଇଥିବା କରୋନା ମହାମାରୀର ଶେଷ ଆଡ଼କୁ ଏବେ ସାରା ବିଶ୍ଵ ପାଦେ ଆଗେଇଛି। କରୋନା ବା କୋଭିଡ୍-୧୯ ଆଉ ବିଶ୍ବ ଜରୁରୀ ସ୍ବାସ୍ଥ୍ୟ ସମସ୍ୟାଭାବେ ପରିଗଣିତ ହେବନାହିଁ। ୩ବର୍ଷରୁ ଅଧିକ ଦିନ ବ୍ୟବଧାନ ପରେ ଏଥିରେ ପୂର୍ଣ୍ଣଛେଦ ପକାଇଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ହୁ)। ବିଶେଷଜ୍ଞ ଗ୍ରୁପ୍ ସହ ଆଲୋଚନା ପରେ ‘ହୁ’ ପକ୍ଷରୁ ଆଜି ଏ ସଂପର୍କରେ ଘୋଷଣା କରାଯାଇଛି।
ତେବେ ୨୦୧୯ ମସିହା ଶେଷ ବେଳକୁ ଚୀନ୍ରେ କରୋନା ସଂକ୍ରମଣ ଆରମ୍ଭ ହୋଇଥିଲା। ପରେ ଦ୍ରୁତ ଗତିରେ ଅନ୍ୟ ଦେଶମାନଙ୍କୁ ବ୍ୟାପିଥିଲା। ୨୦୨୦ ମସିହା ଜାନୁଆରି ୩୦ ତାରିଖରେ ‘ହୁ’ ଏହାକୁ ବିଶ୍ବ ଗୁରୁତର ସ୍ବାସ୍ଥ୍ୟ ସମସ୍ୟା ଓ ମାର୍ଚ୍ଚ ୧୧ରେ ମହାମାରୀ ବୋଲି ଘୋଷଣା କରିଥିଲା।
ବିଶ୍ବବ୍ୟାପୀ ୭୬୪ ମିଲିଅନ୍ ଲୋକ କରୋନାରେ ସଂକ୍ରମିତ ହୋଇଥିଲେ। ଏଥିରେ ୭ ମିଲିଅନ୍ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ। ଭାରତରେ ୪.୪ କୋଟିରୁ ଅଧିକ ଲୋକ ସଂକ୍ରମିତ ହୋଇଥିବା ବେଳେ ୫,୩୧,୬୪୨ଜଣ ଏଥିରେ ପ୍ରାଣ ହରାଇଥିବା ସରକାରୀଭାବେ କୁହାଯାଇଛି। ତେବେ ବିଶ୍ବରେ ଯେତିକି ସଂଖ୍ୟକ ଲୋକ କରୋନାରେ ଆକ୍ରାନ୍ତ ଓ ପ୍ରାଣ ହରାଇଥିବାର ରିପୋର୍ଟ ହୋଇଛି, ତା’ଠାରୁ ଯଥେଷ୍ଟ ଅଧିକ ସଂଖ୍ୟକ ଲୋକ ଏଥିରେ ପ୍ରାଣ ହରାଇଥିବା ବିଶେଷଜ୍ଞମାନଙ୍କ ଆକଳନ କରିଛନ୍ତି।
ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ମହାନିର୍ଦେଶକ ଟେଡ୍ରସ୍ ଆଧନମ ଘେବ୍ରିଏସସ୍ କହିଛନ୍ତି, କୋଭିଡ ଆଉ ଗୁରୁତର ସ୍ବାସ୍ଥ୍ୟ ସମସ୍ୟା ଭାବେ ପରିଗଣିତ ହେବନାହିଁ। ମାତ୍ର କୋଭିଡ୍ ଏବେ ଶେଷ ହୋଇନାହିଁ। ନୂଆ ପ୍ରଜାତିର ଭୟ ଏବେ ବି ରହିଛି। ଯଦି କୋଭିଡ୍ ପୁଣିଥରେ ଏଭଳି ସଂକଟ ଆଣେ ତାହାଲେ ବିଶେଷଜ୍ଞଙ୍କ ଦ୍ବାରା ଏହାର ପୁନଃ ମୂଲ୍ୟାଙ୍କନ କରାଯିବ। ବିଗତ ୧ବର୍ଷ ଧରି କୋଭିଡ ସଂକ୍ରମଣ ହ୍ରାସ ପାଇଛି। ବିଶ୍ବର ବହୁ ଦେଶରେ ସ୍ବାଭାବିକ ସ୍ଥିତି ଫେରି ଆସିଲାଣି। ମାତ୍ର କୋଭିଡ ସମସ୍ତଙ୍କୁ ବଦଳାଇ ଦେଇଛି। ଏହା ଯୋଗୁଁ ଲକ୍ଷାଧିକ ଲୋକ ଦାରିଦ୍ର୍ୟ ସୀମାରେଖା ତଳକୁ ପଳାଇଥିବା ସେ କହିଛନ୍ତି।
ସୂଚନାଯୋଗ୍ୟ ଯେ, ୨୦୨୦ ମସିହା ଜାନୁୟାରୀ ୨୦ ତାରିଖରେ ଭାରତରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲା। ସେହିପରି ମାର୍ଚ୍ଚ ୧୫ ତାରିଖରେ ଓଡ଼ିଶାରେ ପ୍ରଥମ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଥିଲା।





