ଭୁବନେଶ୍ୱର,୧୫/୨(ସତ୍ୟପାଠ ବ୍ୟୁରୋ): ଆସନ୍ତା ଫେବୃଆରୀ ୧୬ରେ ତ୍ରିପୁରା ବିଧାନସଭା ନିର୍ବାଚନ। ତେବେ ନିର୍ବାଚନ ପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ (ମାର୍କ୍ସବାଦୀ) ବା ସିପିଆଇଏମ ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ। ମଙ୍ଗଳବାର ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କୁ ଚିଠି ଲେଖି ଅମିତ ଶାହା ତ୍ରିପୁରା ବିଧାନସଭା ନିର୍ବାଚନରେ ପ୍ରଭାବ ପକାଇବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିଛନ୍ତି ସୀତାରାମ ୟେଚୁରୀ।
ୟେଚୁରୀ ତାଙ୍କ ଚିଠିରେ କହିଛନ୍ତି ଯେ, ଶାହା ନିର୍ବାଚନ ପ୍ରଚାର ପାଇଁ ଗତ ଫେବୃଆରୀ ୧୧ ତାରିଖରେ ତ୍ରିପୁରା ଗସ୍ତରେ ସମୟରେ ରାଜ୍ୟର ପୋଲିସ୍ ମହାନିର୍ଦ୍ଦେଶକ ଏବଂ ନିର୍ବାଚନ ବିଭାଗ ସମେତ ପୋଲିସ୍ ପ୍ରଶାସନର କିଛି ବରିଷ୍ଠ ଅଧିକାରୀଙ୍କ ସହ ଗୁପ୍ତରେ ବୈଠକ କରିଛନ୍ତି। ଏନେଇ କଂଗ୍ରେସ ସାଂସଦ ଗୌରବ ଗୋଗୋଇ ମଧ୍ୟ ଅଭିଯୋଗ ଆଣିଛନ୍ତି ବୋଲି ୟେଚୁରୀ କହିଛନ୍ତି ।
ନିଜ ଚିଠିରେ ସେ ଆହୁରି ଲେଖିଛନ୍ତି ଯେ, ନିର୍ବାଚନ ୩ ଦିନ ପୂର୍ବରୁ ଯେତେବେଳେ ସାଧାରଣ ଭୋଟର ଏକ ହିଂସାମୁକ୍ତ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଛନ୍ତି ସେ ସମୟରେ ଦେଶର ଗୃହମନ୍ତ୍ରୀ ନିର୍ବାଚନ ନିୟମକୁ ଉଲ୍ଲଂଘନ କରି ଏଭଳି ଗୁପ୍ତ ବୈଠକ କରୁଛନ୍ତି। ଯେକୌଣସି ଉପାୟରେ ନିର୍ବାଚନକୁ ନିୟନ୍ତ୍ରଣ କରିବା ପାଇଁ ଏହି ଗୁପ୍ତ ବୈଠକରେ ଅଧିକାରୀମାନଙ୍କୁ ନିର୍ଦେଶ ଦିଆଯାଇଥିବା ୟେଚୁରୀ କହିଛନ୍ତି।
ୟେଚୁରୀ ଏହି ଅଭିଯୋଗ କରିବା ସହିତ ଏହାର ଉଚ୍ଚ ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେବାକୁ ନିର୍ବାଚନ ଆୟୋଗଙ୍କୁ ଅନୁରୋଧ କରିଛନ୍ତି। ଏଥିସହ ବୈଠକ ସହ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ବାଚନ ପରିଚାଳନାରୁ ହଟାଇବା ସହିତ ତଦନ୍ତ ସମୟରେ ଯଦି ସେମାନଙ୍କ ବିରୁଦ୍ଧରେ କୌଣସି ଠୋସ ପ୍ରମାଣ ଆସେ ତେବେ ସେମାନଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବାକୁ ସେ ନିର୍ବାଚନ କମିଶନକୁ କହିଛନ୍ତି।
ସୂଚନାଯୋଗ୍ୟ ଯେ, ୨୦୧୮ ତ୍ରିପୁରା ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ୨୫ ବର୍ଷର ବାମପନ୍ଥୀ ସରକାରକୁ ଭାଙ୍ଗି ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିଥିଲା। ହେଲେ ଚଳିତ ଥର କଂଗ୍ରେସ ଏବଂ କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ (ମାର୍କ୍ସବାଦୀ) ତ୍ରିପୁରା ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ପାଇଁ ଏକ ମିଳିତ ମଞ୍ଚ ଗଠନ କରି ନିର୍ବାଚନ ଲଢୁଛନ୍ତି। ଆସନ୍ତା ଫେବୃଆରୀ ୧୬ରେ ତ୍ରିପୁରା ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାବେଳେ ଫଳାଫଳ ମାର୍ଚ୍ଚ ୨ରେ ଘୋଷଣା କରାଯିବ।





