ଏନସିପିରେ ଫାଟ: ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବିରୋଧୀ ଦଳ ନେତା ଅଜିତ ପାୱାର

ଭୁବନେଶ୍ୱର,୦୨/୦୭ (ସତ୍ୟପାଠ ବ୍ୟୁରୋ): ମହାରାଷ୍ଟ୍ର ରାଜନୀତିର ଚାଣକ୍ୟ କୁହାଯାଉଥିବା ଭେଟେରାନ ନେତା ଶରଦ ପାୱାରଙ୍କ ଦଳ ଏନସିପିରେ ଫାଟ ସୃଷ୍ଟି ହୋଇଛି । ଶରଦ ପାୱାରଙ୍କ ସମେତ କିଛି ନେତା ଓ ବିଧାୟକ ଏବେ ବି ଉଦ୍ଧବ ଠାକରେ ଓ କଂଗ୍ରେସ ସହ ରହିଛନ୍ତି। କିନ୍ତୁ କ୍ଷମତା ପାଇଁ ଶରଦଙ୍କ ପୁତୁରା ତଥା ମହାରାଷ୍ଟ୍ର ବିଧାନସଭାରେ ବିରୋଧୀ ଦଳ ନେତା ଥିବା ଅଜିତ ପାୱାର ଓ ପ୍ରାୟ ୯ ଜଣ ବିଧାୟକ ଆଜି ବିଧିବଦ୍ଧ ଭାବେ ଏକନାଥ ସିନ୍ଦେ ଓ ବିଜେପି ମିଳିତ ଭାବେ ମହାରାଷ୍ଟ୍ରରେ ଗଠନ କରିଥିବା ସରକାରଙ୍କୁ ସମର୍ଥନ ଘୋଷଣା କରିଛନ୍ତି।

ସମର୍ଥନ ଦେବା ମାତ୍ରେ ଅଜିତ ପାୱାର ରାଜଭବନରେ ପହଞ୍ଚି ରାଜ୍ୟପାଳଙ୍କୁ ଭେଟିଥିଲେ। ଏହାପରେ ସେହିଠାରେ ହିଁ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଅଜିତ ପାୱାର ମହାରାଷ୍ଟ୍ରର ନୂଆ ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ତାଙ୍କ ସହ ଆଉ ୯ ଜଣ ବିଧାୟକ ମଧ୍ୟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି | ଧରମରାଓ ଅତରମ, ସୁନୀଲ ବାଲସାଡେ, ଅଦିତି ତାଟକାରେ, ହାସନ ମୁଶରିଫ, ଚଗନ ଭୁଜବଳ, ଧନଞ୍ଜୟ ମୁଣ୍ଡେ, ଅନୀଲ ପାଟିଲ, ଦିଲୀପ ଭାଲସେ ପାଟିଲ ମଧ୍ୟ ମହାରାଷ୍ଟ୍ର ସରକାରରେ ମନ୍ତ୍ରୀ ହୋଇଛନ୍ତି।

ଅଜିତ ପାୱାରଙ୍କ ଶପଥ ପାଠ ପରେ ମହାରାଷ୍ଟ୍ରରେ ଦୁଇ ଜଣ ଉପ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ପୂର୍ବରୁ ବିଜେପି ନେତା ଦେବେନ୍ଦ୍ର ଫଡନାଭିସ ଉପ ମୁଖ୍ୟମନ୍ତ୍ରୀ ପଦରେ ଥିବା ବେଳେ ଆଜି ଅଜିତ ପାୱାର ଉପ ମୁଖ୍ୟମନ୍ତ୍ରୀ ହୋଇଛନ୍ତି।

ସୂଚନାଯୋଗ୍ୟ ଯେ, କିଛି ଦିନ ତଳେ ଅଜିତ ପାୱାର ବିରୋଧୀ ଦଳ ନେତା ପଦରେ ଆଉ ରହିବାକୁ ଇଚ୍ଛା ନାହିଁ ବୋଲି କହିଥିଲେ। ସେପଟେ ନିକଟରେ ଶରଦ ପାୱାର ଦଳର ଦୁଇଜଣ କାର୍ଯ୍ୟକାରି ସଭାପତି ନିଯୁକ୍ତ କରିଥିଲେ | ହେଲେ ଏଥିରେ ଅଜିତ ନଥିଲେ | ସେତେବେଳେ ଆକଳନ କରାଯାଉଥିଲା ଯେ ସେ ଓ ତାଙ୍କ ସହ ଥିବା ପ୍ରାୟ ୨୯ ଜଣ ବିଧାୟକ ମହାରାଷ୍ଟ୍ର ସରକାରଙ୍କୁ ସମର୍ଥନ କରିବେ। ଏବେ ଆକଳନ ସତ ହୋଇଛି ଅଜିତ ପାୱାର ମହାରାଷ୍ଟ୍ର ସରକାରରେ ସାମିଲ ହୋଇଛନ୍ତି। ଏହା ବଦଳରେ ତାଙ୍କୁ ଉପ ମୁଖ୍ୟମନ୍ତ୍ରୀ ପଦ ମଧ୍ୟ ମିଳିଛି।

Related Posts