ଉନ୍ନତମାନର ଚିକିତ୍ସା ପାଇଁ ଡେରାଡୁନରୁ ମୁମ୍ବାଇ ଏୟାରଲିଫ୍ଟ ହେଲେ କ୍ରିକେଟର ଋଷଭ ପନ୍ତ

ଭୁବନେଶ୍ୱର,୪/୧(ସତ୍ୟପାଠ ବ୍ୟୁରୋ): ଭାରତୀୟ କ୍ରିକେଟ ଦଳର ୱିକେଟ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତଙ୍କ କାର ଦୁର୍ଘଟଣା ଘଟଣା । ପନ୍ତଙ୍କୁ ଡେରାଡୁନ ମ୍ୟାକ୍ସ ହସ୍ପିଟାଲରୁ ମୁମ୍ବାଇ କୋକିଳାବେନ ଧୀରୁଭାଇ ଆମ୍ବାନୀ ହସ୍ପିଟାଲକୁ ଏୟାରଲିଫ୍ଟ କରାଯାଇଛି । ଲିଗାମେଣ୍ଟରେ ଉନ୍ନତମାନର ଚିକିତ୍ସା ପାଇଁ ତାଙ୍କୁ ଡେରାଡୁନରୁ ମୁମ୍ବାଇ ଏୟାର ଆମ୍ବୁଲାନ୍ସ ଯୋଗେ ଏୟାରଲିଫ୍ଟ କରାଯାଇଛି । ଏହି ଷ୍ଟାର କ୍ରିକେଟରଙ୍କର ଚିକିତ୍ସା ଦାୟିତ୍ବ ଏବେ ବିସିସିଆଇ ବହନ କରିବ । ଏନେଇ ଆଜି (ବୁଧବାର) ଡିଡିସିଏ ସୂଚନା ଦେଇଛି । ଦିଲ୍ଲୀ ଏବଂ ଜିଲ୍ଲା କ୍ରିକେଟ ସଂଘର ( ଡିଡିସିଏ ) ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, “ପନ୍ତଙ୍କ ସ୍ବାସ୍ଥ୍ୟାବସ୍ଥାର ଧ୍ୟାନ ଏବେ ବିସିସିଆଇ ନିଜ ହାତକୁ ନେଇଛି । ବିସିସିଆଇ ସମ୍ପାଦକ ଜୟଶାହା ତାଙ୍କର ସମସ୍ତ ଚିକିତ୍ସା ଉପରେ ଦୃଷ୍ଟି ଦେବେ । ଯଦି ଦରକାର ପଡେ ତାହେଲେ ଉନ୍ନତମାନର ଚିକିତ୍ସା ପାଇଁ ବିସିସିସିଆଇ ପନ୍ତଙ୍କୁ ଲଣ୍ଡନ ପଠାଇପାରେ।”

ଡିଡିସିଏ ନିର୍ଦ୍ଦେଶକ ଶ୍ୟାମ ଶର୍ମା କହିଛନ୍ତି ଯେ, ପନ୍ତଙ୍କ ଲିଗାମେଣ୍ଟରେ ଉନ୍ନତମାନର ଚିକିତ୍ସା ପାଇଁ ତାଙ୍କୁ ଡେରାଡୁନରୁ ମୁମ୍ବାଇ ଏୟାରଲିଫ୍ଟ କରାଯାଇଛି । ପନ୍ତଙ୍କ ପରିବାର ସହିତ ଏବାବଦରେ ଆଲୋଚନା କରାଯାଇଛି । ତାଙ୍କ ପରିବାରର ପନ୍ତଙ୍କ ଚିକିତ୍ସାରେ ସନ୍ତୁଷ୍ଟ ଅଛନ୍ତି । ଭାରତୀୟ କ୍ରିକେଟର ଋଷଭ ପନ୍ତଙ୍କର ଚିକିତ୍ସା ଦାୟିତ୍ବ ବିସିସିସିଆଇ ନିଜ ହାତକୁ ନେଇଛି । ସେପଟେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି କହିଛନ୍ତି ଯେ ପନ୍ତଙ୍କ ଚିକିତ୍ସା ପାଇଁ ସମସ୍ତ ସହାୟତା ପ୍ରଦାନ କରିବେ ।

ଟ୍ବିଟ କରି ଡିଡିସିଏ ସୂଚନା ଦେଇଛି ଯେ, ଆଜି ଭାରତୀୟ କ୍ରିକେଟର ଋଷବ ପନ୍ତଙ୍କୁ ଅଧିକ ଚିକିତ୍ସା ପାଇଁ ମୁମ୍ବାଇ ସ୍ଥାନାନ୍ତରଣ କରାଯିବା ନେଇ ଜିଲ୍ଲା କ୍ରିକେଟ ଆସୋସିଏସନ ଟ୍ବିଟ କରି ସୂଚନା ଦେଇଥିଲା । ୨୫ ବର୍ଷୀୟ ପନ୍ତଙ୍କ ହାତ, ଗୋଡ ଏବଂ ପିଠିରେ ଗଭୀର ଆଘାତ ଲାଗିଛି ।

ସୂଚନା ଅନୁସାରେ, ଦିଲ୍ଲୀରୁ ଋଷଭ ତାଙ୍କ ଘର ରୁର୍କିକୁ ବିଏମଡବ୍ଲ୍ୟୁ କାର ଧରି ଆସୁଥିବା ବେଳେ ଡିସେମ୍ବର ୩୦ ତାରିଖ ସକାଳ ସମୟରେ ଦୁର୍ଘଟଣାର ଶିକାର ହୋଇଥିଲେ । ରୁର୍କି ନାରାସନ ବୋର୍ଡରରେ ନିକଟରେ ଏକ ଡିଭାଇଡରରେ ପିଟି ହେବା ପରେ ତାଙ୍କ କାରରେ ନିଆଁ ଲାଗିଯାଇଥିଲା । କାରର କାଚ ଭାଙ୍ଗି ବାହାରକୁ ଆସିବା ପରେ ତାଙ୍କ କାରଟି ସମ୍ପୂର୍ଣ୍ଣ ଜଳିଯାଇଥିଲା । ସେହି ସମୟରେ ବସ ଚାଳକ ଓ କଣ୍ଡକ୍ଟର ତାଙ୍କୁ ଉଦ୍ଧାର କରିଥିଲେ । ଏହା ପରେ ଏବାବଦରେ ପୋଲିସକୁ ସୂଚନା ଦେଇଥିଲେ । ସଙ୍ଗେସଙ୍ଗେ ଆହତ ଅବସ୍ଥାରେ ପନ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତାଙ୍କ ଡାହାଣ ଆଣ୍ଠୁ ଓ ପିଠି ସମେତ ଶରୀରର ବିଭିନ୍ନ ଜାଗାରେ ଆଘାତ ଲାଗିଛି । ଏହା ସହିତ ତାଙ୍କ ମୁଣ୍ଡରେ ଦୁଇଟି ଷ୍ଟିଚ୍ ପଡିଛି ।

Related Posts