ସମ୍ବଲପୁରରେ କୋହଳ ହେଲା କର୍ଫ୍ୟୁ; ଆସନ୍ତାକାଲି ସକାଳ ୧୦ଟା ପର୍ଯ୍ୟନ୍ତ ବନ୍ଦ୍ ରହିବ ଇଣ୍ଟରନେଟ୍

ଭୁବନେଶ୍ୱର,୧୭/୪(ସତ୍ୟପାଠ ବ୍ୟୁରୋ): ସମ୍ବଲପୁରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟରେ ହିଂସାକାଣ୍ଡ ପରେ ଲାଗିଥିବା କର୍ଫ୍ୟୁ ଆଜି କୋହଳ ହୋଇଛି।ସହରରେ ସ୍ଥିତିରେ ସୁଧାର ଆସୁଥିବା ଦେଖି ଲାଗୁ ହୋଇଥିବା କର୍ଫ୍ୟୁକୁ ପୁଣି କୋହଳ କରିଛି ଜିଲ୍ଲା ପ୍ରଶାସନ। ସକାଳେ ଏବଂ ଅପରାହ୍ନରେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ପୂର୍ବରୁ ଯେଉଁ ୨ ଘଣ୍ଟିଆ କୋହଳ କରାଯାଇଥିଲା। ଏବେ ଏହି ସମୟ ଅବଧିକୁ ଆହୁରି ବଢ଼ାଇ ଦିଆଯାଇଛି। ସକାଳ ସାଢ଼େ ୭ରୁ ସାଢ଼େ ୧୧ ଏବଂ ଅପରାହ୍ନରେ ସାଢ଼େ ୩ଟାରୁ ସଂଧ୍ୟା ୬ଟା ଯାଏଁ କର୍ଫ୍ୟୁକୁ କୋହଳ କରାଯାଇଛି। ସାଧାରଣ ଲୋକଙ୍କ ଜୀବନଯାତ୍ରାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ

ସେପଟେ ସମ୍ବଲପୁର ହିଂସା ଘଟଣାରେ ଗିରଫଦାରୀ ସଂଖ୍ୟା ଆଉ ୬କୁ ବୃଦ୍ଧି ପାଇଛି । ୧୨ ତାରିଖ ପଥରମାଡ଼ ପାଇଁ ୩ ଗିରଫ ହୋଇଥିବା ବେଳେ ୧୪ରେ ଦୋକାନ ଭଙ୍ଗାରୁଜା ପାଇଁ ଆଉ ୩ ଗିରଫ ହୋଇଛନ୍ତି । ଏହି ୬ ଜଣ ଗିରଫଙ୍କୁ ମିଶାଇ ମୋଟ ଗିରଫଦାରୀ ସଂଖ୍ୟା ୮୫ରେ ପହଞ୍ଚିଥିବା ସୂଚନା ମିଳିଛି।

ସେପଟେ ସୁରକ୍ଷା ଦୃଷ୍ଟିରୁ ଜିଲ୍ଲାରେ ବନ୍ଦ ଥିବା ଇଣ୍ଟରନେଟ୍ ସେବା ଅବଧିକୁ ପୁଣି ବୃଦ୍ଧି କାରାଯାଇଛି। ପୂରା ଜିଲ୍ଲାରେ ଆହୁରି ୨୪ ଘଣ୍ଟା ଇଣ୍ଟରନେଟ୍ ସେବା ବନ୍ଦ କରିଛି ପ୍ରଶାସନ। ଆସନ୍ତାକାଲି ସକାଳ ୧୦ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍‌ ସେବା ବନ୍ଦ ରହିବା ନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।

ସୂଚନାଯୋଗ୍ୟ ଯେ, ୧୩ ତାରିଖରେ ପ୍ରଥମଥର ପାଇଁ ସମ୍ବଲପୁରରେ ୪୮ ଘଣ୍ଟା ପାଇଁ ଇଣ୍ଟରନେଟ୍ ସେବାକୁ ବନ୍ଦ କରି ଦିଆଯାଇଥିଲା। ପରେ ୧୫ ତାରିଖରେ ଏହାର ଅବଧି ପୁଣି ବୃଦ୍ଧି କରାଯାଇଥିଲା। ଆଜି ସକାଳ ୧୦ଟାରେ ଏହି ଅବଧି ସରୁଥିବାବେଳେ ସୋସିଆଲ ମିଡିଆ ଲର ଅପବ୍ୟବହାର ଆଶଙ୍କାରେ ପୁଣି ୨୪ ଘଣ୍ଟା ପାଇଁ ଏହାର ଅବଧିକୁ ବୃଦ୍ଧି କରାଯାଇଛି।

Related Posts