କଟକ: ଭିଜିଲାନ୍ସ ଜାଲରେ ଛନ୍ଦି ହେଲେ ଆଉ ଜଣେ ସରକାରୀ ବାବୁ | ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଟକ ଡ୍ରେନେଜ୍ ଡିଭିଜନ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଚଢ଼ାଉ କଲା ଭିଜିଲାନ୍ସ | ଅଧିକାରୀ ମନୋଜ ବେହେରା | ଆଜି ସକାଳୁ ସକାଳୁ ୪ ଡିଏସ୍ପି, ୮ ଇନ୍ସପେକ୍ଟରଙ୍କ ସମେତ ୪୦ ଭିଜିଲାନ୍ସ ଅଧିକାରୀ ଅତର୍କିତ ଭାବେ ମନୋଜଙ୍କ କଟକ ମହାନଦୀ ବିହାରସ୍ଥିତ ଦୁଇ ମହଲା ଘରେ ପଶି ଛାନଭିନ୍ ଚଳାଇଛନ୍ତି।
ଏଥିସହ କଟକ ଜିଲ୍ଲା ନେମାଳଠାରେ ଥିବା ମନୋଜଙ୍କ ପୈତୃକ ଘର, ଭୁବନେଶ୍ୱର ଉପକଣ୍ଠ ପାହାଳସ୍ଥିତ ଉତ୍କଳ ହାଇଟ୍ସରେ ତାଙ୍କ ପତ୍ନୀ ଦେବସ୍ମିତା ବେହେରାଙ୍କ ନାଁରେ ଥିବା ଆପାର୍ଟମେଣ୍ଟ, କଟକ ଗଣ୍ଡରପୁରସ୍ଥିତ ଅଫିସରେ ବି ଚଢ଼ାଉ କରିଛି ଭିଜିଲାନ୍ସ ଟିମ୍। ଏହାବାଦ ଭୁବନେଶ୍ୱର ଚନ୍ଦ୍ରଶେଖରପୁରରେ ମନୋଜଙ୍କର ୨ଟି ପ୍ଲଟ ଥିବା ଜଣାପଡ଼ିଛି।
ଚଢ଼ାଉ ଜୋରଦାର ହୋଇଥିବା ବେଳେ, ଚଢ଼ାଉ ସମୟରେ ମହାନଦୀ ବିହାରସ୍ଥିତ ଘରୁ ସୁନା, ଗହଣା, ଟଙ୍କା ତଥା ବିଭିନ୍ନ ବଣ୍ଡ ପେପର ଜବତ ହୋଇଛି | ଯାହାର ମୂଲ୍ୟ ଆକଳନ ଚାଲିଛି |





