ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): କଟକ ବଡଡାକ୍ତରଖାନା (ଏସସିବି)ର ଜରୁରିକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା (୬୯)ଙ୍କର ଗତ ରାତିରେ ପରଲୋକ ଘଟିଛି। ଡ଼ଡାକ୍ତରଖାନାର ସ୍ନାୟୁଶଲ୍ୟ ବିଭାଗରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି। କିଛିଦିନ ତଳେ ସେ ୨ୟ ଥର ମସ୍ତିଷ୍କଘାତର ଶିକାର ହୋଇ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଗଲା ୨୦ ତାରିଖ ଦିନ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଏସ୍ସିବି ଅଧୀକ୍ଷକ ତଥା ନ୍ୟୁରୋସର୍ଜରୀ ବିଭାଗର ବରିଷ୍ଠ ପ୍ରଫେସର ଡାକ୍ତର ସୁଧାଂଶୁ ଶେଖର ମିଶ୍ରଙ୍କ ତତ୍ତ୍ବାବଧାନରେ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା।
ତାଙ୍କ ଶେଷଶଯ୍ୟା ନିକଟରେ ପତ୍ନୀ ବିଶିଷ୍ଟ ଚକ୍ଷୁରୋଗ ବିଶେଷଜ୍ଞ ଡାକ୍ତର କିରଣବାଳା ଭଣ୍ଡାରି, ଝିଅ ଡାକ୍ତର ରୁବି ମହରଣା, ପୁଅ ରବି ମହାରଣାଙ୍କ ସମେତ ଏସ୍ସିବି ଡିନ୍ ତଥା ପ୍ରିନ୍ସିପାଲ ପ୍ରଫେସର ଡାକ୍ତର ପ୍ରସେନ୍ଜିତ୍ ମହାନ୍ତି, ଅଧୀକ୍ଷକ ପ୍ରଫେସର ଡାକ୍ତର ସୁଧାଂଶୁ ଶେଖର ମିଶ୍ର, ଅଧୀକ୍ଷକ ଡକ୍ଟର ଅବିନାଶ ରାଉତଙ୍କ ସମେତ ସମସ୍ତ ବିଭାଗର ବରିଷ୍ଠ ଡାକ୍ତର ଉପସ୍ଥିତ ଥିଲେ। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି। କଟକ ବାସେଳିସାହିରେ ୧୯୫୫ ଏପ୍ରିଲ ୨୬ ତାରିଖରେ ଭୁବନାନନ୍ଦ ଜନ୍ମଗ୍ରହଣ କରିଥିଲେ। ଏସ୍ସିବିରେ ଡାକ୍ତରୀ ଶିକ୍ଷା ଗ୍ରହଣ ସହ କାଜୁଆଲିଟି ମେଡିକାଲ ଅଫିସରଭାବେ କାର୍ଯ୍ୟକରୁଥିଲେ। ଅବସରଗ୍ରହଣ ପରେ ତାଙ୍କୁ ଏସ୍ସିବିରେ ଜରୁରିକାଳୀନ ଅଧିକାରୀ ଭାବେ ନିଯୁକ୍ତ କରାଯାଇଥିଲା।





