ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): କଟକ ସହରରେ ଡ୍ରେନରେ ପଡି ପୁଣି ଗଲା ଆଉ ଏକ ଜୀବନ | ବିଗତ କିଛି ମାସ ମଧ୍ୟରେ ଏହି ମୁକୁଳା ଡ୍ରେନରେ ପଡି ଏକାଧିକ ଲୋକଙ୍କର ଜୀବନ ଯାଇସାରିଛି। ପ୍ରଶାସନର ଅବହେଳା କାରଣରୁ ଜଣକ ପରେ ଜଣଙ୍କର ମୃତ୍ୟୁ ହେଉଛି। ଏହି କ୍ରମରେ ଆଜି ପୁଣି ବକ୍ସିବଜାର ଅଞ୍ଚଳରେ ଡ୍ରେନ୍ ନିକଟରେ ସଫେଇ କାମ କରୁଥିବା ବେଳେ ଖସିପଡ଼ିଯିବାରୁ ନରସିଂହା ରାଓ ନାମକ ଜଣେ ସଫେଇ କର୍ମଚାରୀଙ୍କ ମୃତ୍ୟୁ ହୋଇଛି।
ସୂଚନା ଅନୁସାରେ କଟକ ମହାନଗର ନିଗମ ଅନ୍ତର୍ଗତ ତଥା ଦରଘାବଜାର ଥାନା ଅଧୀନ ବକ୍ସିବଜାର ନିକଟ ବାରପଥର ଅଞ୍ଚଳରେ ଥିବା ବଡ଼ ମୁକୁଳା ଡ୍ରେନ୍ ପାର୍ଶ୍ବରେ ନରସିଂହ ସଫେଇ କରୁଥିଲେ। ସେ ଜାଇକା ପ୍ରକଳ୍ପ କାମରେ ନିୟୋଜିତ ଥିଲେ। ସଫେଇ କାମ କଲା ବେଳେ ଭୁଲବଶତଃ ତାଙ୍କର ଗୋଡ଼ ଖସିଯାଇଥିଲା। ଡ୍ରେନ୍କୁ ଖସି ପଡ଼ିଯିବା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ କଟକ ବଡ଼ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।
ତେବେ କଟକ ସହରରେ ବିଗତ କିଛି ମାସ ମଧ୍ୟରେ ଡ୍ରେନ୍ରେ ପଡ଼ି ୪ ଜଣଙ୍କର ମୃତ୍ୟୁ ହୋଇସାରିଛି। ଏଭଳି ଅଭାବନୀୟ ଘଟଣାକୁ କେନ୍ଦ୍ର କରି ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦାବିରେ ଉତ୍ତେଜିତ ଲୋକେ ବକ୍ସିବଜାର ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି। କଟକ ମହାନଗର ନିଗମର ଅବହେଳା ଯୋଗୁଁ ଏଭଳି ପରିସ୍ଥିତି ହେଉଛି ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରୁଛନ୍ତି। ଅନ୍ୟପଟରେ ଆଜିର ଘଟଣା ନେଇ ପ୍ରଶାସନିକ ଅଧିକାରୀଙ୍କର ପ୍ରତିକ୍ରିୟା ମିଳିପାରି ନାହିଁ।





