ଭୁବନେଶ୍ୱର,୧୫/୬(ସତ୍ୟପାଠ ବ୍ୟୁରୋ): ଅତି ଭୀଷଣ ସାମୁଦ୍ରିକ ବାତ୍ୟା ‘ବିପର୍ଯ୍ୟୟ’ ଆଉ କିଛି ଘଣ୍ଟା ପରେ ଗୁଜରାଟ ଉପକୂଳ ଛୁଇଁବ । ଏହା ଗୁଜରାଟର କଚ୍ଛ ଉପକୂଳରେ ଥିବା ଜାଖାଉ ବନ୍ଦର ନିକଟରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି ଓ ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୫୦ କିଲୋମିଟର ରହିବ ବୋଲି ଆକଳନ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ଗୁଜରାଟ ଉପକୂଳରୁ ପ୍ରାୟ ୧ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି । ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ଗୁରୁବାର ସଂଧ୍ୟାରେ ବାତ୍ୟାର ଲାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହେବ ଓ ଏହା ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ମିଳିଛି ।
ତେବେ ବାତ୍ୟା ବିପଦକୁ ଦୃଷ୍ଟିରେ ରଖି ଜାମନଗର ବିମାନବନ୍ଦର ଏକ ବଡ଼ ନିଷ୍ପତ୍ତି ନେଇଛି। ଯାତ୍ରୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏୟାରଲାଇନ୍ସ କମ୍ପାନୀ ଏହାର ସମସ୍ତ ବିମାନ ବାତିଲ କରିବାକୁ ନିଷ୍ପତ୍ତି ନେଇଛି । ଜାମନଗର ବିମାନବନ୍ଦର ନିର୍ଦ୍ଦେଶକ ଡିକେ ସିଂହ କହିଛନ୍ତି ଯେ ବିମାନବନ୍ଦର ପକ୍ଷରୁ ଆସନ୍ତା ଶୁକ୍ରବାର ପର୍ଯ୍ୟନ୍ତ ସବୁ ଫ୍ଲାଇଟକୁ ବାତିଲ କରାଯାଇଛି । ଏଥିପାଇଁ ନୋଟାମ ଜାରି କରାଯାଇଛି । ଏହାର ଅର୍ଥ ହେଉଛି ‘ନୋଟିସ୍ ଟୁ ଏୟାରମେନ୍’ । ବାହାରୁ ଆସୁଥିବା ବିମାନଗୁଡ଼ିକୁ ସତର୍କ କରିବାକୁ ଏପରି ସତର୍କତା ଜାରି କରାଯାଇଥାଏ । ଏହାସହିତ ଜରୁରୀକାଳୀନ ସ୍ଥିତିର ମୁକାବିଲା ପାଇଁ ବିମାନବନ୍ଦରରେ ଆବଶ୍ୟକ ମୁତାବକ ଡିଜେଲ ଓ ପେଟ୍ରୋଲ ଗଚ୍ଛିତ କରି ରଖାଯାଇଛି ବୋଲି ସେ କହିଛନ୍ତି।





