୧୮ ଦିନରେ ୧୩ ଶିଶୁଙ୍କ ମୃତ୍ୟୁ ଦୁର୍ଭାଗ୍ୟଜନକ, କୁପୋଷଣ ମୁକାବିଲାରେ ରାଜ୍ୟ ସରକାର ବିଫଳ: ମୋହନ ମାଝୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କୁପୋଷଣ ଓ ଶିଶୁ ମୃତ୍ୟୁକୁ ନେଇ ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ । କେନ୍ଦୁଝର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଶିଶୁ ମୃତ୍ୟୁ ପ୍ରସଙ୍ଗରେ ହାଇକୋର୍ଟର ଜଣେ ସିଟିଂ ଜର୍ଜଙ୍କ ଜରିଆରେ ତଦନ୍ତ କରଯାଉ ବୋଲି ଦାବି କରିଛନ୍ତି ମୋହନ। ସାମ୍ବାଦିକ ସମ୍ମିଳନୀ ଜରିଆରେ ସେ କହିଛନ୍ତି ଯେ, କେନ୍ଦୁଝର ଜିଲ୍ଲାରେ ଯେଉଁ ଭଳି ୧୮ ଦିନରେ ୧୩ ଜଣ ଶିଶୁ ମୃତ୍ୟୁବରଣ କଲେ ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ପୂର୍ବରୁ ଗତ ୨୨.୯.୨୦୨୧ ରେ ମୁଁ ଚିଠି ଲେଖିଥିଲି । ଯେଉଁଥିରେ କେନ୍ଦୁଝର ରେ ଅନେକ ଶିଶୁ କୁପୋଷଣର ଶିକାର ହେଉଥିବା ଦର୍ଶାଇଥିଲି । ଏହାର ଗୋଟେ ବର୍ଷ ବିତିଯାଇଥିଲେ ମଧ୍ୟ ଜିଲ୍ଲାପାଳ ତାହା ଉପରେ ପଦକ୍ଷେପ ନେଲେ ନାହିଁ । ଯେଉଁଥିପାଇଁ ଏବେ ଶିଶୁ ମାନେ ଅକାଳରେ ମୃତ୍ୟୁବରଣ କରୁଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ହସ୍ପିଟାଲ ଶିଶୁ ରୋଗ ବିଶେଷଜ୍ଞ ମାନଙ୍କର ଅଭାବ ରହିଛି । ପିଲା ମାନଙ୍କୁ ଉପଯୁକ୍ତ ଚିକିତ୍ସା ମିଳି ପାରୁ ନାହିଁ । ୧୮ ତାରିଖରେ ପିଲା ମାନଙ୍କୁ ମେଡ଼ିକାଲ ଆଣିବା ବେଳେ ଡାକ୍ତର ଖାନା ରେ କେହି ଡାକ୍ତର ନଥିଲେ । ସମସ୍ତେ ଛୁଟି ରେ ଥିଲେ । ଡାକ୍ତର ନଥିବା କାରଣ ରୁ ମାତ୍ର ୧୮ ଦିନରେ ୧୩ ଜଣ ଶିଶୁଙ୍କର ମୃତ୍ୟୁ ହୋଇଛି । ଏହା କେବଳ କେନ୍ଦୁଝର ଜିଲ୍ଲା ନୁହେଁ ସମଗ୍ର ଓଡ଼ିଶାରେ ଏପରି ସ୍ଥିତି ସୃଷ୍ଟି ହୋଇଛି । ସବୁଠି କୁପୋଷଣ ର ଚିତ୍ର ଦେଖିବାକୁ ମିଳୁଛି ।

ରାଜ୍ୟ ସରକାରଙ୍କ ତଥ୍ୟାନୁଯାୟୀ ରାଜ୍ୟର ୫୫୨୫ଟି ଅପହଂଚ ଗାଁ ରହିଛି । ସେଥି ମଧ୍ୟରୁ କେନ୍ଦୁଝରରେ ୧୪୧, ଅନୁଗୁଳରେ ୧୦୮, ମୟୁରଭଂଜରେ ୧୪୫, ରାୟଗଡାରେ ୩୦୫, କଳାହାଣ୍ଡିରେ ୨୭୦, ଗଜପତିରେ ୧୬୦, ଜଗତସିଂହପୁରରେ ୨୧୧, କନ୍ଧମାଳରେ ୧୨୬, ମାଲକାନଗିରିରେ ୧୫୦, ନବରଙ୍ଗପୁରରେ ୧୮୮ଟି ଗାଁ ଅପହଂଚ ରହିଛି । ଖଣିଜ ସଂପଦ ପରିପୂର୍ଣ୍ଣ ଜିଲ୍ଲାମାନଙ୍କ ବିକାଶ ପାଇଁ ସ୍ୱତନ୍ତ୍ର ଡିଏମ୍‌ଏଫ୍ ପାଂଠି ଗଠନ କରାଯାଇଛି । କେବଳ କେନ୍ଦୁଝର ଜିଲ୍ଲାରେ ୨୬ ପ୍ରତିଶତ ଲୁହାଖଣି ଥିବାବେଳେ ଜିଲ୍ଲାର ବିକାଶ ପାଇଁ ୮୫୮୩ କୋଟି ଟଙ୍କାର ଡିଏମ୍‌ଏଫ୍ ପାଂଠି ରହିଛି ।

ଜିଲ୍ଲାରେ ବ୍ୟାପକ ପରିମାଣର ଅର୍ଥ ଥିବା ସତ୍ୱେ ଜିଲ୍ଲାର ବିକାଶ ତ ଦୂରର କଥା କୁପୋଷଣର ଶିକାର ହୋଇ ଶିଶୁ ମୃତ୍ୟୁ ହେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଦୁର୍ନୀତିଖୋର ରାଜ୍ୟ ସରକାରଙ୍କ ଅପାରଗତାକୁ ସ୍ପଷ୍ଟ କରୁଛି ବୋଲି ଶ୍ରୀ ମାଝୀ କହିଛନ୍ତି । କେନ୍ଦୁଝର ଶିଶୁ ମୃତ୍ୟୁ ଘଟଣାର ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ସହିତ ଘଟଣାର ତଦନ୍ତ ହାଇକୋର୍ଟର ଜଣେ ସିଟିଂ ଜଜ୍‌ଙ୍କ ଜରିଆରେ କରାଯିବା ପାଇଁ ଶ୍ରୀ ମାଝୀ ଦାବି କରିଛନ୍ତି । ନଚେତ୍ ଆଗାମୀ ଦିନରେ ରାଜରାସ୍ତାରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଶ୍ରୀ ମାଝୀ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀ ଅବସରରେ ରାଜ୍ୟ ଉପସଭାନେତ୍ରୀ ଅନିତା ଶୁଭଦର୍ଶନୀ ପଟ୍ଟନାୟକ, ରାଜ୍ୟ ମୁଖପାତ୍ର ଠାକୁର ରଞ୍ଜିତ ଦାସ ଏବଂ ରାଜ୍ୟ ଗଣମାଧ୍ୟମ ସହମୁଖ୍ୟ ସୁଜିତ୍ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ।

Related Posts