ଭୁବନେଶ୍ୱର,୨୬/୪(ସତ୍ୟପାଠ ବ୍ୟୁରୋ): ଶିରୋମଣୀ ଅକାଳୀ ଦଳ ପ୍ରତିଷ୍ଠାତା ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂ ବାଦଲଙ୍କ ପରଲୋକ ହୋଇଛି। ତାଙ୍କ ଦେହାନ୍ତରେ କେନ୍ଦ୍ର ସରକାର ଦୁଇ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି ।ଗତକାଲି (ମଙ୍ଗଳବାର) ମୋହାଲିର ଏକ ଘରୋଇ ହସ୍ପିଟାଲର ସେ ଚିକିତ୍ସାଧୀନ ଅବସ୍ଥାରେ ୯୫ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ବିୟୋଗ ଖବର ପ୍ରସାରିତ ହେବା ପରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ବହୁ ଗୁରୁତ୍ବପୂର୍ଣ୍ଣ ବ୍ୟକ୍ତିବିଶେଷ ଶୋକ ପ୍ରକାଶ କରିବା ସହ ଦିବଙ୍ଗତ ଆତ୍ମାର ସଦଗତି କାମନା କରିଥିଲେ ।
ଗତକାଲି(ମଙ୍ଗଳବାର) ବିଳମ୍ବିତ ସଂଧ୍ୟାରେ ୯୫ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ଗତ କିଛି ମାସ ହେବ ସେ ବାର୍ଦ୍ଧକ୍ୟଜନିତ ଅସୁସ୍ଥତା କାରଣରୁ ଚିକିତ୍ସାଧୀନ ଥିଲେ । ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଯିବା ପରେ ତାଙ୍କୁ ମୋହାଲିର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ନିକଟରେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଅତି ସଙ୍କଟାପନ୍ନ ହେବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ଗତ ମଙ୍ଗଳବାର ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ତାଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ବିଶେଷ ଶୋକ ପ୍ରକାଶ କରିଛନ୍ତି ।
ପୂର୍ବରୁ ସେ ଅସୁସ୍ଥ ଥିବା ସମୟରେ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ତାଙ୍କ ଆଶୁଆରୋଗ୍ୟ କାମନା କରିଥିଲେ । ପ୍ରଧାନମନ୍ତ୍ରୀ ମୋଦି ନିଜେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଓ ଚିକିତ୍ସା ସମ୍ପର୍କରେ ତଦାରଖ କରିଥିଲେ । ଶିରୋମଣୀ ଅକାଳି ଦଳର ପ୍ରତିଷ୍ଠାତା ବାଦଲ ପଞ୍ଜାବ ରାଜନୀତିର ଜଣେ ଭେଟେରାନ ଚେହେରା ଥିଲେ । ସେ ୫ ଥର ମୁଖ୍ୟମନ୍ତ୍ରୀ ମଧ୍ୟ ହୋଇଥିଲେ । ତାଙ୍କ ବିୟୋଗ ଖବର ପାଇ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ତାଙ୍କ ବାସଭବନରେ ପହଞ୍ଚି ପରିବାର ସଦସ୍ୟଙ୍କୁ ସାନ୍ତ୍ବନା ଦେଇଛନ୍ତି । ଆସନ୍ତାକାଲି( ୨୭ ଏପ୍ରିଲ) ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ । ଏହାସହ ପଞ୍ଜାବରେ ଦିନିକିଆ ଛୁଟି ଘୋଷଣା କରାଯାଇଛି । ଦୋକାନ ବଜାର, ସମସ୍ତ କାର୍ଯ୍ୟାଳୟ ପ୍ରମୁଖ ବନ୍ଦ ରହିବ ।
ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଦେହାନ୍ତରେ ଏକାଧିକ ଟ୍ବିଟ କରି ଶୋକ ପ୍ରକାଶ କରିବା ସହ ଦିବଙ୍ଗତ ଆତ୍ମାର ସଦଗତି କାମନା କରିଛନ୍ତି । ସେ ତାଙ୍କ ରାଜନୈତିକ ଜୀବନରେ ବାଦଲଙ୍କ ଠାରୁ ବେଶ କିଛି ଶିକ୍ଷା ଲାଭ କରିବାର ଅବସର ପାଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି । ସେହିପରି ପ୍ରଧାନମନ୍ତ୍ରୀ ବାଦଲକଙ୍କ ସହ ସାକ୍ଷାତର ଏକାଧିକ ଫଟୋ ମଧ୍ୟ ଟ୍ବିଟ କରିଛନ୍ତି ।





