ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ

ଭୁବନେଶ୍ୱର,୨୫/୪(ସତ୍ୟପାଠ ବ୍ୟୁରୋ): ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ମିଳିଛି ହତ୍ୟା ଧମକ । ଟୋଲ୍-ଫ୍ରୀ ନମ୍ବର ୧୧୨କୁ କଲ କରି ଯୋଗୀଙ୍କୁ ଦୁର୍ବୃତ୍ତ ଦେଇଛନ୍ତି ଜୀବନରୁ ମାରି ଦେବାର ଧମକ । ୟୁପି ପୁଲିସ୍‌ ଏ ନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ୟୁପି ଏସଟିଏଫ ସମେତ ଅନ୍ୟ ଏଜେନ୍ସିମାନେ ମଧ୍ୟ ଏହି ଘଟଣାର ଖୋଳତାଡ଼ ଆରମ୍ଭ କରିଛନ୍ତି ।

ଏନେଇ ରୁଜୁ ହୋଇଥିବା ମାମଲା ଅନୁଯାୟୀ, ଏହା lବାଦ୍ ଗତ ୨୩ ତାରିଖ ରାତି ୮ଟା ୨୨ ମିନିଟ୍‌ରେ ୟୁପି -୧୧୨ ମୁଖ୍ୟାଳୟର ସୋଶାଲ ମିଡିଆ ହ୍ୱାଟ୍ସ ଆପ୍‌ ଡେସ୍କକୁ ଧମକପୂର୍ଣ୍ଣ ମେସେଜ ଆସିଥିଲା। ଉକ୍ତ ମେସେଜରେ ‘ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଖୁବ୍‌ ଶୀଘ୍ର ହତ୍ୟା କରିବି’ ବୋଲି ଲେଖାଥିଲା। ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ ମିଳିବା ପରେ ରାଜ୍ୟର ସବୁ ଯାଞ୍ଚ ଏଜେନ୍ସି ଆଲର୍ଟ ହୋଇ ଯାଇଛନ୍ତି । ଟେକ୍ନିକାଲ ଟିମ ସହାୟତାରେ ଏହି ମାମଲାର ତଦନ୍ତ ଆରମ୍ଭ ହୋଇଛି।

ସେହିପରି ଗତ ଏପ୍ରିଲ ୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଇ-ମେଲ ଯୋଗେ ମିଳିଥିବା ହତ୍ୟା ଧମକ ଘଟଣାରେ ପୁଲିସ୍‌ ବିହାରର ଜଣେ ନାବାଳକଙ୍କୁ ବାନ୍ଧିଥିଲା। ପୁଲିସ୍‌ ତାକୁ ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌର ଚିନହାଟ ଅଞ୍ଚଳରୁ ଧରିଥିଲା।

ତେବେ ଗତ ବର୍ଷ ଏପ୍ରିଲ ମାସରେ ବି ଯୋଗୀଙ୍କୁ ହତ୍ୟା ଧମକ ମିଳିଥିଲା। ଏହାର ତଦନ୍ତ କରି ଲକ୍ଷ୍ନୌ ସାଇବର ସେଲ୍‌ ରାଜସ୍ଥାନର ଜଣେ ଯୁବକଙ୍କୁ ଗିରଫ କରିଥିଲା। ଉକ୍ତ ଯୁବକଜଣକ ମଧ୍ୟ ୧୧୨ର ହ୍ୱାଟ୍ସଆପ୍‌ ଡେସ୍କକୁ ଧମକପୂର୍ଣ୍ଣ ମେସେଜ ଦେଇ ବନ୍ଧା ହୋଇଥିଲେ।

ଏହା ପୂର୍ବରୁ ଲକ୍ଷ୍ନୌ ବାସିନ୍ଦା ଦେବେନ୍ଦ୍ର ତିୱାରୀ ନାମକ ଯୁବକଙ୍କ ଘରେ ଥିବା ଏକ ବ୍ୟାଗ୍‌ରୁ ଏକ ଧମକପୂର୍ଣ୍ଣ ଚିଠି ମିଳିଥିଲା। ଅନ୍ୟମାନଙ୍କ ବେକ କାଟିଛି, ହେଲେ ଯୋଗୀ ଓ ଦେବେନ୍ଦ୍ରଙ୍କୁ ବୋମା ପକାଇ ଉଡ଼ାଇ ଦେବି ବୋଲି ଉକ୍ତ ଚିଠିରେ ସ୍ପଷ୍ଟ ଭାବେ ଲେଖାଥିଲା।

ତେବେ ୧୧୨ ଉତ୍ତରପ୍ରଦେଶ ସରକାରଙ୍କ ଦ୍ଵାରା ଏକ ଟୋଲ-ଫ୍ରି ନମ୍ବର୍ ଅଟେ। ଏହାକୁ ଅପତ୍ତକାଳୀନ ସ୍ଥିତିରେ ଜନସାଧାରଣ ପୋଲିସ ସହ ଯୋଗାଯୋଗ କରିବାକୁ ଜାରି କରାଯାଇଛି। ସେପଟେ ନିକଟରେ ୟୁପିରେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ଅତିକ୍ ଅହମ୍ମଦ ଓ ତାର ଭାଇ ର ହତ୍ୟା ପରେ ସମଗ୍ର ଉତ୍ତରପ୍ରଦେଶ ହାଇ ଆଲର୍ଟରେ ଥିବାବେଳେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଙ୍କୁ ଏବେ ହତ୍ୟା ଧମକ ମିଳିବା ୟୁପି ପୋଲିସର ମୁଣ୍ଡ ବିନ୍ଧା ବଢ଼ାଇଛି।

Related Posts