ଭୁବନେଶ୍ୱର,୨୬/୪(ସତ୍ୟପାଠ ବ୍ୟୁରୋ): କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର ଗୁଜୁରାଟର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ମାନହାନୀ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଦଣ୍ଡାଦେଶ ଉପରେ ରୋକ୍ ଲଗାଇବାକୁ ହାଇକୋର୍ଟରେ ଆବେଦନ କରିଛନ୍ତି। ଏହାପୂର୍ବରୁ ରାହୁଲ ଗାନ୍ଧୀ ସୁରଟର ତଳ କୋର୍ଟର ରାୟକୁ ଚ୍ଯାଲେଞ୍ଜ କରି ସୁରଟର ସେସନ୍ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଯେଉଁଠି ତାଙ୍କ ଆବେଦନ ଖାରଜ ହୋଇଥିଲା।
ତେବେ ଗତ ୨୦୧୯ରେ ଲୋକସଭା ନିର୍ବାଚନ ସମୟରେ ରାହୁଲ ଗାନ୍ଧୀ ମୋଦୀ ଉପନାମ ବା ସରନେମ୍ ସମ୍ପର୍କରେ ଏକ ରାଲିରେ ଭାଷଣ ଦେଇଥିଲେ। ଏହି ସମୟ ମଧ୍ୟରେ ରାହୁଲ ଗାନ୍ଧୀ କହିଥିଲେ, ‘ସମସ୍ତ ମୋଦୀ ଚୋର କାହିଁକି?’। ଏହାପରେ ଗୁଜରାଟର ଜଣେ ବିଜେପି ବିଧାୟକ ଏହି ବିବୃତ୍ତିରେ ରାହୁଲଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କରିଥିଲେ।
ଗୁଜୁରାଟ ସୁରଟର ମାଜିଷ୍ଟ୍ରେଟ୍ କୋର୍ଟ ଏହି ମାମଲାରେ ରାହୁଲ ଗାନ୍ଧୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। କୋର୍ଟ ରାହୁଲଙ୍କୁ ଦୁଇ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ନିୟମ ଅନୁଯାୟୀ ସେ ୨ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ ହୋଇଥିବାରୁ ସେ ତାଙ୍କ ପଦ ହରାଇଛନ୍ତି। ଏହା ପରେ ରାହୁଲ ଗାନ୍ଧୀ ସୁରଟର ଉପର କୋର୍ଟ ବା ସେସନ କୋର୍ଟ ଯାଇଥିଲେ। ଯେଉଁଠାରେ ତାଙ୍କୁ ଆଶ୍ୱସ୍ତି ମିଳିନାହିଁ। ଏହାପରେ ରାହୁଲ ଗାନ୍ଧୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।
ଗୁଜୁରାଟର ସୁରଟ ମାଜିଷ୍ଟ୍ରେଟ କୋର୍ଟ ଦ୍ୱାରା ମାନହାନୀ ମାମଲାରେ ରାହୁଲ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଏହା ପରେ ତାଙ୍କୁ ଦୁଇ ବର୍ଷ କାରାଦଣ୍ଡ ହୋଇଥିଲା। ଏହାପରେ ରାହୁଲ ଜାମିନ ପାଇଛନ୍ତି। ଦଣ୍ଡ ପାଇବା ପରେ ୨୪ ଘଣ୍ଟା ମଧ୍ୟରେ ରାହୁଲଙ୍କୁ ସଂସଦୀୟ ସଚିବାଳୟରୁ ଏକ ନୋଟିସ ପଠାଯାଇଥିଲା ଯେଉଁଥିରେ ଲୋକସଭାର ସଦସ୍ୟତା ବାତିଲ କରାଯାଇଥିଲା। ଏହି ପଦକ୍ଷେପ ଉପରେ କଂଗ୍ରେସ କେନ୍ଦ୍ର ସରକାରଙ୍କୁ ଘେରିଛି ଏବଂ କେନ୍ଦ୍ରରେ ମୋଦୀ ସରକାରଙ୍କୁ ବିଭିନ୍ନ ସ୍ଥାନରେ ବିରୋଧ କରିଛି।





