ଭୁବନେଶ୍ୱର,୨୭/୪(ସତ୍ୟପାଠ ବ୍ୟୁରୋ): ମାନହାନୀ ମାମଲାରେ ଦୋଷୀ ସାବ୍ୟସ୍ତ ରାୟ ବିରୋଧରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବେ ଗୁଜୁରାଟ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । ହେଲେ ଏହି ମାମଲାର ଶୁଣାଣିରୁ ନିଜେ ଓହରିଯାଇଛନ୍ତି ହାଇକୋର୍ଟର ଜଣେ ବିଚାରପତି । ରାହୁଲ ଗାନ୍ଧୀଙ୍କ ଆବେଦନ ସୁରଟ ସେସନ କୋର୍ଟରେ ଖାରଜ ହେବା ପରେ ସେ ଗୁଜୁରାଟ ହାଇକୋର୍ଟରେ ଦ୍ବାରସ୍ଥ ହୋଇଛନ୍ତି । ହେଲେ ଏହି ମାମଲାର ଶୁଣାଣି କରିବାକୁ ହାଇକୋର୍ଟର ଜଷ୍ଟିସ ଗୀତା ଗୋପୀ ନିଜ ଆଡୁ ଓହରି ଯାଇଥିବା ସୂଚନା ମିଳିଛି ।
ରାହୁଲ ଗାନ୍ଧି ଗୁଜରାଟ ହାଇକୋର୍ଟରେ ଆବେଦନ କରିବା ପରେ ଜଷ୍ଟିସ ଗୋପୀଙ୍କ ଖଣ୍ଡପୀଠରେ ଶୁଣାଣି ପାଇଁ ଏହାକୁ ଧାର୍ଯ୍ୟ କରାଯାଇଥିଲା। ହେଲେ ସେ କୋର୍ଟ ରେଜିଷ୍ଟ୍ରୀକୁ ନିର୍ଦ୍ଦେଶ ଦେଇ ମୁଖ୍ୟ ବିଚାରପତିଙ୍କ ନିକଟରେ ଆବେଦନ ଉପସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଫଳରେ ମୁଖ୍ୟ ବିଚାରପତି ଆଉ କେଉଁ ଖଣ୍ଡପୀଠରେ ଆବେଦନର ଶୁଣାଣି ପାଇଁ ଏହାକୁ ତାଲିକା ଭୁକ୍ତ କରିପାରିବେ। ଜଷ୍ଟିସ ଗୋପୀ ଏହାର ଶୁଣାଣି କରିବାକୁ ଚାହୁଁ ନଥିବା କହିଛନ୍ତି। ହେଲେ ଏହା ପଛର କାରଣ ସମ୍ପର୍କରେ ସେ କିଛି ବି କହି ନାହାନ୍ତି।
ସୂଚନାଯୋଗ୍ୟ ଯେ, କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ସୁରଟ ଜିଲ୍ଲା କୋର୍ଟଙ୍କ ଦ୍ୱାରା ବହୁଚର୍ଚ୍ଚିତ ‘ମୋଦି ସାଙ୍ଗିଆ’ ମାନହାନୀ ମାମଲାରେ ୨ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରାଯାଇଛି । ତେବେ ଦଣ୍ଡାଦେଶ ପରେ ତୁରନ୍ତ ରାହୁଲ ଗାନ୍ଧୀଙ୍କୁ ଜାମିନ ପ୍ରଦାନ କରାଯାଇଥିବାରୁ ତାଙ୍କୁ ଜେଲ ଯିବାକୁ ପଡିନଥିଲା । ସେ ଏବେ ଜାମିନରେ ଅଛନ୍ତି । କିନ୍ତୁ ତୁରନ୍ତ ଦଣ୍ଡାଦେଶ ମିଳିବା ପରେ ତାଙ୍କ ଲୋକସଭା ସଦସ୍ୟତାକୁ ରଦ୍ଦ କରି ଦିଆଯାଇଥିଲା ।
ନିଜ ଦୋଷୀ ସାବ୍ୟସ୍ତ ମାମଲାରେ ରାହୁଲ ସୁରଟ ଜିଲ୍ଲା ଶେସନ କୋର୍ଟରେ ଆବେଦନ କରିଥିଲେ । ହେଲେ କୋର୍ଟ ତଳ କୋର୍ଟଙ୍କ ରାୟ ଉପରେ ରହିତାଦେଶ ଲଗାଇବା ପାଇଁ ମନା କରିଦେବା ସହ ପିଟିସନକୁ ଖାରଜ କରିଥିଲେ । କୋର୍ଟ କହିଥିଲେ, ଏହି ମନ୍ତବ୍ୟ ଦେବା ସମୟରେ ରାହୁଲ ଗାନ୍ଧୀ ସଂସଦର ସଦସ୍ୟ ତଥା ଦ୍ୱିତୀୟ ବୃହତ୍ତମ ରାଜନୈତିକ ଦଳର ସଭାପତି ହୋଇଥିବାରୁ ତାଙ୍କର ଭାଷା ପ୍ରତି ଅଧିକ ଯତ୍ନବାନ ହେବାର ଆବଶ୍ୟକତା ରହିଥିଲା । କାରଣ ଜଣେ ରାଜନୈତିକ ବ୍ୟକ୍ତିବିଶେଷ ଭାବେ ତାଙ୍କ କଥାର ପ୍ରଭାବ ସମାଜରେ ପଡିବାର ଯଥେଷ୍ଟ ସମ୍ଭାବନା ରହିଛି । ତେଣୁ ତାଙ୍କ କ୍ଷେତ୍ରରେ ଏପରି କରିବା ଆଦୌ ଉଚିତ ନଥିଲା । ଏହି ଟିପ୍ପଣୀ ସହ ରାହୁଲଙ୍କ ପିଟିସନକୁ କୋର୍ଟ ଖାରଜ କରିଦେଇଥିଲେ । ସେସନ କୋର୍ଟରୁ ନିରାଶ ହେବା ପରେ ରାହୁଲ ଏବେ ଗୁଜୁରାଟ ହାଇକୋର୍ଟରେ ଦ୍ବାରସ୍ଥ ହୋଇଛନ୍ତି ।
ଗତ ମାର୍ଚ୍ଚ ୨୪ ତାରିଖରେ ଲୋକସଭା ସଦସ୍ୟତା ରଦ୍ଦ ହେବା ପରେ ତାର ମାତ୍ର ୩ ଦିନ ପରେ ରାହୁଲଙ୍କୁ ସାଂସଦ କୋଟାରେ ମିଳିଥିବା ସରକାରୀ ବଙ୍ଗଳା ଖାଲି କରିବାକୁ ନୋଟିସ ମିଳିଥିଲା । ୨୨ ଏପ୍ରିଲ ସୁଦ୍ଧା ଦିଲ୍ଲୀର ୧୨-ତୁଗଲକ ରୋଡରେ ଥିବା ସରକାରୀ ବାସଭବନ ଖାଲି କରିବାକୁ ନୋଟିସ ମିଳିଥିବା ବେଳେ ରାହୁଲ ୨୧ ତାରିଖରେ ନିଜ ବଙ୍ଗଳା ଖାଲି କରି ମା’ ସୋନିଆଙ୍କ ବଙ୍ଗଳାକୁ ଚାଲି ଯାଇଥିଲେ ।





