ଭୁବନେଶ୍ୱର,୧୧/୪(ସତ୍ୟପାଠ ବ୍ୟୁରୋ): ଆଇନଜୀବୀମାନଙ୍କ ଡିଗ୍ରୀ ସାର୍ଟିଫିକେଟ ଯାଞ୍ଚ ହେବ। ସୁପ୍ରିମକୋର୍ଟ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ଦୀପକ ଗୁପ୍ତାଙ୍କ ଅଧ୍ୟକ୍ଷତାରେ ଗଠିତ ଆଠ ଜଣିଆ କମିଟି ଏହାର ତଦାରଖ କରିବେ। ଆଇନଜୀବୀ ଅଜୟ ଶଙ୍କର ଶ୍ରୀବାସ୍ତବଙ୍କ ପିଟିସନକୁ ଶୁଣାଣି କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡ଼, ବିଚାରପତି ଜଷ୍ଟିସ ପି.ଏସ୍ ନରସିଂହ ଓ ବିଚାରପତି ଜଷ୍ଟିସ୍ ଜେ.ବି ପର୍ଦିୱାଲାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି।
ଗଠିତ ଆଠ ଜଣିଆ କମିଟିରେ ଜଷ୍ଟିସ ଗୁପ୍ତାଙ୍କ ସହ ଆହ୍ଲାବାଦ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଅରୁଣ ଟଣ୍ଡନ, ଦିଲ୍ଲୀ ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ରାଜେନ୍ଦ୍ର ମେନନ, ବରିଷ୍ଠ ଆଇନଜୀବୀ ରାକେଶ ଦ୍ବିବେଦୀ ଓ ମନିନ୍ଦର ସିଂହ ଏବଂ ବାର କାଉନସିଲ୍ ଅଫ ଇଣ୍ଡିଆ (ବିସିଆଇ) ଦ୍ବାରା ମନୋନୀତ ତିନି ଆଇନଜୀବୀ ଏଥିରେ ସାମିଲ ହେବେ। ଆସନ୍ତା ୨୦୨୩ ଅଗଷ୍ଟ ୩୧ ସୁଦ୍ଧା ଏହି କମିଟି ଷ୍ଟାଟସ୍ ରିପୋର୍ଟ ଦାଖଲ କରିବେ।





