ଭୁବନେଶ୍ୱର,୨୨/୯(ସତ୍ୟପାଠ ବ୍ୟୁରୋ): ଦରକାର ପଡ଼ିଲେ କଂଗ୍ରେସ ସହ ମେଣ୍ଟ କରି ସରକାରକୁ ଫେରିବ ବିଜେଡି। ଖୋଲା ମଞ୍ଚରେ ଏଭଳି ଚାଞ୍ଚଲ୍ୟକର ମନ୍ତବ୍ୟ ରଖିଛନ୍ତି ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟ। ପାରାଦୀପର କୁଜଙ୍ଗରେ ଆୟୋଜିତ ଏକ ଦଳୀୟ କାର୍ଯ୍ୟକ୍ରମରେ କର୍ମୀଙ୍କୁ ଉଦବୋଧନ ଦେବା ଅବସରରେ ଦେବାଶିଷ କହିଥିଲେ,… ୟା ଭିତରେ ଦିନେ ନବୀନ ବାବୁଙ୍କ ପାଖରେ ବସିଥିଲି।
ପାଣ୍ଡିଆନ ବାବୁ ମଧ୍ୟ ଆସିଲେ। ସେ ଆସନ୍ତି, ଆମ ସାର୍ ଔଷଧ ଖାଇଛନ୍ତି ନା ନାହିଁ ଦେଖିବାକୁ। ସେତିକି ବେଳେ ମୁଁ ନବୀନ ବାବୁଙ୍କୁ କହିଲି ଯେ ଆପଣ ବାଇ-ଇଲେକ୍ସନ ପାଇଁ ପ୍ରସ୍ତୁତ ରୁହନ୍ତୁ। ସେ କହିଲେ, କ’ଣ ପାଇଁ ଋଷି। ମୁଁ କହିଲି ବିଜେପିର ୭ ଜଣ ଏମ୍ଏଲ୍ଏ କଟିଯିବେ। ଆଉ ସେଠି ଯେଉଁ ବାଇ-ଇଲେକ୍ସନ ହେବ, ଆପଣ ଖାଲି ଗାଡ଼ିରେ ବସି ହାତ ହଲେଇ ଚାଲିଆସିବେ। ୭ ବିଜେଡି ଏମ୍ଏଲ୍ଏ ଆସିଗଲେ ଆମେ ୬୦ରେ ପହଞ୍ଚିଯିବା। ଦରକାର ପଡ଼ିଲେ ବରଂ ଆମେ କଂଗ୍ରେସ ସହିତ ହାତ ମିଶାଇ ଦେବା ଓ ନୂଆ ସରକାର କରି ଦେବା। ବିଜେପିକୁ ବିଦା କରି ଦେବା। ଏଇଟା କଥାରେ ମୁଁ କହିଲି…।
ତେବେ ଦେବାଶିଷଙ୍କ ମନ୍ତବ୍ୟ ଉପରେ ସୋସିଆଲ ମିଡିଆରେ ପ୍ରତିକ୍ରିୟା ରଖିଛି ବିଜେଡି। ଓଡ଼ିଶାର ଜନସାଧାରଣ ଆମକୁ ବିରୋଧୀଦଳ ଭାବେ ବାଛିଛନ୍ତି ଏବଂ ଆମେ ଜନତାଙ୍କର ମତକୁ ସମ୍ମାନ ଦେଉଛୁ। ରାଜ୍ୟସଭା ସଦସ୍ୟ ଦେବାଶିଷ ସାମନ୍ତରାୟଙ୍କ କହିଥିବା କଥା ତାଙ୍କ ବ୍ୟକ୍ତିଗତ ମନ୍ତବ୍ୟ। ଏଥିରେ ଦଳର କୌଣସି ସହଯୋଗିତା ନାହିଁ ବୋଲି କହିଛି ବିଜେଡି।





