ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା: ଆସନ୍ତାକାଲି ହାଜର ହେବାକୁ କେସିଆରଙ୍କ ଝିଅ କେ.କବିତାଙ୍କୁ ଇଡିର ସମନ

ଭୁବନେଶ୍ଵର,୮/୩(ସତ୍ୟପାଠ ବ୍ୟୁରୋ): ଦିଲ୍ଲୀର ବହୁ ଚର୍ଚ୍ଚିତ ଅବକାରୀ ଦୁର୍ନୀତି ମାମଲାରେ ତେଲେଙ୍ଗନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ (କେସିଆର)ଙ୍କ ଝିଅ କେ.କବିତାଙ୍କୁ ଆସନ୍ତାକାଲି ଇଡି କାର୍ଯ୍ୟାଳୟରେ ହାଜର ହେବାକୁ ସମନ କରାଯାଇଛି। ହାଇଦ୍ରାବାଦର ପ୍ରତିଷ୍ଠିତ ବ୍ୟବସାୟୀ ଅରୁଣ ରାମଚନ୍ଦ୍ରନ ପିଲାଇଙ୍କୁ ଗିରଫ କରିବାର ଗୋଟିଏ ଦିନ ପରେ ଇଡି ତାଙ୍କୁ ନୋଟିସ ଜାରି କରିଛି।

ସୂଚନା ଅନୁସାରେ ଏକ ମଦ କମ୍ପାନୀରେ କେ.କବିତାଙ୍କ ପାଇଁ ଅରୁଣ ରାମଚନ୍ଦ୍ରନ ପିଲାଇ କାମ କରୁଥିଲେ। ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଚାର୍ଜସିଟ୍‌ରେ କେ କବିତାଙ୍କ ନାମ ଉଲ୍ଲେଖ ରହିଛି। ଇଣ୍ଡୋ ସ୍ପିରିଟ୍‌ ନାମକ ଏକ ମଦ କମ୍ପାନୀରେ କେ.କବିତା ୬୫ ପ୍ରତିଶତ୍ ସେୟାର ଥିବା ଜଣାପଡ଼ିଛି। କବିତାଙ୍କର ମଦ ବ୍ୟବାସାୟୀ ସଂଗଠନ ସହ ସିଧାସଳଖ ସଂପୃକ୍ତି ଥିବା ‌ଅଭିଯୋଗ ହୋଇଥିବା ବେଳେ ସେ ୧୦୦ କୋଟି ଟଙ୍କା ଲାଞ୍ଚ କାରବାରରେ ସାମିଲ ଥିବା ନେଇ କେତେକ ପ୍ରମାଣ ମିଳିଛି। ଏ ନେଇ ଅଧିକ ତଥ୍ୟ ସାମ୍ନାକୁ ଆସିବା ପରେ ଇଡି ତାଙ୍କୁ ଜେରା କରିବାକୁ ସମନ କରିଛି।

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ପୂର୍ବରୁ ଅଦାଲତରେ ଇଡି ଦାଖଲ କରିଥିବା ରିପୋର୍ଟରେ ମଧ୍ୟ କବିତାଙ୍କ ନାମ ଉଲ୍ଲେଖ ଥିଲା। ଏହା ପୂର୍ବରୁ ଗତ ଡିସେମ୍ବର ୧୧ରେ କେ.କବିତାଙ୍କୁ ସିବିଆଇ ଜେରା କରିଥିଲା। ହାଇଦ୍ରାବାଦର ବଞ୍ଜାରା ଠାରେ ଥିବା କବିତାଙ୍କ ବାସଭବନରେ ତାଙ୍କୁ ସିବିଆଇ ଜେରା କରିଥିଲା। ତେବେ ଜେରା ପୂର୍ବରୁ କବିତାଙ୍କ ବାସଭବନ ଆଗରେ ଏକ ପୋଷ୍ଟର ଦେଖିବାକୁ ମିଳିଥିଲା। ଏଥିରେ କବିତା ସିବିଆଇ ଜେରାକୁ ଭୟ କରୁ ନ ଥିବା କଥା ଲେଖାଯାଇଥିଲା। କବିତା ମଧ୍ୟ ପୂର୍ବରୁ ସେ ଏହି ମାମଲାରେ ସିବିଆଇକୁ ସହଯୋଗ କରିବେ ବୋଲି କହିଥିଲେ।

ସୂଚନାଯୋଗ୍ୟ ଯେ, ଦିଲ୍ଲୀର କେଜ୍‌ରିୱାଲ ସରକାର କୋଟି କୋଟି ଟଙ୍କା ଅବକାରୀ ଦୁର୍ନୀତି କରିଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ଉଭୟ ଇଡି ଓ ସିବିଆଇ ତଦନ୍ତ କରୁଥିବା ବେଳେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ନିକଟରେ ସିବିଆଇ ଗିରଫ କରିଛି। ସିସୋଦିଆ ବର୍ତ୍ତମାନ ତାହାର ଜେଲରେ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହେପାଜତରେ ଥିବାବେଳେ ତାଙ୍କୁ ଜେଲରେ ଇଡି ମଧ୍ୟ ପଚରା ଉଚରା କରିଛି।

Related Posts