ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସୈତେନ୍ଦ୍ର ଜୈନଙ୍କ ହେପାଜତର ଅବଧି ଆଜି ଶେଷ ହେଉଥିବା ବେଳେ ଆଜି କୋର୍ଟ ତାଙ୍କୁ ପୁଣି ଜୁନ୍ ୧୩ ପର୍ୟ୍ୟନ୍ତ ଇଡିର ହେପାଜତକୁ ପଠାଇଛନ୍ତି। ହେପାଜତର ଅବଧି ବଢ଼ିବା ପରେ ସତ୍ୟେନ୍ଦ୍ର ଜୈନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିଥିବା ଜଣାପଡ଼ିଛି। ସ୍ୱାସ୍ଥ୍ୟାବସ୍ଥା ବିଗିଡିବା ପରେ ତାଙ୍କୁ ତୁରନ୍ତ ରାମ ମନୋହର ଲୋହିଆ ଡାକ୍ତରଖାନାକୁ ନିଆଯାଇଛି। ଜାତୀୟ ଗଣମାଧ୍ୟମ ଲାଇଭ ହିନ୍ଦୁସ୍ତାନ ମୁତାବକ, କୋର୍ଟରୁ ବାହାରିବା ପରେ ସତ୍ୟେନ୍ଦ୍ର ଜୈନ୍ ଅଚେତ ହେଲା ଭଳି ମନେ କରିଥିଲେ। ମୁଣ୍ଡ ବୁଲାଇବାରୁ ତାଙ୍କୁ ତୁରନ୍ତ ରାମ ମନୋହର ଲୋହିଆ ଡାକ୍ତରଖାନା ନିଆଯାଇଛି। ଏବେ ଡାକ୍ତର ତାଙ୍କୁ କିଛି ପରୀକ୍ଷା କରାଇବାକୁ କହିବା ସହ ବିଶ୍ରାମ କରିବାକୁ କହିଛନ୍ତି। ସତ୍ୟେନ୍ଦ୍ରଙ୍କ ଓକିଲ କହିଛନ୍ତି ଯେ, କରୋନା ଆକ୍ରାନ୍ତ ହେବା ପରଠାରୁ ତାଙ୍କୁ କମ ନିଦ ଆସୁଛି।
ଏହା ସହ ଅନେକ ଶାରୀରିିକ ସମସ୍ୟା ମଧ୍ୟ ଉପୁଜିଛି। ସେପଟେ ଆମ୍ ଆଦମୀ ପାର୍ଟି (ଆପ୍) ନେତା ସତ୍ୟେନ୍ଦ୍ର ଜୈନଙ୍କ ବିରୋଧରେ ଇଡି କରିଥିବା ଅନୁସନ୍ଧାନରୁ ଜଣାପଡିଥିଲା ଯେ ୨୦୧୫-୧୬ ମସିହାରେ ଯେତେବେଳେ ଜୈନ ଜଣେ ସରକାରୀ କର୍ମଚାରୀ ଥିଲେ, ସେତେବେଳେ ତାଙ୍କ ମାଲିକାନାରେ ଥିବା ତଥା ତାଙ୍କ ଦ୍ବାରା ନିୟନ୍ତ୍ରିତ କମ୍ପାନି ହାୱାଲା ନେଟୱାର୍କ ମାଧ୍ୟମରେ ସେଇ କମ୍ପାନିରୁ ୪.୮୧ କୋଟି ଟଙ୍କା ନେଇଥିଲା। ୨୦୧୭ରେ ଆୟରୁ ଅଧିକ ସମ୍ପତ୍ତି ରଖିଥିବା ଅଭିଯୋଗରେ ତାଙ୍କ ବିରୋଧରେ ସିବିଆଇ ଏତଲା ରୁଜୁ କରିଥିଲା। ଏବେ ଏହାର ତଦନ୍ତ କରି ଇଡି ସତ୍ୟେନ୍ଦ୍ର ଜୈନଙ୍କୁ ଗିରଫ କରିଥିଲା। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ସରଗରମ ହୋଇ ଉଠିଛି ।





