ଆସନ୍ତା ୨୪ରେ ହେବ ଦିଲ୍ଲୀ ଏମସିଡି ମେୟର ନିର୍ବାଚନ

ଭୁବନେଶ୍ୱର,୧୬/୧(ସତ୍ୟପାଠ ବ୍ୟୁରୋ): ଦିଲ୍ଲୀ ମହାନଗର ନିଗମ(ଏମସିଡି)ର ମେୟର ନିର୍ବାଚନ ଆସନ୍ତା ଜାନୁଆରୀ ୨୪ରେ ଅନୁଷ୍ଠିତ ହେବ। ଉପ ରାଜ୍ୟପାଳ ଭିକେ ସକ୍ସେନାଙ୍କ ଅନୁମତିକ୍ରମେ ନବ ନିର୍ବାଚିତ କର୍ପୋରେଟରଙ୍କ ବୈଠକ ବସିବ। ଏହି ସମୟରେ ହିଁ ମେୟର ନିର୍ବାଚନ ହେବ।

ସୂଚନା ଅନୁସାରେ, ଜାନୁଆରୀ ୨୪ରେ ପ୍ରଥମେ ନବ ନିର୍ବାଚିତ କର୍ପୋରେଟରମାନେ ଶପଥ ଗ୍ରହଣ କରିବେ। ଏହାପରେ ମେୟର, ଡେପୁଟି ମେୟର ଓ ୬ ଜଣିଆ ଷ୍ଟାଣ୍ଡିଂ କମିଟି ସଦସ୍ୟ ପାଇଁ ମତଦାନ ହେବ। ପୂର୍ବଥର ନବ ନିର୍ବାଚନ କର୍ପୋରେଟରଙ୍କ ବୈଠକ ବେଳେ ବେଶ ହଙ୍ଗାମା ହୋଇଥିଲା। ଏଥିପାଇଁ ମେୟର ନିର୍ବାଚନକୁ ଜାନୁଆରୀ ୩୦କୁ ଘୁଞ୍ଚାଇ ଦିଆଯାଇଥିଲା। କିନ୍ତୁ ଏବେ ଉପ ରାଜ୍ୟପାଳ ୨୪ ଜାନୁଆରୀରେ ବୈଠକ ଡାକିବା ସହ ମେୟର ନିର୍ବାଚନ ପାଇଁ ଦିନ ଧାର୍ଯ୍ୟ କରିଛନ୍ତି।

ସୂଚନାଯୋଗ୍ୟ ଯେ, ଏମସିଡିର ମୋଟ ଆସନ ସଂଖ୍ୟା ୨୫୦। ବିଜେପିର ୭ ଲୋକସଭା ସାଂସଦ, ଆପ୍‌ର ୩ ଜଣ ରାଜ୍ୟ ସଭା ସାଂସଦ ଓ ଦିଲ୍ଲୀ ବିଧାନସଭା ବାଚସ୍ପତିଙ୍କ ଦ୍ୱାରା ମନୋନୀତ ୧୪ ଜଣ ବିଧାୟକ ମିଳିତ ଭାବେ ମେୟର ଓ ଡେପୁରି ମେୟର ନିର୍ବାଚନରେ ଅଂଶଗ୍ରହଣ କରିବେ। ଦିଲ୍ଲୀ ବିଧାନସଭାର ବାଚସ୍ପତି ଆପ୍‌ରୁ ୧୩ ଜଣ ଓ ବିଜେପିର ଜଣେ ବିଧାୟକଙ୍କୁ ମନୋନୀତ କରିଛନ୍ତି।

ତେଣେ ମୋଟ ୨୫୦ ଆସନରୁ ଆପ୍‌ ୧୩୪ ଆସନରେ ଜିତିଛି। ବିଜେପି ୧୦୪ ଆସନ ଦଖଲ କରିଥିବା ବେଳେ କଂଗ୍ରେସ ୯ଟି ଓ ୨ ଜଣ ସ୍ୱାଧୀନ ପ୍ରାର୍ଥୀ ବାଜିମାତ କରିଛନ୍ତି। କଂଗ୍ରେସର ୯ ଜଣ କର୍ପୋରେଟର ଭୋଟିଂ ପ୍ରକ୍ରିୟାରେ ସାମିଲ ହେବେନି ବୋଲି କହି ସାରିଛନ୍ତି। ସିକ୍ରେଟ ବାଲାଟରେ କର୍ପୋରେଟରମାନେ ଭୋଟ ଦେବେ। ଏହି ନିର୍ବାଚନରେ ଦଳବଦଳ ନିରୋଧ ଆଇନ ମଧ୍ୟ ଲାଗୁ ହେବନି।

Related Posts