କୁସ୍ତି ମହାସଂଘ ସଭାପତିଙ୍କ ନାମରେ ମାମଲା ରୁଜୁ କଲା ଦିଲ୍ଲୀ ପୋଲିସ, ସମସ୍ତ ପଦରୁ ବରଖାସ୍ତ ଦାବି କଲେ କୁସ୍ତି ଯୋଦ୍ଧା

ଭୁବନେଶ୍ୱର,୨୯/୪(ସତ୍ୟପାଠ ବ୍ୟୁରୋ): କୁସ୍ତି ଯୋଦ୍ଧାଙ୍କ ୬ ଦିନର ଧାରଣା ପରେ ଶେଷରେ ଭାରତୀୟ କୁସ୍ତି ମହାସଂଘ (ଡବ୍ଲୁଏଫ୍ଆଇ) ର ମୁଖ୍ୟ ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ରୁଜୁ ହୋଇଛି ମାମଲା। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ବ୍ରିଜ ଭୂଷଣ ଶରଣଙ୍କ ବିରୋଧରେ ୨ଟି ଯୌନ ଉତ୍ପୀଡ଼ନ ରୁଜୁ କରିଛି ଦିଲ୍ଲୀ ପୁଲିସ୍‌। କୁସ୍ତି ମହାସଂଘର ସଭାପତି ତଥା ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ଶୁକ୍ରବାର ରୁଜୁ ହୋଇଥିବା ୨ଟି ମାମଲା ମଧ୍ୟରୁ ଗୋଟିଏ ଜଣେ ନାବାଳିକା ରେସଲର କରିଥିବା ବେଳେ ଅନ୍ୟଟି ଜଣେ ମହିଳା କୁସ୍ତି ଯୋଦ୍ଧା କରିଛନ୍ତି।

ତେବେ ନିଜ ବିରୋଧରେ ରୁଜୁ ହୋଇଥିବା ଯୌନ ଉତ୍ପୀଡ଼ନ ମାମଲାକୁ ସ୍ୱାଗତ କରି ବ୍ରିଜ ଭୂଷଣ ଶରଣ ସିଂ କହିଛନ୍ତି, ଯାଞ୍ଚ ପାଇଁ ଗଠିତ କମିଟିର ରିପୋର୍ଟକୁ ଅପେକ୍ଷା କରିବା ଉଚିତ ଥିଲା। ହେଲେ ମୁଁ ନ୍ୟାୟପାଳିକାଙ୍କ ନିଷ୍ପତ୍ତିରେ ଖୁସି ଅଛି। ଦିଲ୍ଲୀ ପୁଲିସ୍‌ ଏହି ଘଟଣାର ଯାଞ୍ଚ କରିବ ଓ ମୁଁ ଯଥା ସମ୍ଭବ ସହଯୋଗ କରିବି । ମୁଁ ସୁପ୍ରିମକୋର୍ଟଙ୍କଠାରୁ ବଡ଼ ନୁହଁ ବୋଲି ସେ କହିଛନ୍ତି ।

ଅନ୍ୟପଟେ ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ମାମଲା ରୁଜୁ ସତ୍ତ୍ୱେ ଆନ୍ଦୋଳନରୁ ଓହରି ନାହାନ୍ତି ଧାରଣାରତ କୁସ୍ତି ଯୋଦ୍ଧା । ଏନେଇ ଗତକାଲି ଏକ ସାମ୍ବାଦିକ ସମ୍ମିଳନୀରେ ସେମାନେ କହିଛନ୍ତି, ଆମେ ସୁପ୍ରିମକୋର୍ଟଙ୍କ ଆଦେଶକୁ ସମ୍ମାନ କରୁଛୁ । କିନ୍ତୁ ଦିଲ୍ଲୀ ପୁଲିସ୍‌ ଉପରେ ଆମର ଭରସା ନାହିଁ । ସେ ବ୍ରିଜ ଭୂଷଣଙ୍କ ବିରୋଧରେ କୋହଳ ଦଫା ଲଗାଇବାର ଆଶଙ୍କା ରହିଛି । ତେଣୁ ଖେଳକୁ ବଞ୍ଚାଇବାକୁ ଆମକୁ ଏକାଠି ଆଗକୁ ବଢ଼ିବାକୁ ପଡ଼ିବ । ଆମ ଧାରଣା ଜାରି ରହିବ । ବ୍ରିଜ ଭୂଷଣ ନିଜ ପଦର ଦୁରପଯୋଗ କରିବାର ଆଶଙ୍କା ରହିଛି। ତେଣୁ ତୁରନ୍ତ ତାଙ୍କୁ ସବୁ ପଦରୁ ବରଖାସ୍ତ କରି ଜେଲ୍‌ ପଠାଇବା ଉଚିତ ବୋଲି କୁସ୍ତି ଯୋଦ୍ଧାମାନେ କହିଛନ୍ତି।

ସେପଟେ କୁସ୍ତି ଯୋଦ୍ଧାମାନେ ଆନ୍ଦୋଳନ ଜାରି ରଖିଥିବା ଜନ୍ତରମନ୍ତରରେ ଶନିବାର ସକାଳେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି ପହଞ୍ଚି ଆନ୍ଦୋଳନରତ ସେମାନଙ୍କ ସହ ଆଲୋଚନା କରିଛନ୍ତି। ଏଥିସହ ସେ ସେମାନଙ୍କ ଦାବି ଓ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି।

ଗତକାଲି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ଓ ଜଷ୍ଟିସ ପିଏସ୍‌ ନରସୀମାଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଥିଲେ। ଦିଲ୍ଲୀ ପୁଲିସ୍‌ ତରଫରୁ ମାମଲା ଲ‍ଢ଼ୁଥିବା ସଲିସିଟର ଜେନେରାଲ ତୁଷାର ମେହଟା ଏଫଆଇଆର ରୁଜୁ ପାଇଁ ଦିଲ୍ଲୀ ପୁଲିସ୍‌ ପ୍ରସ୍ତୁତ ଥିବା କହିଥିଲେ। ଅପରପକ୍ଷେ, ବ୍ରିଜ ଭୂଷଣଙ୍କ ନାମରେ ବହୁତ ମାମଲା ଥିବାରୁ ମହିଳା ରେସଲରଙ୍କ ସୁରକ୍ଷା ପ୍ରତି ଆମେ ଚିନ୍ତିତ ବୋଲି ରେସଲରଙ୍କ ପକ୍ଷରୁ ଲଢ଼ୁଥିବା ବରିଷ୍ଠ ଆଇନଜୀବୀ କପିଲ ସିବଲ କହିଥିଲେ । ତେଣୁ ସୁପ୍ରିମକୋର୍ଟ ଏ ଦିଗରେ ବିଚାର କରିବା ଉଚିତ ବୋଲି ସେ କହିଛନ୍ତି ।

Related Posts