ଭୁବନେଶ୍ଵର (ସତ୍ୟପାଠ ବ୍ୟୁରୋ): ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ବହୁ ଚର୍ଚ୍ଚିତ ଦିଲ୍ଲୀ ସେବା ବିଲ୍ ସୋମବାର ରାଜ୍ୟସଭାରେ ପାରିତ ହୋଇଛି। ବିଲ୍ ସପକ୍ଷରେ ୧୩୧ ଏବଂ ବିପକ୍ଷରେ ୧୦୨ଟି ଭୋଟ୍ ମିଳିଛି। ଏହା ପୂର୍ବରୁ ଗତ ଗୁରୁବାର ଦିନ ଲୋକସଭାରେ ଏହି ବିଲ୍ ଗୃହୀତ ହୋଇଥିଲା।
କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ରାଜ୍ୟସଭାରେ ଦିଲ୍ଲୀ ସେବା ନିଯୁକ୍ତି ବିଲ୍ ଆଗତ କରିଥିଲେ।ସେ ବିଲ୍ ସପକ୍ଷରେ ଯୁକ୍ତି ବାଢ଼ି କହିଥିଲେ , ଦିଲ୍ଲୀ ସର୍ଭିସ ବିଲ୍ ସୁପ୍ରିମକୋର୍ଟଙ୍କ ରାୟର ଉଲ୍ଲଂଘନ କରିନାହିଁ। କଂଗ୍ରେସ ଶାସନ ସମୟରେ ଦିଲ୍ଲୀ ସରକାରଙ୍କ ନିକଟରେ ଯେଉଁ କ୍ଷମତା ଥିଲା ବିଲ୍ ସେହି ସମାନ କ୍ଷମତା ସରକାରଙ୍କୁ ପ୍ରଦାନ କରିଛି। ଶାହ କହିଛନ୍ତି, କଂଗ୍ରେସ କ୍ଷମତାରେ ଥିବାବେଳେ ଏହି ବିଲ୍କୁ ସମର୍ଥନ କରିଥିଲା। କିନ୍ତୁ ଏବେ ଏହି ଦଳ ଆପ୍କୁ ସନ୍ତୁଷ୍ଟ କରିବାପାଇଁ ବିଲ୍କୁ ବିରୋଧ କରିଛି। ଏବେ ସେମାନେ ଆପ୍ର କୋଳରେ ବସିଛନ୍ତି ବୋଲି ଶାହ କହିଛନ୍ତି। ଦିଲ୍ଲୀରେ ବରିଷ୍ଠ ଅଫିସରଙ୍କ ନିଯୁକ୍ତି ଏବଂ ବଦଳି କ୍ଷେତ୍ରରେ ନିୟନ୍ତ୍ରଣ ପାଇଁ କେନ୍ଦ୍ର ସରକାର ଆଣିଥିବା ଅଧ୍ୟାଦେଶକୁ ଆଇନରେ ପରିଣତ କରିବାପାଇଁ ଉକ୍ତ ବିଲ୍ ଅଣାଯାଇଛି।
ଅନ୍ୟପଟେ ଆପ୍ ସାଂସଦ ରାଘବ ଚଢ଼ା କହିଛନ୍ତି, ଏହି ବିଲ୍ ହେଉଛି ଏକ ରାଜନୈତିକ ଜାଲିଆତି ଏବଂ ଏକ ସାମ୍ବିଧାନିକ ପାପ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀ ସେବା ନିଯୁକ୍ତି ବିଲ୍କୁ ‘କଳା ବିଲ୍ ‘ କହିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, ସୋମବାର ଉଭୟ ଗୃହରେ ଆଜି ପ୍ରବଳ ହୋହଲ୍ଲା ଏବଂ ହଟ୍ଟଗୋଳ ହେଖିବାକୁ ମିଳିଥିଲା। ରାଜ୍ୟସଭା ପ୍ରଥମେ ଅପରାହ୍ନ ୨ଟା ପର୍ଯ୍ୟନ୍ତ ମୁଲତବୀ ରହିଥିଲା। ରାଜସ୍ଥାନରେ ୧୪ ବର୍ଷୀୟା ନାବାଳିଳାକୁ ଗଣଦୁଷ୍କର୍ମ ପ୍ରସଙ୍ଗରେ ଗୃହରେ ଆଲୋଚନା ପାଇଁ ଶାସକ ଦଳର ସଦସ୍ୟମାନେ ଦାବି କରିବାପରେ ବିରୋଧୀ ସଦସ୍ୟ ପ୍ରବଳ ହୋହଲ୍ଲା କରିଥିଲେ। ସେମାନେ ମଣିପୁର ପ୍ରସଙ୍ଗରେ ଆଲୋଚନା ଦାବି କରିଥିଲେ। ଫଳରେ ଗୃହକୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା।
ଅନ୍ୟପକ୍ଷେ ଆଜି ଲୋକସଭାରେ ୪ଟି ବିଲ୍ ପାରିତ ହୋଇଛି। ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଆଜି ଲୋକସଭାରେ ଡିଜିଟାଲ୍ ପର୍ସନାଲ ଡାଟା ପ୍ରୋଟେକ୍ସନ୍ ବିଲ୍ (ଡିପିଡିପି) ଆଗତ କରିଥିଲେ। ବିରୋଧୀଙ୍କ ପ୍ରବଳ ହୋହଲ୍ଲା ମଧ୍ୟରେ ଆଜି ଏହି ବିଲ୍ ଲୋକସଭାରେ ଗୃହୀତ ହୋଇଯାଇଛି। ସେହିପରି ଅନୁସନ୍ଧାନ ନେସନାଲ ରିସର୍ଚ୍ଚ ଫାଉଣ୍ଡେସନ ବିଲ୍-୨୦୨୩ , ଫାର୍ମାସି (ଆମେଣ୍ଡମେଣ୍ଟ୍) ବିଲ୍-୨୦୨୩ ଏବଂ ମେଡିଏସନ ବିଲ୍-୨୦୨୩ ମଧ୍ୟ ଲୋକସଭାରେ ଗୃହୀତ ହୋଇଛି।





