ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା; ତିହାର ଜେଲରେ ମନୀଷ ସିସୋଦିଆଙ୍କୁ ଜେରା କରୁଛି ଇଡି

ଭୁବନେଶ୍ଵର,୯/୩(ସତ୍ୟପାଠ ବ୍ୟୁରୋ): ବହୁ ଚର୍ଚ୍ଚିତ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇ ତିହାର ଜେଲରେ ଅଛନ୍ତି ଦିଲ୍ଲୀର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ । ସେପଟେ ଆଜି ଜେଲରେ ପହଞ୍ଚି ସିସୋଦିଆଙ୍କୁ ପଚରା ଉଚରା ଆରମ୍ଭ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)।ସିସୋଦିଆଙ୍କ ଜାମିନ ଆବେଦନ ଖାରଜ ହେବା ପରେ ବର୍ତ୍ତମାନ ସେ ତିହାର ଜେଲରେ ଅଛନ୍ତି । ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତରେ ରହିବେ ସିସୋଦିଆ । ତେବେ ଅବକାରୀ ଦୁର୍ନୀତି ନେଇ ସିସୋଦିଆଙ୍କୁ ଇଡି ଜେରା କରୁଛି ।

ଗତ ମାସ ୨୬ ତାରିଖରେ ସିବିଆଇରେ ହାଜର ହୋଇଥିଲେ ସିସୋଦିଆ । ଏହାପରେ ତାଙ୍କୁ ୮ ଘଣ୍ଟା ଜେରା କରିଥିଲା ସିବିଆଇ। ଜେରା ସମୟରେ ସହଯୋଗ ନକରିବା ଓ ପ୍ରମାଣ ନଷ୍ଟ କରିବା ପରି ଅଭିଯୋଗରେ ତାଙ୍କୁ ସିବିଆଇ ଗିରଫ କରିଥିଲା । ଗିରଫଦାରୀର ଗୋଟିଏ ଦିନ ପରେ ତାଙ୍କୁ ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟରେ ହାଜର କରି ୫ଦିନିଆ ରିମାଣ୍ଡରେ ଆଣିଥିଲା ସିବିଆଇ । କିନ୍ତୁ ରିମାଣ୍ଡ ସମୟରେ ମନୀଷ ସିସୋଦିଆ ସିବିଆଇକୁ ସହଯୋଗ କରିନଥିଲେ। ଗତ ୪ ତାରିଖ ଦିନ ପ୍ରଥମ ରିମାଣ୍ଡ ଅବଧି ଶେଷ ପରେ ତାଙ୍କୁ ପୁଣି କୋର୍ଟରେ ହାଜର କରାଯାଇଥିଲା । ଅଧିକ ତଦନ୍ତ ଦର୍ଶାଇ ଦ୍ବିତୀୟ ଥର ରିମାଣ୍ଡରେ ନେବା ପାଇଁ ଆବେଦନ କରିଥିବା ସିବିଆଇ । ଏହାପରେ କୋର୍ଟଙ୍କ ଅନୁମତି ପରେ ସିସୋଦିଆଙ୍କୁ ୩ ଦିନିଆ ରିମାଣ୍ଡରେ ପୁଣି ପଚରାଉଛରା କରିଥିଲା । ଗତ ୬ ତାରିଖ ଦିନ ଦ୍ବିତୀୟ ରିମାଣ୍ଡ ଅବଧି ଶେଷ ପରେ ପୁଣି ସିସୋଦିଆଙ୍କୁ କୋର୍ଟରେ ହାଜର କରାଯାଇଥିଲା । କିନ୍ତୁ ବେଲ୍‌ ଖାରଜ ହେବା ପରେ ଚଳିତ ସାମ ୨୦ ତାରିଖ ପର୍ଯ୍ୟନ୍ତ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିଲା ।

ଗତ ସୋମବାର ଦିନ ଅବକାରୀ ଦୁର୍ନୀତି ମାମଲାରେ ହାଇଦ୍ରାବାଦର ବ୍ୟବସାୟୀ ଅରୁଣ ରାମଚନ୍ଦ୍ର ପିଲ୍ଲାଇଙ୍କୁ ଗିରଫ କରାଯାଇଥିଲା । ଏହାର ଦିନକ ପରେ କେସିଆରଙ୍କ ଝିଅ ତଥା ବିଆରଏସ ନେତ୍ରୀ କବିତାଙ୍କୁ ସମନ ଜାରି କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଆଜି ତାଙ୍କୁ ଇଡି କାର୍ଯ୍ୟାଳୟରେ ହାଜର ହେବାକୁ ସମନ କରାଯାଇଥିଲା । ଏହାପରେ କବିତା ଏକ ସପ୍ତାହ ସମୟ ମାଗିଥିବା ବେଳେ ଆସନ୍ତା ୧୧ ତାରିଖରେ ହାଜର ହେବେ ବୋଲି କହିଛନ୍ତି । ତେବେ ପୂର୍ବରୁ ଡିସେମ୍ବର ୧୨ ତାରିଖରେ ସିବିଆଇ ବିଆରଏସ ନେତ୍ରୀ କେ.କବିତାଙ୍କୁ ତାଙ୍କର ହାଇଦ୍ରାବାଦ ସ୍ଥିତ ବାସଭବନରେ ଦୀର୍ଘ ୭ ଘଣ୍ଟା ଜେରା କରିଥିଲା ।

Related Posts