ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା; ୯ ଘଣ୍ଟାର ଜେରା ପରେ ଇଡି କାର୍ଯ୍ୟାଳୟରୁ ବାହାରିଲେ କେ.କବିତା, ମାର୍ଚ୍ଚ ୧୬ରେ ପୁଣି ହଜାର ହେବାକୁ ସମନ୍

ଭୁବନେଶ୍ୱର,୧୧/୩ (ସତ୍ୟପାଠ ବ୍ୟୁରୋ): ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓଙ୍କ ଝିଅ ତଥା ଭାରତ ରାଷ୍ଟ୍ର ସମିତି (ବିଆରଏସ୍)ର ନେତ୍ରୀ କେ.କବିତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଆଜି ୯ ଘଣ୍ଟା ଧରି ପଚରାଉଚରା କରିଛି । ଏହାସହିତ ତାଙ୍କୁ ପୁନର୍ବାର ଆସନ୍ତା ମାର୍ଚ୍ଚ ୧୬ତାରିଖରେ ହାଜର ହେବାକୁ ସମନ କରାଯାଇଛି ।

ସେପଟେ ଆମ୍ ଆଦମୀ ପାର୍ଟି ନେତା ତଥା ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏହି ମାମଲାରେ ଏବେ ଇଡି ହେପାଜତରେ ଅଛନ୍ତି । ଦିଲ୍ଲୀର ନୂଆ ଅବକାରୀ ନୀତି ପ୍ରସ୍ତୁତିରେ ଦୁର୍ନୀତି ଅଭିଯୋଗରେ ସିସୋଦିଆଙ୍କୁ ସିବିଆଇ ଗିରଫ କରିଥିଲା।

ଟ୍ଟବେ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା ତଦନ୍ତ କରୁଥିବା କେନ୍ଦ୍ରୀୟ ଏଜେନ୍ସିମାନଙ୍କ ମୁଖ୍ୟ ଫୋକସ୍ ମଧ୍ୟସ୍ଥି, ବ୍ୟବସାୟୀ ଏବଂ ରାଜନେତାଙ୍କ ଏକ କଥିତ ନେଟୱାର୍କ ଉପରେ ରହିଛି, ଯାହାକୁ କେନ୍ଦ୍ରୀୟ ଏଜେନ୍ସିମାନେ ‘ସାଉଥ୍ ଗ୍ରୁପ୍’ ବୋଲି କହୁଛନ୍ତି । ‘ସାଉଥ୍ ଗ୍ରୁପ୍’ କମ୍ପାନିଗୁଡ଼ିକୁ ସାହାଯ୍ୟ କରିବା ପାଇଁ ମଦ ନୀତିରେ ପରିବର୍ତ୍ତନ କରାଯାଇଥିଲା ଏବଂ ମନୀଷ ସିସୋଦିଆ ବେଆଇନଭାବେ ଏହି ଗ୍ରୁପକୁ ସୁହାଇଲା ଭଳି ନୀତି ପରିବର୍ତ୍ତନ କରିଥିଲେ ବୋଲି ଇଡି ଅଭିଯୋଗ କରିଛି । ‘ସାଉଥ୍ ଗ୍ରୁପ୍’ର ଲୋକଙ୍କ ମଧ୍ୟରେ କେ. କବିତା ମଧ୍ୟ ଏଜେନ୍ସିଗୁଡ଼ିକର ଟାର୍ଗେଟରେ ଅଛନ୍ତି। ତାଙ୍କ ପିତା କେ. ଚନ୍ଦ୍ରଶେଖର ରାଓ କେନ୍ଦ୍ରରେ ଜଣେ ପ୍ରମୁଖ ବିରୋଧୀ ଦଳ ନେତା। ସେଥିପାଇଁ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ମିଥ୍ୟା ମାମଲାରେ ବିରୋଧୀ ନେତାମାନଙ୍କୁ ହଇରାଣ କରିବା ପାଇଁ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକୁ ବ୍ୟବହାର କରୁଥିବା ବିରୋଧୀ ଦଳମାନେ ଅଭିଯୋଗ କରୁଛନ୍ତି ।

Related Posts