ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା; ପୁଣି ମନୀଷ ସିସୋଦିଆଙ୍କୁ ସମନ୍‌ ଜାରି କଲା ସବିଆଇ

ଭୁବନେଶ୍ୱର,୧୮/୨(ସତ୍ୟପାଠ ବ୍ୟୁରୋ): ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାର ତଦନ୍ତ ଘଟଣାରେ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ‘ସିବିଆଇ’ ପୁଣି ଥରେ ସମନ୍‌ ଜାରି କରିଛି। ଏନେଇ ଆଜି ସିସୋଦିଆ ନିଜେ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ରବିବାର ଦିନ ‘ସିବିଆଇ’ର ମୁଖ୍ୟାଳୟରେ ତାଙ୍କୁ ହାଜର ହେବା ଲାଗି ନିର୍ଦେଶ ଦିଆଯାଇଛି।

ସିସୋଦିଆ ଟ୍ୱିଟ୍ କରି କହିଛନ୍ତି ଯେ, ‘ଆସନ୍ତାକାଲି ସିବିଆଇ ପୁଣି ଥରେ ଡକାଇଛି।ସେମାନେ ସିବିଆଇ ଏବଂ ଇଡିର ପୂର୍ଣ୍ଣ ଶକ୍ତି ବ୍ୟବହାର କରିଛନ୍ତି କିନ୍ତୁ ମୋ ବିରୁଦ୍ଧରେ କିଛି ମିଳି ନାହିଁ। ମୋ ଘରେ ଚଢ଼ାଉ କରାଯାଇଥିଲା, ବ୍ୟାଙ୍କ ଲକର ଖୋଜା ଯାଇଥିଲା କିନ୍ତୁ ମୋ ବିରୁଦ୍ଧରେ କୌଣସି ଜିନିଷ ମିଳି ନଥିଲା। ମୁଁ ଦିଲ୍ଲୀର ପିଲାମାନଙ୍କ ପାଇଁ ଭଲ ଶିକ୍ଷା ବ୍ୟବସ୍ଥା କରିଛି ଏବଂ ଏହି ଲୋକମାନେ ଏହାକୁ ବନ୍ଦ କରିବାକୁ ଚାହୁଁଛନ୍ତି । ମୁଁ ସବୁବେଳେ ଅନୁସନ୍ଧାନରେ ସହଯୋଗ କରିଆସୁଛି ଏବଂ ଆଗକୁ ମଧ୍ୟ ଜାରି ରଖିବି।’

ତେବେ ରାଜଧାନୀ ଦିଲ୍ଲୀର ନୂତନ ଅବକାରୀ ନୀତି ସହ ଜଡିତ ଦୁର୍ନୀତି ମାମଲାରେ କିଛି ମାସ ପୂର୍ବରୁ ସିବିଆଇ କୋର୍ଟରେ ପ୍ରଥମ ଚାର୍ଜସିଟ୍ ଉପସ୍ଥାପନ କରିଥିଲା। ଏହି ମାମଲାରେ ସିସୋଦିଆଙ୍କୁ ଏକାଧିକ ଥର ଜେରା କରିଥିଲେ ମଧ୍ୟ ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟରେ ଉପସ୍ଥାପିତ ଚାର୍ଜସିଟ୍‌ରେ କିନ୍ତୁ ମନୀଷ ସିସୋଦିଆଙ୍କ ନାଁ ନଥିଲା। ଯଦିଓ ଅନୁସନ୍ଧାନକାରୀ ସଂସ୍ଥା କହିଥିଲା ଯେ ଏହାର ତଦନ୍ତ ଜାରି ରହିଛି ଏବଂ ଏହି ଅପରାଧରେ ଅନ୍ୟ ଅଭିଯୁକ୍ତଙ୍କ ଭୂମିକା ସ୍ଥିର କରାଯାଉଛି।

ସେପଟେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦାବି କରିଥିଲେ ଯେ, ସିବିଆଇ ମନୀଷ ସିସୋଦିଆଙ୍କୁ କ୍ଲିନ୍‌ଚିଟ୍ ଦେଇଛି । ଏକ ସାମ୍ବାଦିକ ସମ୍ମିଳନୀରେ ଅରବିନ୍ଦ କେଜ୍ରିୱାଲ କହିଥିଲେ ଯେ, ମନୀଷ ସିସୋଦିଆଙ୍କ ନାମ ତଥାକଥିତ ମଦ ସ୍କାମର ଚାର୍ଜସିଟରେ ନାହିଁ, ତେଣୁ ସିବିଆଇ ମନୀଷ ସିସୋଦିଆଙ୍କୁ କ୍ଲିନ୍‌ଚିଟ୍ ପ୍ରଦାନ କରିଛି।

Related Posts