ଡୋପ୍‌ ଟେଷ୍ଟରେ ଧାବିକା ଦୂତି ଚାନ୍ଦ ବିଫଳ, ୪ ବର୍ଷ ପାଇଁ ହେଲେ ବାସନ୍ଦ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଭାରତର ଦ୍ରୁତତମ ଧାବିକା ତଥା ଓଡ଼ିଆ ଝିଅ ଦୂତି ଚାନ୍ଦ ଡୋପ୍‌ ଟେଷ୍ଟରେ ବିଫଳ ହୋଇ ୪ ବର୍ଷ ପାଇଁ ବାସନ୍ଦ ହୋଇଛନ୍ତି। ଚଳିତ ବର୍ଷ ଜାନୁଆରି ୩ ତାରିଖରୁ ପିଛିଲା ଭାବେ ଏହି ବାସନ୍ଦ ଲାଗୁ ହେବ। ଏହି ତାରିଖଠୁ ବର୍ତ୍ତମାନ ମଧ୍ୟରେ ଦୂତି ଯେଉଁ ଇଭେଣ୍ଟଗୁଡ଼ିକରେ ଅଂଶଗ୍ରହଣ କରିଥିବେ, ତାହାର ପ୍ରଦର୍ଶନଗୁଡ଼ିକୁ ଅଯୋଗ୍ୟ ଘୋଷଣା କରାଯିବ ବୋଲି ଆଣ୍ଟି ଡୋପିଂ ଡିସିପ୍ଲିନାରି ପ୍ୟାନେଲ୍‌ (ଏଡିଡିପି) ଅଧ୍ୟକ୍ଷ ଚୈତନ୍ୟ ମହାଜନ ଗୁରୁବାର ସୂଚନା ଦେଇଛନ୍ତି।ତଥାପି ଏହି ଦଣ୍ଡ ବିରୋଧରେ ଆଣ୍ଟି ଡୋପିଂ ଅପିଲ୍‌ ପ୍ୟାନେଲ୍‌ (ଏଡିଏପି) ଆଗରେ ନିଜର ପକ୍ଷ ରଖିବାକୁ ଦୂତିଙ୍କୁ ୨୧ ଦିନ ସମୟ ଦିଆଯାଇଛି।

ଏଡିଡିପି ଆଗରେ ଶୁଣାଣି ସମୟରେ ଯଦିଓ ଦୂତି ନିଷିଦ୍ଧ ଔଷଧ ସେବନକୁ ସ୍ବୀକାର କରିଥିଲେ କିନ୍ତୁ ନିଜକୁ ନିର୍ଦ୍ଦୋଷ ପ୍ରମାଣିତ କରିପାରିନଥିଲେ। ତାଙ୍କ ଫିଜିଓଥେରାପିଷ୍ଟଙ୍କ ପରାମର୍ଶକ୍ରମେ ଔଷଧ ସେବନ କରିଥିଲା ବେଳେ ତାହାର ଲେଭଲ୍‌କୁ ଯାଞ୍ଚ କରିନଥିଲେ। ଏଥିସହିତ ତାହାକୁ ୱାଡା ଦ୍ବାରା ଜାରି ହୋଇଥିବା ନିଷିଦ୍ଧ ଔଷଧ ତାଲିକା ସହ ନମିଳାଇ ସେବନ କରିଥିବା ପ୍ୟାନେଲ୍‌ ଜାଣିବାକୁ ପାଇଥିଲା। ଏହାଫଳରେ ଦୂତି ଜାତୀୟ ଆଣ୍ଟି ଡୋପିଂ ଏଜେନ୍ସି (ନାଡା)ର ଧାରା ୨.୧ ଓ ୨.୨ କୁ ଉଲଂଘନ କରିଥିବା ସ୍ପଷ୍ଟ ହୋଇଥିଲା। ଏଥିପାଇଁ ତାଙ୍କୁ ୪ ବର୍ଷ ପାଇଁ ବାସନ୍ଦ କରାଯାଇଥିବା ସୂଚନା ଦିଆଯାଇଛି।

ଉଲ୍ଲେଖଯୋଗ୍ୟ, ଦୂତିଙ୍କୁ ଗତବର୍ଷ ଡିସେମ୍ବର ୫ ଓ ୨୬ ତାରିଖରେ ନାଡାର ଡୋପ୍‌ ନିୟନ୍ତ୍ରକ ଅଧିକାରୀଙ୍କ ଦ୍ବାରା ଭୁବନେଶ୍ବରରେ ଦୁଇଥର ପରୀକ୍ଷା କରାଯାଇଛି। ପ୍ରଥମ ନମୁନାରେ ନିଷିଦ୍ଧ ଔଷଧ ଆଣ୍ଡାରିନ୍‌, ଓଷ୍ଟାରିନ୍‌ ଓ ଲିଗାଣ୍ଡ୍ରୋଲ୍‌ ଆସିଥିଲା ବେଳେ ଦ୍ବିତୀୟ ନମୁନାରେ ଆଣ୍ଡାରିନ୍‌ ଓ ଓଷ୍ଟାରିନ୍‌ ଥିବା ସ୍ପଷ୍ଟ ହୋଇଥିଲା। ଏହାଫଳରେ ଦୂତିଙ୍କ ପାଖରେ ଆଡଭର୍ସ ଆନାଲିଟିକାଲ୍‌ ଫାଇଣ୍ଡିଂ (ଏଏଏଫ୍‌) ନୋଟିସ୍‌ ପାଇବାର ୭ ଦିନ ମଧ୍ୟରେ ବି’ ନମୁନା ପରୀକ୍ଷା ପାଇଁ ସମୟ ରହିଥିଲା। ହେଲେ ଦୂତୀ ଏହି ପରୀକ୍ଷା ପାଇଁ ଆଗ୍ରହ ଦେଖାଇନଥିଲେ। ଯେଉଁଥିପାଇଁ ତାଙ୍କ ଉପରେ ନାଡା ନିୟମ ଅନୁସାରେ ବାସନ୍ଦାଦେଶ ଲାଗୁ କରାଯାଇଛି।

Related Posts